ଅତୀତରେ କେବେ ଗାଁ ଥିଲା
ସେ ଗାଁ’ରେ ଶୀତଳ ଛାଇ ଥିଲା
ସେ ଛାଇରୁ ଛାଣି ହୋଇକରି
ବଞ୍ଚିବାର ଛୋଟ ଆଶା ଥିଲା ।
ନବବଧୂ ମଥା ଓଢ଼ଣାରେ
କଅଁଳ ଶିଶୁର ଝୁଲଣାରେ
ବିଶ୍ୱାସର ଏକ ପାଲିଙ୍କି ସଜେଇ
ହସୁଥିଲା ଗାଁ ଆନନ୍ଦରେ ।
ଏଇ ଗାଁ ଦେଇ ଯାଉଥିଲେ
କେତେ ସାଧୁ କେତେ ସନ୍ଥ ବି
ସୁନେଲି କ୍ଷେତ ହସୁଥିଲା
କେଉଁଠି ପତ୍ର କେଉଁଠି ଘାସ ବି ।
ଅଗଣିତ ଗପ ଭରା ଥିଲା
ବୁଢ଼ୀ ମା’ କାହାଣୀପେଡ଼ି ତଳେ
ଅସିମୀତ କେତେ ଖେଳ ଥିଲା
ବୁଢ଼ା ବରଗଛ ଛାଇ ତଳେ ।
ସବୁଦିନ କରୁ ପରିଶ୍ରମ
ସବୁରାତି ଶୋଉ ଆନନ୍ଦରେ
ସବୁଘରେ ଜଳେ ସଞ୍ଜବତୀ
ଶଙ୍ଖ ଧ୍ଵନି ଶୁଭେ ମନ୍ଦିରରେ ।
କାହିଁକି କେଜାଣେ କେଉଁ ଘଡ଼ିରେ
ଆଧୁନିକ ରଙ୍ଗ ଲାଗିଗଲା
ଖୋଜିଲେ କାଇଁ ମୁଁ ପାଉନାହିଁ
କେଉଁଠି ମୋ ଗାଁ ହଜିଗଲା ॥
– ବି. ଜେନା
Comments
ବି. ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ସେ ସ୍ମୁଲ୍ ଆପ୍ରେ ଅନେକ ଓଡ଼ିଆ ଏବଂ ହିନ୍ଦୀ ଗୀତ ମଧ୍ୟ ଗାଇଛନ୍ତି ।