ଏ କି ଅବିଚାର

Odia Poem E Ki Abichara (ଏ କି ଅବିଚାର) by Alekha Meher

ନାସ୍ତିକ କରଇ ସୁଖେ ଅଟ୍ଟହାସ୍ୟ
ଆସ୍ତିକ ନୟନେ ଲୁହ,
ଜୀବନଟା ସାରା ଦୁଃଖର ଅଙ୍ଗାର
ହୃଦୟରେ ଭରା କୋହ ।

ନିଃଶବ୍ଦ ସାଧନା ନିଃସ୍ୱାର୍ଥ ଭାବନା
ତିରସ୍କାର ପାଇଁ ସାର,
ସୁଦ୍ଧ ପେୟନୀରେ ପୋକ ପକାଇଲେ
ହୁଅଇ ସିନା ଅମର ।

ପାଳକ ଧରିଲେ ପକ୍ଷପାତି ପଣ
ଆଉ କେ ଅଛି ଭରସା,
ଏ ଜୀବନେ ସଦା ତମକୁ ସିନା ମୁଁ
କରିଅଛି ଏକା ଆଶା ।

ସତ୍ୟର ପାଣ୍ଡବ ପଶାପାଲି ଖେଳେ
ହାରିବା ନିଶ୍ଚେ ପ୍ରମାଣ,
ଖେଦ କ୍ଳେଶ ଭାର ଜାତନା ଭଣ୍ଡାର
ସହିଯିବେ ଘୋର ବନ ।

ଶକୁନିର ପଶା ଦିଏ ଜନେ ଦଶା
ବୃଜିନ କଳି କାଳରେ,
ମଉନରେ ବସି ଚିତ୍ତେ ଭରି ଖୁସି
ଧରମକୁ ଆଖି ଠାରେ ।

ଦଣ୍ଡଧାରି ଦିଏ ନିର୍ଦ୍ଦୋଷ ପୁରୁଷେ
ମୃତ୍ୟୁ ଦଣ୍ଡାଦେଶ ହସି,
ସୁରରିପୁ କରେ ଉଚ୍ଚେ ଅଟ୍ଟହାସ୍ୟ
ଅନ୍ୟାୟ ରଜ୍ଜୁକୁ କସି ।

ନାଶିକାର ତଳେ ନିତିପ୍ରତି ଚାଲେ
ଅତ୍ୟାଚାର ଘନ ଘୋର,
ଜତୁଗୃହେ ଦଗ୍ଧ ବେଦନାରେ ଶିକ୍ତ
ସତ୍ୟ କହି ଭୋଗେ ନର ।

ଏ କି ଅବିଚାର ଚାଲିଛି ଠାକୁର
ତବ ଗଢ଼ା ସଂସାରରେ,
ପଥର ଦେଉଳେ ପଥର ସାଜିଛ
ଦେଖି ଚକା ନୟନରେ ।

ସରଘାପନ୍ତିର ଶ୍ରମ କରି ପଣ୍ଡ
ବୈନତେୟ କରି ଦାନ,
ବୋହି ମଧୁଭାର ସୁଖେକରି ଘର
କିପାଇଁ ରୁହ ମଉନ ।

– ଅଲେଖ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...