ଇତିହାସର କାଳ୍ପନିକ ଦୁନିଆ
ଇଚ୍ଛାହୁଏ ଫେରି ଯାଆନ୍ତି କି
ସେଇ ଇତିହାସର ଅତୀତକୁ…
ଭଲ ଲାଗେନି କେବେ କେବେ ଆଜିର
ଏ ଚାକ ଚକ୍ୟ ଆଉ ଦେଖାଣିଆର ଦୁନିଆ…
ଭଲ ଲାଗେନି ସେଇ ମୁହଁ,
ବିଷ ଭରା କଳସୀରେ ଅମୃତ ଛିଞ୍ଚା ଭଳି ।
ଇଚ୍ଛା ହୁଏ ଫେରି ଯାଆନ୍ତି କି
ସେଇ ବଳଦ ବୁହା ଶଗଡ଼ର ଅତୀତକୁ…
ଯେଉଁଠି ନା ଥା’ନ୍ତା ଏ ଯାନବାହାନର
କର୍କଶ ଶବ୍ଦ ଆଉ ଲୁହ ଲହୁର ଦୁର୍ଘଟଣା…
ନା ଥା’ନ୍ତା ରେଳଗାଡ଼ି ଆଉ ଉଡାଜାହାଜ
ନା ପୁଅ ଛାଡ଼ି ଯାଆନ୍ତା ବିଦେଶ
ତା’ ମମତାମୟୀ ମା’କୁ l
ଇଚ୍ଛା ହୁଏ ଫେରି ଯାଆନ୍ତି କି
ସେଇ ଅତୀତର ନିରୀହ ଦୁନିଆଁକୁ…
ଯେଉଁଠି ନା ଥା’ନ୍ତା ଏ ଦୂରଦର୍ଶନ ଆଉ
ତା’ର ବାଂଶ ଯନ୍ତ୍ର ତା’ ସହ ସତ ମିଛ ପ୍ରେମ..
ଯେଉଁଠି ଥାନ୍ତା ନା ଏ ଅମାନବିକ
ରକ୍ତପାତ ନା ଅମାନୁଷିକ ବଳତ୍କାର l
ଇଚ୍ଛାହୁଏ ଫେରି ଯାଆନ୍ତି କି ଅତୀତର
ସେଇ ବଣ ଜଙ୍ଗଲ ଘେରା ସଭ୍ୟତାକୁ…
ଯେଉଁଠି ନା ଥା’ନ୍ତା ସେଇ ଅସନ୍ତୋଷର ଭାବ
ଆଉ ନିରାଶବାଦୀର କୋହୋ…
ନା ଥା’ନ୍ତା ବିବେକବାନର ଅଭାବତା
ନା ଆତ୍ମସ୍ୱାର୍ଥର ଅନ୍ଧକାରତା l
– ଜଗନ ବେହେରା
Comments
ଜଗନ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।