ଆଇସକ୍ରିମ୍

Odia short story Ice Cream (ଆଇସକ୍ରିମ୍) by Indurani Sahu

ବୈଶାଖ ମାସର ଧୁ ଧୁ ଟାଣ ଖରା ଆଉ ତାତିଲା ପବନ କଥା କିଏ ବା ନ ଜାଣେ । ସମଗ୍ର ଧରା ତୃଷ୍ଣାର୍ତ୍ତ ଆଉ ବ୍ୟାକୁଳ, ସବୁଆଡ଼େ ଖାଲି ଅଗ୍ନି ବର୍ଷ । । ମୋ ବୟସ ସେତେବେଳେ ଛଅ କି ସାଢ଼େ ଛଅ ହୋଇଥାଏ । ଗାଁକୁ ଆଇସକ୍ରିମ୍‌ବାଲା ଆସିଲେ ମୋ ଖୁସି ଆଉ କହିଲେ ନସରେ । ଆଜି କାଲି ତ ହାତ ପାହାନ୍ତରେ ଭଳି କି ଭଳି, ରକମ ରକମ ଆଇସକ୍ରିମ୍ ମିଳିଯାଉଛି ହେଲେ ସେତେବେଳେ ଗାଁକୁ ଆଇସକ୍ରିମ୍‌ବାଲା ଆସନ୍ତି । ଆଉ ଆଇସକ୍ରିମ୍ ଶବ୍ଦ ଶୁଣିଲେ ମୋ ଖୁସି ଛ’ଗୁଣ ହୋଇଯାଏ । ଆଇସକ୍ରିମ୍‌ବାଲାର ସାଇକେଲ ବେଲ୍ ବାଜିଲେ ଏକ ପ୍ରକାର ଆନନ୍ଦର ଆଲୋଡ଼ନ ସୃଷ୍ଟି ହୁଏ । ଯେଉଁଠି ଥିଲେ ବି ଆଇସକ୍ରିମ୍‌ବାଲାର ଶବ୍ଦ ମୋତେ ଖୁବ୍ ପରିଷ୍କାର ଭାବେ ଶୁଣାଯାଏ ! ଆଉ ସେତିକିବେଳେ ମୁଁ ଦୌଡ଼ିଯାଏ ବାପାଙ୍କ ପାଖକୁ । ବାପା, ପଇସା ଦିଅ ବୋଲି କୁହନ୍ତେ ବାପା କହନ୍ତି, ଏତେ ଆଇସକ୍ରିମ୍ ଖାଇବା ଭଲ ନୁହେଁ । ଆଉ ମୁଁ ସେକଥା ଶୁଣି କାନ୍ଦିବା ଆରମ୍ଭ କରିଦିଏ । ବାପାଙ୍କ ପାଖରୁ ଅଳି କରି ମା’ଙ୍କ ପାଖକୁ ଯାଏ, ଆଉ ମାଆ ଗୋଟିଏ ଟଙ୍କା ହାତରେ ଧରେଇ ଦିଏ ।

ତା’ପରେ ଉଷେନ୍ ବୋଲ୍ଟ କିଏ ଆଉ ମୁଁ କିଏ !! ସବୁ ସମାନ ଯେମିତି । ଆଇସକ୍ରିମ୍‌ବାଲା ଯେତେ ଦୂରରେ ଥିଲେ ବି, ମୁଁ ଆଇସକ୍ରିମ୍‌ବାଲା ଡାକି ଡାକି ଖୁବଶୀଘ୍ର ଦୌଡ଼ିଯାଏ ତା’ ପାଖକୁ । ଗୋଟେ ଟଙ୍କା ଦେଇ ପଚାଶ ପଇସାର ଗୋଟେ କାଠି ଦିଆ କମଳା ରଙ୍ଗର ଆଇସକ୍ରିମ୍ ଆଣେ, ଆଉ ବାକି ପଚାଶ ପଇସା ଯତ୍ନର ସହ ରଖିଦିଏ ଆରଥର ପାଇଁ । ଆଉ ତା’ ପରେ ମିଳେଇ ଯାଉଥିବା ଆଇସକ୍ରିମ୍‌‌କୁ ଜିଭରେ ଚାଟି ଚାଟି ଘରମୁଁହା ହୁଏ, ଘରକୁ ଆସି ଗିନା ଗୋଟାରେ ଆଇସକ୍ରିମ୍ ରଖି ମୁଁ ମୋ କାମରେ ଲାଗିଯାଏ । ମୋର ଆଜି ବି ମନେ ଅଛି, ଯଦି ଦୁର୍ଭାଗ୍ୟବଶତଃ ମୁଁ ଆଇସକ୍ରିମ୍ ଆଣିପାରେନି ତା’ହାଲେ କାନ୍ଦି କାନ୍ଦି ରାଗରେ ଖାଇବା ବନ୍ଦ କରିଦିଏ ଆଉ ତା’ ପରେ ଜିଦ୍ ପାଇଁ ବହେ ମାଡ଼ ବି ଖାଏ । ଆଇସକ୍ରିମ୍ ନଖାଇ ପାରିବା ଦୁଃଖ ସାଙ୍ଗକୁ ଭାତ ନ ଖାଇବାର ମାଡ଼ ଯେମିତି ବୋଝ ଉପରେ ନଳିତା ବିଡ଼ା ଭଳି ଲାଗେ । ଏ କାହାଣୀ ଖାଲି ମୋର ନୁହେଁ, ଆମ ପିଢ଼ିର ସବୁ ପିଲାଙ୍କ କାହାଣୀ; ଯେଉଁମାନେ ଆଠଣାର ମୂଲ୍ୟ ଖୁବ୍ ଭଲ ଭାବରେ ବୁଝୁଥିଲେ ଆଉ ଯନ୍ତ୍ରବାସ୍କ୍‌ରେ ଟଙ୍କେ-ଆଠଣି ସବୁବେଳେ ସାଇତି ରଖୁଥିଲେ ।

ଆଧୁନିକ ଯୁଗର ମଣିଷ ଆମେ, ଆଇସକ୍ରିମ୍ ପାର୍ଲରରେ ଦାମୀ ଆଇସକ୍ରିମ୍, ଡେସର୍ଟ ଖାଇବା ଆଗରୁ ସାଙ୍ଗଙ୍କ ସହ ଷ୍ଟୋରି ଆଉ ସେଷ୍ଟସ୍ ସେୟାର୍ କରିବାକୁ ଭୁଲୁ ନାହୁଁ । ଆମ କା‌ହାଣୀ ବି ସେମିତି ଥିଲା, ଆମେ ବି ଷ୍ଟୋରି ଆଉ ସେଷ୍ଟସ୍ ସେୟାର୍ କରୁଥିଲୁ, ଆଇସକ୍ରିମ୍ ଚାଟି ଖାଇବା ପରେ ସାଙ୍ଗ ମେଳରେ ଆମେ କାହା ଜିଭ କେତେ ରଙ୍ଗ ହେଇଛି ଦେଖୁଥିଲୁ ଆଉ ଦେଖେଉଥିଲୁ । ଇଏ ଏକ ପ୍ରକାର ଖେଳ ପାଲଟି ଯାଇଥିଲା ଆମ ପାଇଁ । କାହା ଜିଭ ନାଲି ତ କାହାର ନାରଙ୍ଗୀ ଆଉ କାହାର ହଳଦିଆ ତ କାହାର ଖଈରି ରଙ୍ଗ । ଏତେ ପ୍ରକାର ରଙ୍ଗର ସମାହାରରେ ବି ଆମେ ଏକବର୍ଣ୍ଣୀ ଥିଲୁ, ସରଳ ଆଉ ନିରୀହ ଥିଲୁ । କେତେ ସୁନ୍ଦର ଥିଲା ସେ ପିଲାଦିନ !

ଯାହା ବି ହଉ ସେତେବେଳର ଟଙ୍କେ/ଆଠେଣିର ଆଇସକ୍ରିମ୍ ଆଜିର ଦାମିକିଆ, ରକମ ରକମ ସ୍ଵାଦ ବାଲା ଆଇସକ୍ରିମ୍‌ଠାରୁ ବେଶୀ ମିଠା ଆଉ ସ୍ଵାଦିଷ୍ଟ ଥିଲା । ତରଳି ଯାଉଥିବା ଆଇସକ୍ରିମ୍‌କୁ ଚାଟି ଖାଇବାର ମଜା ଆଜିର ଦାମିକିଆ କପ୍, କୋନ୍, ସ୍କୁପ୍‌ରେ ଆଉ ନାହିଁ । ଡେସର୍ଟ/ଆଇସକ୍ରିମ୍‌ରେ ଟପିଙ୍ଗସ୍‌ର ପରିମାଣ ଯେମିତି ବଢ଼ିଚାଲିଛି ତା’ ସହ ପିଲାବେଳର ସେ ପଚାଶ ପଇସାବାଲା ଆଇସକ୍ରିମ୍ ଖାଇବାର ଯୋଉ ଉତ୍ସାହ ଓ ଉନ୍ମାଦନା ଥିଲା ସେ ଧୀରେ ଧୀରେ କମିଯାଇଛି । ତରଳି ଯାଉଥିବା ଆଇସକ୍ରିମ୍ ସହ ସେ ଖୁସି ସବୁ ଯେମିତି ତରଳି ଯାଇଛି ।

– ଇନ୍ଦୁରାଣୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...