ହେ ଗାନ୍ଧୀ ତୁମର ଗଢ଼ା ଏ ଭାରତ
ହୁଏ ଆଜି ବିଖଣ୍ଡିତ
ତୁମେ ଦେଖିଥିଲ ସୁନାର ଭାରତ
ସ୍ୱପ୍ନ ଆଜି କଳୁଷିତ ॥
ତୁମ ମନ୍ତ୍ର ଆଜି ଶକ୍ତିହୀନ ହୁଏ
ପ୍ରତି କୋଣେ ହା ହା କାର
ଭାରତ ମାଆର ବୁକୁ ଫଟା କାନ୍ଦ
ବହିଯାଏ ନିରନ୍ତର ॥
ପ୍ରତିଟି ମୁହୂର୍ତ୍ତେ ଶୁଭଇ ଚିତ୍କାର
ତ୍ରିରଙ୍ଗା ଆଖିରେ ଲୁହ
ସ୍ୱାଧୀନତା ଆଜି ବିଷରିତ ହୁଏ
ଛୁଟେ କୋଳାହଳ ସୁଅ ॥
ନାହିଁ ନିଷ୍ଠା ନମ୍ର ସତ୍ୟ ଧର୍ମ ଏଠି
ଶୁଭେନା ଅହିଂସା ବାଣୀ
ଦେଖିଯାଅ ଥରେ ହେ ଜାତିର ପିତା
ଭାରତ ମଳିନ ହେଲାଣି ॥
ଏ ଦେଶ ତୁମକୁ ଆବାହନ କରେ
ଆଉଥରେ ଜନ୍ମ ନିଅ
କୋଟି ଜନତାଙ୍କ ବନ୍ଦନୀୟ ତୁମେ
ଏ ଦେଶକୁ ମୁକ୍ତି ଦିଅ ॥
– ମମତା ସାହୁ
Comments
ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।