ସତରେ କ’ଣ ତୁ ଜାଣିନୁ
ମୋ ମନର ଅବିଶ୍ରାନ୍ତ କୋହକୁ
ଆଉ ତୋ’ ପ୍ରତି ଅହେତୁକ ଆବେଗକୁ;
ଅବୁଝାର ମନ ନେଇ
ଖାଲି ବୁଝିବାର, ଖାମ୍ଖିଆଲି ଢଙ୍ଗରେ
ବଲ ବଲ ଚାହିଁ ଥାଉ
ସତେ ଯେମିତି, ସବୁ କିଛି ବୁଝିଛୁ
ଆଉ ବୁଝି ସାରି, ସବୁ କିଛି କରୁଛୁ ।
ସେଦିନ ମୁଁ କ’ଣ, ଭୁଲ କରିଥିଲି?
ମୋ ଡାକ ନ ଶୁଣି,
ମୋ ମନକୁ ଠିକରେ ନ ପଢ଼ି
ଏତେ ବଡ଼ ପାହାଡ଼ ପରା ବୋଝ
ମୋ ମୁଣ୍ଡରେ, ଥୋପି ଦେଲୁ, ପାରିବାର ଭାବି?
ଥରୁଟିଏ ଭାବିଲୁନି,
ମୋ ମନର ଶୋକାଗ୍ରସ୍ତ ଆବେଗକୁ
ଆଉ ଶଙ୍କାଗ୍ରସ୍ତ ବିଚାରକୁ, କୋହକୁ ।
ତୋ ପାରିବା ପଣିଆ
ସମସ୍ତଙ୍କୁ, ଜଣା
ତୋ’ ପାଇଁ, ମୁଁ କିଛି, ନୂଆ ନୁହେଁ
ମୋ ମନର, ଟିକ୍ନିକ୍ କଥା
ତୋତେ ଜଣା, ଭଲ ଭାବେ ଜଣା
ତଥାପି, ଲୋକ ଦେଖାଣିଆ ମଣି
ଦମ୍ଭରେ, ଦର୍ପରେ… ବୋଧେ ସ୍ନେହରେ,
ବିଶ୍ଵାସର ନଭଶ୍ଚୁମ୍ବୀ ଉନ୍ମାଦକୁ, ଲଦି ଦେଲୁ ।
ଠିକ ଅଛି,
ମୁଁ ବି ପାରିବି, ନିଶ୍ଚେ ପାରିବି
ତୋ’ର କାଳଜୟୀ ବିଶ୍ଵାସ
ଦମ୍ଭ, ଦର୍ପ ଆଉ ସ୍ନେହର
ଅନନ୍ତ ପରିସୀମାକୁ
କଳିବାକୁ ଚେଷ୍ଟା ବି କରିବିନି
ଆଖିରେ ବିଶ୍ଵାବସୁର ପଟି ବାନ୍ଧି
ତୋ କଳ୍ପିତ ଇସାରାକୁ ମାନିବି, ମାନୁଥିବି…
– ଡ. ସଚିନ ଷଡ଼ଙ୍ଗୀ
Comments
ଡ. ସଚିନ ଷଡ଼ଙ୍ଗୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।