ଘାସଟିଏ ମୁଁ ଦୁବଘାସଟିଏ ଆକାର ମୋହର ଛୋଟିଆ
ଛୋଟ ଶରୀରଟି ଧରିଛି ସିନା ମୁଁ କାମଟି ମୋହର ବଢ଼ିଆ ।।
ଠାକୁର ଘରର କଳସ ସେବାରେ ଦରକାର ହୁଏ ମୁହିଁଟି
ଆମ୍ବଡାଳ ବରକୋଳିର ପତରେ ସ୍ଥାନ ଯେ ମୋହର ଥାଏଟି ।।
ଆସୁ ସତେ କେତେ ବାଆ ବତାସ ଯେ କେବେ ଯାଏ ନାହିଁ ଡରିକି
ଡରିବାର ଯଦି ଥାଏ ମୋ ମନରେ ଡର ଥାଏ ମୋର ହରିକି ।।
ଗୋରୁର ପାକୁଳି ମଧ୍ୟରେ ମୁହିଁ ଯେ ହରାଇ ଦିଏ ମୋ ସତ୍ତାଟି
ତଥାପି ନିରାଶ ନ ରଖି ମନରେ ପୁଣି ଟେକେ ମୋର ମଥାଟି ।।
କେତେ ଲୋକଙ୍କର ପାଦର ଆଘାତେ ଚାପି ହୋଇଯାଏ ମୁହିଁ
ବାଟର ବାଟୋଇ ଚାଲିଗଲା ପରେ ପୁଣି ଉଠି ଦେଖେ ମହୀ ।।
ଜୀବନ ମୋହର ଯନ୍ତ୍ରଣା ଦାୟକ ତଥାପି ଅଛି ମୋ ସାହସ
ସାହସ ଟିକକ ଭରସା ମୋହର ହୁଏନାହିଁ କେବେ ହତାଶ ।।
ନଇଁବା ମୋହର ସ୍ୱଭାବ ଅଟଇ ନଇଁବା ମୋହର ଧରମ
ଝଡ଼ବତାସକୁ ସମ୍ମାନ ଜଣାଇ ନଇଁଯାଏ ତତ୍କ୍ଷଣ ।।
ଚାଲିଗଲା ପରେ ଝଡ଼ ଓ ବତାସ ପୁଣି ହୁଏ ମୁହିଁ ଉଭା
ଆଗରେ ଦେଖେ ମୁଁ କେତେ କେତେ ଦ୍ରୁମ ଭାଙ୍ଗିପଡ଼ିଛନ୍ତି ଅବା ।।
ଗୁଣୀଜନଙ୍କର ନଇଁବା ସ୍ୱଭାବ ନଇଁଗଲେ ସେତ ମହାନ
ସେହି ଗୁଣରୁ ମୁଁ ଟିକିଏ ଆଣିଛି ଦେଖେନାହିଁ ଦିବା ସପନ ।।
ଆଜିର ଧରିତ୍ରୀ ପରିବେଶ ମଧ୍ୟେ ସତେ ଅବା ରୁଷିଯାଇଛି
ମୋ ମାଆର ଲୁହ ସମ୍ଭାଳି ନ ପାରି ତା ପାଇଁ ଟିକେ ମୁଁ କାନ୍ଦିଛି ।।
ତଥାପି ଧରଣୀ ପୃଷ୍ଠରେ ମୋହର ଆଶ୍ରୟ ଟିକିଏ ଚାହୁଁଛି
ଅଛି କେଉଁକାଳୁ ଆହୁରି ରହିବି ଏହି ଭରସା ମୁଁ ରଖିଛି ।।
ସେହି ଦୁବଘାସ କର ପ୍ରଭୁ ମୋତେ ଡରିଯିବି ନାହିଁ ବିପଦେ
ତୁମେହିଁ ମୋହର ସାହା ଓ ଭରସା ସତେ କି ବିପଦେ ଆପଦେ ।।
– ସଦାନନ୍ଦ ପାଣିଗ୍ରାହୀ
Comments
ସଦାନନ୍ଦ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ ଏବଂ ନିଶା ତାଙ୍କର କବିତା ଲେଖିବା । ସେ କବିତା ଲିଖନ ପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।