ଘାସଟିଏ ମୁଁ ଦୁବଘାସଟିଏ ଆକାର ମୋହର ଛୋଟିଆ
ଛୋଟ ଶରୀରଟି ଧରିଛି ସିନା ମୁଁ କାମଟି ମୋହର ବଢ଼ିଆ ॥
ଠାକୁର ଘରର କଳସ ସେବାରେ ଦରକାର ହୁଏ ମୁହିଁଟି
ଆମ୍ବଡାଳ ବରକୋଳିର ପତରେ ସ୍ଥାନ ଯେ ମୋହର ଥାଏଟି ॥
ଆସୁ ସତେ କେତେ ବାଆ ବତାସ ଯେ କେବେ ଯାଏ ନାହିଁ ଡରିକି
ଡରିବାର ଯଦି ଥାଏ ମୋ ମନରେ ଡର ଥାଏ ମୋର ହରିକି ॥
ଗୋରୁର ପାକୁଳି ମଧ୍ୟରେ ମୁହିଁ ଯେ ହରାଇ ଦିଏ ମୋ ସତ୍ତାଟି
ତଥାପି ନିରାଶ ନ ରଖି ମନରେ ପୁଣି ଟେକେ ମୋର ମଥାଟି ॥
କେତେ ଲୋକଙ୍କର ପାଦର ଆଘାତେ ଚାପି ହୋଇଯାଏ ମୁହିଁ
ବାଟର ବାଟୋଇ ଚାଲିଗଲା ପରେ ପୁଣି ଉଠି ଦେଖେ ମହୀ ॥
ଜୀବନ ମୋହର ଯନ୍ତ୍ରଣା ଦାୟକ ତଥାପି ଅଛି ମୋ ସାହସ
ସାହସ ଟିକକ ଭରସା ମୋହର ହୁଏନାହିଁ କେବେ ହତାଶ ॥
ନଇଁବା ମୋହର ସ୍ୱଭାବ ଅଟଇ ନଇଁବା ମୋହର ଧରମ
ଝଡ଼ବତାସକୁ ସମ୍ମାନ ଜଣାଇ ନଇଁଯାଏ ତତ୍କ୍ଷଣ ॥
ଚାଲିଗଲା ପରେ ଝଡ଼ ଓ ବତାସ ପୁଣି ହୁଏ ମୁହିଁ ଉଭା
ଆଗରେ ଦେଖେ ମୁଁ କେତେ କେତେ ଦ୍ରୁମ ଭାଙ୍ଗିପଡ଼ିଛନ୍ତି ଅବା ॥
ଗୁଣୀଜନଙ୍କର ନଇଁବା ସ୍ୱଭାବ ନଇଁଗଲେ ସେତ ମହାନ
ସେହି ଗୁଣରୁ ମୁଁ ଟିକିଏ ଆଣିଛି ଦେଖେନାହିଁ ଦିବା ସପନ ॥
ଆଜିର ଧରିତ୍ରୀ ପରିବେଶ ମଧ୍ୟେ ସତେ ଅବା ରୁଷିଯାଇଛି
ମୋ ମାଆର ଲୁହ ସମ୍ଭାଳି ନ ପାରି ତା ପାଇଁ ଟିକେ ମୁଁ କାନ୍ଦିଛି ॥
ତଥାପି ଧରଣୀ ପୃଷ୍ଠରେ ମୋହର ଆଶ୍ରୟ ଟିକିଏ ଚାହୁଁଛି
ଅଛି କେଉଁକାଳୁ ଆହୁରି ରହିବି ଏହି ଭରସା ମୁଁ ରଖିଛି ॥
ସେହି ଦୁବଘାସ କର ପ୍ରଭୁ ମୋତେ ଡରିଯିବି ନାହିଁ ବିପଦେ
ତୁମେହିଁ ମୋହର ସାହା ଓ ଭରସା ସତେ କି ବିପଦେ ଆପଦେ ॥
– ସଦାନନ୍ଦ ପାଣିଗ୍ରାହୀ
Comments
ସଦାନନ୍ଦ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ସେ କବିତା ଲିଖନ ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

