ଜୟ ଉମା କାତ୍ୟାୟନୀ
ଈଶ୍ୱରୀ ଶିବା ଭବାନୀ
ଅପର୍ଣ୍ଣା ପାର୍ବତୀ ଦୁର୍ଗା କାଳୀ ରୁଦ୍ରାଣୀ
ଜୟ ଗଉରୀ ଅମ୍ବିକା
ହୈମବତୀ ମା’ ଚଣ୍ଡିକା
ସର୍ବ ମଙ୍ଗଳା ମୃଡାନି ଜୟ ଶର୍ବାଣୀ
ଆଦ୍ୟାଶକ୍ତି ବିଶ୍ୱ ଜନନୀ,
ଶକ୍ତି ସ୍ୱରୂପିଣୀ ମାଆ ପ୍ରକୃତି ରୂପିଣୀ ।
ଜୟ ଦୁର୍ଗତିନାଶିନୀ
ଜୟ ଦନୁଜ ଦଳିନୀ
ଚଣ୍ଡମୁଣ୍ଡ ବିନାଶିନୀ ମୁଣ୍ଡମାଳିନୀ
ଶୁମ୍ଭ ନିଶୁମ୍ଭ ଘାତିନୀ
ରକ୍ତବୀର୍ଯ୍ୟ ସଂହାରିଣୀ
ମାହେଶ୍ୱରୀ ଦେବକୁଳ ରକ୍ଷାକାରିଣୀ
ତୁ ମହିଷାସୁର ମର୍ଦ୍ଧିନୀ,
ଦଶଭୁଜା ଦଶ ମହାବିଦ୍ୟା ଯୋଗିନୀ ।
ଭବାନୀ ଭବ ମୋଚନୀ
ତ୍ରିନେତ୍ରୀ ଶୂଳ ଧାରିଣୀ
ଜୟା ଅଭୟା ସୁନ୍ଦରୀ ଭବ୍ୟା ଭବାନୀ
ତୁ ବୈଷ୍ଣବୀ ମାହେଶ୍ୱରୀ
ମୁକ୍ତକେଶୀ ମହୋଦରୀ
ଅଗ୍ନିଜ୍ୱାଳା ରୌଦ୍ରମୁଖୀ କାଳ ଯାମିନୀ
ମାଗୋ ସର୍ବ ଶସ୍ତ୍ର ଧାରିଣୀ
ଲାଲ ରଙ୍ଗ ବିମୋହିତା ସିଂହବାହିନୀ ।
ପାପ ତାପ ବିନାଶିନୀ
ସଂସାର ଦୁଃଖ ହାରିଣୀ
ଜଗଦ୍ଧାତ୍ରୀ ମହାମାୟୀ ବିଶ୍ୱ ପାବନୀ
ଜାଗିଛି କରୋନା ଭୟ
ପ୍ରଦାନ କର ଅଭୟ
ମଧୁମୟ ହେଉ ପ୍ରାଣ ହସୁ ଧରଣୀ
ମଧୁ କୈଟଭ ନାଶିନୀ,
କରୋନା ଭୂତାଣୁ ନାଶ କର ଜନନୀ ।
ଶକ୍ତି ଉପାସନା ପର୍ବ
ଦୁର୍ବାସନା କରୁ ଖର୍ବ
ସାତ୍ତ୍ୱିକୀ ଧୃତୀରେ ଉଡ଼ୁ ବିଜୟବାନା
ପୀଠେ ପୀଠେ ତୁ ପୂଜିତା
ଦଶଭୁଜା ଦକ୍ଷସୁତା
ଋଦ୍ଧି ସିଦ୍ଧି ମୁକ୍ତିଦାତ୍ରୀ କର କରୁଣା
ନାଶ ମହାମାରୀ କରୋନା,
ଚଉଦିଗେ ଉଡ଼ାଅ ତବ କୀରତି ବାନା ।
– ବସନ୍ତ କୁମାର ପ୍ରଧାନ
Comments
ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।