୧୯୭୦ ଦଶକର କଥା ।
ଦିନେ ଅପରାହ୍ନରେ ତିରୁଅନନ୍ତପୁରମର ବେଳାଭୂମିରେ ଧୋତି ପିନ୍ଧି ଜଣେ ବୟସ୍କ ଭଦ୍ରଲୋକ ଏକାନ୍ତରେ ଭାଗବତ ଗୀତା ପଢ଼ୁଥିଲେ । ସେହି ସମୟରେ ସେହି ବାଟ ଦେଇ ଜଣେ ଯୁବକ ଯାଉଥାନ୍ତି । ଭଦ୍ରବ୍ୟକ୍ତିଙ୍କୁ ଗୀତା ପଢ଼ିବା ଦେଖି ସେ ଅଟକିଯାଇ କହିଲେ, “ଆପଣ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ପରି ଜଣାପଡ଼ୁଛନ୍ତି । ଆଜିର ଏ ଆଧୁନିକ ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଲାଣି କିନ୍ତୁ ଆପଣଙ୍କ ପରି ଶିକ୍ଷିତ ବ୍ୟକ୍ତି ରାମାୟଣ ଗୀତାରେ ଅଟକିଛନ୍ତି । ଆଜିର ଯୁଗରେ ଏ ସବୁ ଗ୍ରନ୍ଥର କିଛି ପ୍ରାସଙ୍ଗିକତା ନାହିଁ ।” ଭଦ୍ରଲୋକଟି କହିଲେ, “ବାବୁରେ ଗୀତା ବିଷୟରେ କିଛି ଜାଣିଛ?” ଯୁବକଟି ଉତ୍ସାହିତ ଓ ସଗର୍ବେ କହିଲା ଆଜ୍ଞା ମୁଁ ବିକ୍ରମ ସାରାଭାଇ ସ୍ପେସ ରିସର୍ଚ୍ଚ ସଂସ୍ଥାର ଛାତ୍ର ତଥା କନିଷ୍ଠ ବୈଜ୍ଞାନିକ । ଏସବୁ ପଢ଼ିବାପାଇଁ ମୋ ପାଖରେ ସମୟ ନାହିଁ ।” ସଜ୍ଜନ ହସି କହିଲେ, “ତୁମେ ଯେଉଁ ସଂସ୍ଥାର ଛାତ୍ର ବୋଲି ଗର୍ବ କରୁଛ, ମୁଁ ସେହି ଡ. ବିକ୍ରମ ସାରାଭାଇ ।”
ଏକଥା ଶୁଣି ଯୁବକଟି ଆଶ୍ଚର୍ଯ୍ୟ ହୋଇଗଲେ ସତେ ଯେମିତି ତାଙ୍କ ପାଦତଳୁ ମାଟି ଖସିଗଲା । ଲାଜରେ ମୁଁହ ତଳକୁ କରି କ୍ଷମା ପ୍ରାର୍ଥନା କଲେ । ଡ. ସାରାଭାଇ ଯୁବକଟିକୁ ଆଶ୍ୱାସନା ଦେଇ କହିଲେ, “ପ୍ରତ୍ୟେକ ନୂତନ ବିଜ୍ଞାନ ପଛରେ ଏକ ପ୍ରାଚୀନ ଜ୍ଞାନ ଅବଶ୍ୟ ଥାଏ, ସେ ମହାଭାରତର ହେଉ କି ଆଜିର ଭାରତର ହେଉ । ଗୀତା ଯେ ହେଉଛି ପ୍ରାଚୀନ ଭାରତର ମହାବିଜ୍ଞାନ ଓ ଆଜିର ଭାରତର ମହୌଷଧି ଏଥିରେ ଶଙ୍କା ନାହିଁ କି ସନ୍ଦେହ ନାହିଁ । ତେଣୁ ଗୀତାପାଇଁ ଭାରତୀୟ ଭାବେ ନିଜକୁ ଗର୍ବ କର ।”
ସେହି ଯୁବକ ଛାତ୍ର ଆଉ କେହି ନୁହନ୍ତି ଆମ ପ୍ରିୟ ରାଷ୍ଟ୍ରପତି, ଭାରତ ରତ୍ନ ଡ. ଏ ପି ଜେ ଅବଦୁଲ କାଲାମ ଓ ସେ ମହାନ ସଜ୍ଜନ ହେଉଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ସର୍ବଶ୍ରେଷ୍ଠ ବୈଜ୍ଞାନିକ ତଥା ପିତାମହ ପଦ୍ମ ବିଭୂଷଣ ଡ. ବିକ୍ରମ ସାରାଭାଇ ।
ପରବର୍ତ୍ତୀ ସମୟରେ କାଲାମ ବିକ୍ରମ ସାରାଭାଇଙ୍କ ସଂସ୍ପର୍ଶରେ ଆସି ଭାଗବତ ପ୍ରେମୀ ହୋଇଯାଇଥିଲେ ଓ ପୃଥିବୀର ଶ୍ରେଷ୍ଠ ବୈଜ୍ଞାନିକ ଓ ଭାରତର ମିଶାଇଲମ୍ୟାନ ଭାବେ ପ୍ରସିଦ୍ଧ ହୋଇପାରିଥିଲେ ।
– ସୌଭାଗ୍ୟ ରଞ୍ଜନ ମହାପାତ୍ର
Comments
ସୌଭାଗ୍ୟ ରଞ୍ଜନ ମହାପାତ୍ର ସମ୍ବଲପୁରର ବୈଦିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।