“ସିପୁନ, ଜଲ୍ଦି ଆସେ, ଦେଖେ ଗୋଟେ ଜିନିଷ”, ମାଆ ଦାଣ୍ଡ ଦୁଆରୁ ଡାକିଲେ । ମୁଁ ନେଟଫ୍ଲିକ୍ସରେ ସିନେମା ଦେଖୁଥିଲି, ଚିଡ଼ିକି କହିଲି, “ରହିଯାଅ ଟିକେ… ଏବେ ତ ପାଣି ଭର୍ତ୍ତି କରିବା ପାଇଁ ଡାକିଥିଲ !” ସେ ପୁଣି ଡାକିଲେ, “ଆରେ ଆସେ ଆସେ, ଘୋରି ଆସିଛି ବା !” ଘୋରି ଆମ ଆପାର୍ଟମେଣ୍ଟରେ ଥିବା ଗୋଟେ ବୁଲା କୁକୁର, ବୁଲା ବୋଲି ନ କହିଲେ ଚଳିବ । କୁକୁରଟି ଦେଖିବାକୁ ଏତେ ସୁନ୍ଦର ଯେ କେହି ତାକୁ ବୁଲା କହିପାରିବେନି ! ଆଉ ଖାଇବା ଜିନିଷରେ ମଧ୍ୟ ଭାରି ସୌକିନିଆ ମ୍ୟାଡାମ, ହାତରୁ ନ ଦେଲେ ତଳେ ପଡ଼ିଥିବା ରୁଟିରେ ମୁଁହ ମାରିବନି । ଖାଲି ଗୋଟେ ଜିନିଷ, ଟାଇଗର ବିସ୍କୁଟ ଛଡ଼ା ଅନ୍ୟ କିଛି ବିସ୍କୁଟ ଖାଇବନି ସେ । ଘୋରି ପ୍ରାୟତଃ ୨ ବର୍ଷ ଅଧିକ ଦିନ ଧରି ଆମ ଆପାର୍ଟମେଣ୍ଟରେ ରହିଲାଣି ।
ଏବେ ଏହି ଲକ୍ଡାଉନ୍ ଯୋଗୁଁ ଘରେ ରହି ରହି ଯାହା ବିରକ୍ତ ହେଇସାରିଲିଣି, ସେଥିରେ ଘରଲୋକଙ୍କ ସବୁ ଘଣ୍ଟାରେ ଥରେ ଡାକିବା ଅଭ୍ୟାସ । ମୁଁ ତ ପୂରା ଚିଡ଼ିକି କହିଲି, “ନା ନା ମୁଁ ଯିବିନି ଆଉ ।” ମାଆ କବାଟ ଖୋଲିକି ମୋ ରୁମ୍ ଭିତରକୁ ଆସିଲେ; “ଦିନ ରାତି ଖାଲି ସିନେମା ଦେଖି ଦେଖି ଗଲା ତୋ’ର, ଭଲ ସ୍କୁଲ ବନ୍ଦ ହେଲା ଯେ ପାଠପଢ଼ା ଚୁଲିକୁ ଗଲା ।” ମୋ ପାଇଁ ଏଇଟା ସବୁଦିନର କଥା ହେଇଗଲାଣି, ସବୁ ଶୁଣିକି ଏ କାନରୁ ସେ କାନ କରିଦିଏ ମୁଁ । ମାଆ ପୁଣି ଚିଲେଇଲେ, “ଆରେ, ଯାଆ ଟିକେ ରୋଷେଇ ଘରୁ କ୍ଷୀର ଆଉ ଭାତ ଗୋଳେକି ଆଣେ, ଘୋରି ତା’ ଛୁଆକୁ ନେଇକି ଆସିଛି । ମୁଁ ତାଙ୍କୁ ଜଗିଛି ନହେଲେ ପଳେଇବେ !” କୁକୁର ଛୁଆ ନାଁ ଶୁଣି ମୁଁ ଗୋଟେ ଲମ୍ଫରେ ରୋଷେଇଘର ଆଉ ଆଉ ଗୋଟେ ଲମ୍ଫରେ ଦାଣ୍ଡ ଦୁଆରରେ ।
ଘୋରିର ରଙ୍ଗ ପୁରା କସରା ରଙ୍ଗ, ତା’ ଗୋଡ଼ ପଛ ପଟେ ଟିକେ ପାଉଁସିଆ ରଙ୍ଗର ଛୁଆଟେ ନୁଚିକି ଅନଉଥାଏ । ମୁଁ ପାଟିରେ “ଚୁ-ଚୁ” ଯେମିତି କରିଲି, ଶୁଣିକି ଘର ଭିତରକୁ ଆସିଗଲା ସେ ଚୁଇଁ ଛୁଆଟା, ସେବେଠୁ ତା’ ନାଁ ଆମେ ଚୁଇଁ ଦେଇଛୁ । ବୋଧେ ସେତେବେଳକୁ ଦୁଇ ମାସେ ଖଣ୍ଡେ ହେଇଥିବ ଚୁଇଁକୁ । ଭୁବନେଶ୍ୱରରେ ମାର୍ଚ୍ଚ ମାସରେ ଲକ୍ଡାଉନ୍ ହେଲା ଆଉ ଚୁଇଁ ଆମ ଘରକୁ ଏପ୍ରିଲ୍ରେ ଆସିଲା । ପିଲାଟିବେଳୁ ମତେ କୁକୁର ଛୁଆ ରଖିବାର ଭାରି ଇଚ୍ଛା, ହେଲେ ମାଆ ଜାଣିଛନ୍ତି ମୁଁ ଯତ୍ନବାନ ନୁହେଁ । ଘରକୁ ଥରେ ମୂଷା ଛୁଆ ଆଣିଥିଲି, ମାସେ ତାଙ୍କ ସେବା କରିଲା ପରେ ମୁଁ ଆଉ ତାଙ୍କ କଥା ବୁଝିଲିନି, ସବୁ କାମ ମାଆଙ୍କ ଉପରେ ଆସିଗଲା, ସେବେଠୁ ଘରେ ପୋଷା ଯନ୍ତୁ ଆଣିବା ମନା । ଏବେ ସେଥିପାଇଁ ଚୁଇଁକୁ ମଧ୍ୟ ରଖିହବନି, ହେଲେ କ’ଣ ହେଲା, ଆମର ଆପାର୍ଟମେଣ୍ଟ ତଳେ ତ ରହୁଛି, ଯେବେ ଇଚ୍ଛା ହେବ ତା’ ପାଖକୁ ଯାଇକି ଖାଇବା ଦେଇକି ଆସିବି ହେରି । ସେଦିନ ଚୁଇଁ ଆମ ଫ୍ଲାଟ୍ ସାମ୍ନାରେ କ୍ଷୀର ଭାତ ଖାଇଲା । ମାସକର ଛୁଆ ଖାଉଥିବା ବେଳେ ଖାଲି ଲାଙ୍ଗୁଡ଼ଟା ହଲଉଥାଏ । ଆଉ ଖୁସି କହିଲେ ନ ସରେ ।
ଚୁଇଁ ଘରକୁ ଆସିବାର ଦୁଇ ଦିନ ପରେ ମୁଁ ତଳକୁ କ୍ଷୀର ଆଣିବାକୁ ଯାଇଥିଲି, ମତେ ତଳେ ଦେଖିକି ଭାରି ଖୁସି ସେ, ଯେମିତି ମତେ ଦେଖିଲା ଗୋଡ଼ ଦୁଇଟା ଉଠେଇକି ମୋ ଗୋଡ଼ ଉପରେ ଠିଆ ହେଇଗଲା ଆଉ ମୁଁ ଶ୍ରଦ୍ଧାରେ ଟେକି ଆଣି ଧରିପକେଇଲି । ଡର ବୋଲି କ’ଣ ସେ ସେତେବେଳକୁ ଜାଣିନଥିଲା । ଆମ ଲିଫ୍ଟ ଖରାପ ଥିଲା ଆଉ ମୁଁ ହାତରେ ତାକୁ ଉଠେଇକି ଆଣିକି ଛ’ ମହଲା ଚଢ଼ିକି ଆମ ଘରକୁ ନେଇ ଆସିଲି । ମାଆ ଜଳଖିଲା ପାଇଁ ରୁଟି କରିଥିଲେ, ଛିଣ୍ଡେଇକି ତାକୁ ଦେଲି ଆଉ ସେ ମଜାରେ ଖାଉଥାଏ । ଖାଇ ସାରିଲା ପରେ ପୁଣି ନେଇକି ତାକୁ ତଳେ ଛାଡ଼ିଦେଲି । ପରଦିନ ସକାଳେ ଶୋଇଥିବା ବେଳେ ମାଆ ଡାକିଲେ, “ଆରେ ସିପୁନ ଆସେ ଆସେ ।” କ’ଣ ହେଇଗଲା ଭଳିଆ ମୁଁ ଛାନିଆରେ ଯାଇକି ଦେଖେ ତ ଚୁଇଁ ମାହାରାଣୀ ଆଉ ଦାଣ୍ଡ ଦୁଆରେ ବସି ନାହାନ୍ତି, ସିଧା ଆମ ଘର ଭିତରେ ପଶିକି ଆଉଁ-ଆଉଁ କରିକି ତା’ ଭାଷାରେ କ’ଣ କହିଯାଉଥାଏ । ଯେମିତି ମତେ ଦେଖିଲା ଲାଙ୍ଗୁଡ଼ ହଲେଇ ହଲେଇ ମୋ ଆଡ଼କୁ ଧାଇଁ ଆସିଲା । ମୁଁ ତାକୁ ଧରିକି ବାହରକୁ ଯାଇକି ଦେଖେ ଯେ ତା’ ମାଆ ନାହିଁ, ଆଉ ଏହି ଦୁଷ୍ଟ ଏକୁଟିଆ ଛ’ ମହଲା ଚଢ଼ିକି ଆସିଛି । ମତେ ଟିକେ ରାଗ ଲାଗିଲା, ଛୋଟ ଛୁଆ ସ୍ନେହ ପାଇଁ ସିନା ଉପରକୁ ଆସୁଛି ହେରି, ହେଲେ କେତେ କଷ୍ଟ ହଉଥିବ ତାକୁ, ମୁଁ ତାକୁ ନେଇକି ପୁଣି ତଳେ ଛାଡ଼ିଲି । ଏବେ ଏଇଟା ସବୁଦିନର ବେପାର ହେଇଗଲା ମୋ ପାଇଁ, ସକାଳୁ ଉଠୁ ଉଠୁ ଚୁଇଁ ଘର ଦାଣ୍ଡ ସାମ୍ନାରେ ଆଉ ଖାଇ ସାରିଲା ପରେ ମୁଁ ତାକୁ ଛାଡ଼ିବାକୁ ଯିବି । ଲକ୍ଡାଉନ ପାଇଁ ସିନା ଲିଫ୍ଟ ଠିକ କରିବାକୁ କେହି ଆସୁନଥିଲେ, ହେଲେ ପନ୍ଦର ଦିନ ପରେ ଲିଫ୍ଟ ମଧ୍ୟ ଠିକ ହେଇଗଲା । ଗୋଟେ ଦିନର କଥା, ତାକୁ ନେଇକି ତଳେ ଛାଡ଼ିକି ଆସିଛି, ମୁଁ ଲିଫ୍ଟରେ ଉପରେ ପହଞ୍ଚୁ-ପହଞ୍ଚୁ ବାବୁଆଣୀ ଆସିକି ଆମ ଘର ପାଖରେ ପହଞ୍ଚି ସାରିଲେଣି । ଏଇଟା ହଉଛି ଆମ ଚୁଇଁର ଅଜବ ନିଶା ।
ଏମିତି ସମୟ ଗଡ଼ିଚାଲିଲା ଆଉ ଚୁଇଁ ଆମ ଘରେ ଭାରି ସ୍ନେହି ହେଇଗଲା । ଖାଲି ଆମ ତରଫରୁ ନୁଁହ ସେ ନିଜେ ମଧ୍ୟ ଭାରି ସ୍ନେହି କୁକୁରଟେ, ଅଧା ସମୟ ଏବେ ଆମ ଫ୍ଲାଟ ସାମ୍ନାରେ ଶୁଏ, ଆଉ ବାପା କି ମୁଁ ଲିଫ୍ଟରେ ଆସିଲା ମାନେ ଲାଙ୍ଗୁଡ଼ ହଲେଇ ହଲେଇ ଉପରକୁ ଡେଇଁ ପଡ଼େ । ଆମେ ବାହାରକୁ କୁଆଡ଼େ ଗଲେ ଘର ସାମ୍ନାରେ ସେମିତି ଜଗିକି ବସିଥିବ । ତା’ର ଏତେ ସ୍ନେହ ଦେଖିକି ପାଖ ପଡୋଶୀମାନେ ମଧ୍ୟ ତାକୁ ଖାଇବାକୁ ଦେବା ଆରମ୍ଭ କଲେ । ଗୋଟେଥର କିଏ ତାକୁ ବାଡ଼େଇ ଦେଇଥିଲା ଆଉ ତା’ ଗୋଡରୁ ରକ୍ତ ବାହାରୁ ଥାଏ, ଉପରକୁ ଛୋଟେଇ ଛୋଟେଇ ଆସିକି କବାଟ ଆମ୍ପୁଡ଼ିଥାଏ । ମାଆ କବାଟ ଖୋଲିଲେ ଯେମିତି ତା’ ଗୋଡ଼ ମାଆଙ୍କୁ ଦେଖାଇଲା ଓ ତା’ ଭାଷାରେ କ’ଣ କହିଯାଉଥାଏ । ମାଆ ସାଙ୍ଗେ ସାଙ୍ଗେ ଡେଟଲ ପକେଇକି ଗୋଡ଼ଟା ପୋଛିଦେଲେ ଓ ପରେ ଆଲର୍ଜି ନହେବା ପାଇଁ ଗୋଟେ ପାଉଡର୍ ମଧ୍ୟ ପକେଇଦେଲେ । ଦୁଇ ଦିନ ଘର ଆଗରେ ସେମିତି ମାନ୍ଦା ହେଇକି ପଡ଼ିଲା ପରେ ପୁରା ଚାଙ୍ଗା ହେଇକି ତା’ର ଅଭ୍ୟାସ ପୁଣି ଆରମ୍ଭ କରିଲା । ଯନ୍ତୁଟାକୁ ମାନିବାକୁ ପଡ଼ିବ କିନ୍ତୁ ପୂରା ମଣିଷର ମନ ବୁଝିଯାଏ । ମୋ ଦେହ ଖରାପ ହେଲାପରେ ଯେତେବେଲେ ମୁଁ ଦାଣ୍ଡକୁ ଯାଏ ସେ ମୁଁହ ସୁଖେଇ ଦେଇକି ମୋ ଗୋଡ଼ ଚାରିପଟେ ଘସି ହୁଏ ।
ମଝିରେ କିଛି ଦିନ ଆମେ ଦେଖିଲୁ ଚୁଇଁ ଦେହରେ ବହୁତ ଖଣ୍ଡିଆ ହେଇଛି । ଆମେ ଚିଡ଼ି ଗଲୁ, ଯାଇକି କଉଠି ମାଡ଼-ଗୋଡ଼ି କରିଥିବ । ମାଆ ତାକୁ ଖାଲି ଚିଡ଼ିକି କହୁଥାନ୍ତି, “ଆଉ ମାଡ଼-ଗୋଡ଼ି କରିଲେ ତତେ ଖାଇବାକୁ ଦେବିନି ।” କିଛିଦିନ ପରେ ରାତିରେ ତଳ ମହଲାର ଜଣେ ଲୋକ ଆସି କବାଟ ବାଡ଼େଇଲେ । ମୁଁ କବାଟ ଖୋଲୁ ଖୋଲୁ ମୋ ଉପରେ ଚିଲେଇବାକୁ ଆରମ୍ଭ କରିଦେଲେ, “ସିପୁନ, ତୁ କୁକୁର ଛୁଆକୁ ଆଣିକି ଖାଇବାକୁ ଦଉଛୁ, ଆଉ ସେ ଆସିକି ଆମ ଘର ସାମ୍ନାରେ ଝାଡ଼ା କରୁଛି । ଆଉ ଯଦି ଦେବୁ, ତତେ ଡାକିବି ପୋଛିବା ପାଇଁ ।” ମୁଁ ରାଗରେ ପୁରା ଲାଲ୍ ହେଇଯାଇଥିଲି, ହେଲେ କ’ଣ କରିହେବ ବଡ଼ଙ୍କୁ ଅସମ୍ମାନ କରିହବନି, ଆଉ ଯନ୍ତୁଟାକୁ କେମିତି ଖାଇବାକୁ ଦେବା ବନ୍ଦ କରିଦେବି? ହଉ କିଛି ଦିନ ବନ୍ଦ କରିଦେବା । ହେଲେ କ’ଣ ହେବ, ଖାଇବାକୁ ବନ୍ଦ କରିଲେ ମଧ୍ୟ ସେ ଉପରକୁ ଆସି ଯାଉଥାଏ ଆଉ ବଧେ ତାଙ୍କ ଘର ପାଖରେ ଝାଡ଼ା କରିବାକୁ ତାକୁ ଭଲ ଲାଗେ । ଏଇଟା ବାରମ୍ବାର ହେଲା ପରେ ସୋସାଇଟିରେ କଥା ଗଲା ଆଉ ସେମାନେ ଥୟ କରିଲେକି ପ୍ରଥମ ମହଲାରେ ଗୋଟେ ଗ୍ରିଲ୍ ଗେଟ୍ଟେ ଲଗେଇବେ । ବାସ, ସେବେଠୁ ଚୁଇଁର ଘରକୁ ଆସିବା ବନ୍ଦ ହେଇଗଲା । ଆଉ ଏବେ ତ କରୋନା ସମୟ ଆମେ ମଧ୍ୟ ଏତେ ତଳକୁ ଯାଉନଥିଲୁ । ହେଲେ ଯେବେ ତଳକୁ ଯାଉ କେମିତି ଜାଣେ କେଜାଣି ଆସିକି ପାର୍କିଙ୍ଗ୍ ପାଖରେ ଠିଆ ହେଇଯାଇଥିବ । ମୁଁ ସେଥିପାଇଁ ମୋ ଗାଡ଼ି ଡିକିରେ ଗୋଟେ ବିସ୍କୁଟ ପ୍ୟାକେଟ୍ଟେ ରଖିବା ଆରମ୍ଭ କରିଦେଲି । ଯେବେ ଦେଖା ହୁଏ ତା’କୁ ସେଥିରୁ କିଛି କିଛି ଦିଏ ଆଉ ସେ ଖୁସିରେ ଖାଏ ।
ଏମିତି ମାସେ ଖଣ୍ଡେ ଚାଲିଲା, ତା’ ପରେ ତା’କୁ ଆମେ ଯେତେବେଳେ ଦେଖୁ ଛୁଆଟା ଶୁଖି-ଶୁଖି ଯାଉଛି, ଦେଢ଼ ବର୍ଷର ଏତେ ସୁନ୍ଦର କୁକୁରଟେ ହଠାତ କାଇଁ ଏମିତି ଶୁଖିଯାଉଛି? କରୋନା ଡରକୁ ପଛରେ ପକାଇକି ଏବେ ମୁଁ ସବୁଦିନ ତାକୁ ଖାଇବାକୁ ଦେବାକୁ ଯାଉଥାଏ । ହେଲେ ଖାଇବା ଦେଖିକି ଆଗ୍ରହରେ ଖାଉଥିବା ଚୁଇଁ ଆଉ ଖାଇବାରେ ମୁଁହ ମାରୁନି । ରୋଗିଣା ହେଇଯାଇଛି କି? ଭାବିଲି ବେଶି ଦିନ ସେମିତି ହେଲେ ମୁଁ ବାପାଙ୍କ ସାଙ୍ଗେ ତାକୁ ଡାକ୍ତରଖାନା ନେଇଯିବି । ହେଲେ ଛୁଆମନ, ସେଇଟା ଭାବିବା ପୁର୍ବରୁ ଆଗେ ତା’ ଉପରେ ଚିଡ଼ିଗଲି । “ମୁଁ ସବୁଦିନ ତଳକୁ ଆସୁଛି ତତେ ଖାଇବା ଦେବା ପାଇଁ ଆଉ ତୁ ଖାଉନୁ, ଖାଇଲେ ଖା’ ନ ଖାଇଲେ ନାହିଁ । ଆଉ ମୁଁ ଆସିବିନି ତତେ ଖାଇବା ଦେବା ପାଇଁ ।” ପନ୍ଦର ଦିନ ଉପରେ ହେବ ମୁଁ ଆଉ ଖାଇବା ଦେବା ପାଇଁ ତଳକୁ ଗଲିନି, ଦିନେ ସକାଳୁ ସକାଳୁ କବାଟ ଆମ୍ପୁଡ଼ିବାର ଶବ୍ଦ ହେଲା । ପାଖିପାଖି ତିନି ମାସ ଉପରେ ହେବ ଚୁଇଁ ଉପରକୁ ଆସିନି ଗ୍ରିଲ ଗେଟ୍ଟି ଲାଗିବା ପରେ । ହେଲେ ଏବେ କିଏ ଆମ୍ପୁଡ଼ୁଛି? ମୁଁ କବାଟ ଖୋଲିକି ଦେଖେ ତ ଚୁଇଁ କବାଟ ସାମ୍ନାରେ, ଝଡ଼ିକି କଙ୍କାଳ ଦେଖା ଗଲାଣି । ହେଲେ ସେ କଥା ଛାଡ଼ିକି ବୋଧେ ଉପରକୁ ଆସିଛି ବୋଲି ତା’ର ଖୁସି କହିଲେ ନ ସରେ । ସିଧା ଘର ଭିତରକୁ ପଶି ଆସିଲା ଲାଙ୍ଗୁଡ଼ ହଲେଇ ହଲେଇ । ଆଉ ତା’ ପରେ ମୋ ଉପରକୁ ଡେଇଁ ପଡୁଥାଏ । ମୁଁ ମାଆଙ୍କୁ କହିଲି, “କିଏ ବଧେ ଗ୍ରିଲ୍ ଗେଟ୍କୁ ଖୋଲି ଦେଇଛନ୍ତି ଆଉ ଚୁଇଁ ଆସିଛି ହେରି । ଆଉ ଆସିକି କି ଖୁସି ଦେଖ । ହେଲେ ପୁଣି ମାଡ଼ ଖାଇବ, ଯାଏ ତା’କୁ ତଳେ ଛାଡ଼ିକି ଆସେ ।” ସେକଥା କହିକି ପାଉଁରୁଟିଟେ ଧରିକି ଆଶା ଦେଖେଇ ଦେଖେଇ ତାକୁ ତଳକୁ ନେଲି । ଯେମିତି ପୂରା ତଳକୁ ଯାଇଛି ମୁଁ ଦେଖିଲି ଗ୍ରିଲ୍ ଗେଟ୍ଟି ବନ୍ଦ ଅଛି, ହେଲେ ସେ ଆସିଲା କେମିତି? ତା’କୁ ତଳେ ଛାଡ଼ି ମୁଁ ଶିଢ଼ିରେ ଉପରକୁ ଆସିଲା ବେଳକୁ ଚୁଇଁ ଭୁକିଲା, ମୁଁ ଠିଆ ହେଲି ଟିକେ ଦେଖିବା ପାଇଁ କାଳେ କ’ଣ କହୁଥିବ । ସେ ଭିତରେ ସେ ନିଜ ଦେହକୁ ସେ ଗେଟ୍ ଭିତରେ ଗଳେଇକି ଆସି ଲାଙ୍ଗୁଡ଼ ହଲେଇ-ହଲେଇ ମୋ ଦେହରେ ଘସି ହେଲା । ମୋ ଆଖିରୁ ଲୁହ ବାହାରି ଆସିଲା, ଏତେ ଦିନ ହେଲା ସେ ଖାଉନଥିଲା ବୋଲି ମୁଁ ଚିଡ଼ୁଥିଲି, ସେ ନିଜକୁ କେମିତି ସେ ଗେଟ ଭିତରେ ପଶେଇକି ଉପରକୁ ଆସିବ ସେୟା ଚେଷ୍ଟା କରୁଥିଲା । ଭାରି ସ୍ନେହି ଯନ୍ତୁଟିଏ…
– ଶୈଳେଶ ପଟ୍ଟନାୟକ
Comments
ଶୈଳେଶ ପଟ୍ଟନାୟକ ୨୦୧୨ ମସିହାରୁ ଓଡ଼ିଆ ଉଇକିପିଡ଼ିଆ ସହିତ ଜଡ଼ିତ ଅଛନ୍ତି । ସେ CIS-A2Kରେ କାର୍ଯ୍ୟ କରିବା ପରେ ଅଧୁନା ଉଇକିମିଡ଼ିଆ ଫାଉଣ୍ଡେସନ୍ରେ କାର୍ଯ୍ୟ କରୁଛନ୍ତି । ଓଡ଼ିଆ ଭାଷା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି ।