ବାସ୍ତବତାର ଦ୍ଵାହିରେ ଭାଙ୍ଗି ପଡ଼ିଛି
ସୁନେଲି ସପନ..
କୁହୁଡ଼ି ଢେଉର ସୀମା ଲଙ୍ଘି ଲଙ୍ଘି
ନିଜକୁ ଆବିଷ୍କାର କରିଛି ଏକ
ବହଳ ଅନ୍ଧକାରୀ ଜଙ୍ଗଲରୁ..
ଯେଉଁଠୁ ଫେରିବା ଅନିଶ୍ଚୟ
ଦିଗହରା ପଥିକଟେ ପରି
ପର୍ବତାରୋହଣ କରି
ଭୁଲି ସାରିଛି ଫେରିବାର ପଥ..
କଳା କଳା ଅନ୍ଧାରୀ ଜଙ୍ଗଲ ଗୋଡ଼ାଇ ଆସନ୍ତି
ଖାଁ ଖାଁ ଗର୍ଜନର ନିସ୍ତବ୍ଧତା ଭାଙ୍ଗି..
ନିଶାଚର ପରି ଭ୍ରୁକୁଞ୍ଚନ କରି
ନିଶ୍ୱାସର ବେଗ ମାପି ଚାଲନ୍ତି
ଏ ଜଙ୍ଗଲୀ ଅନ୍ଧାର..
ପଥ ଭ୍ରମି ସାରିଛି ମୁଁ
ଜାଣିନି କେଉଁ ଏକ ସମ୍ମୋହନରେ ହୋଇ ସାରିଛି
ସମ୍ମୋହିତ..
ହୃଦୟର ପ୍ରତ୍ୟକଟି ସ୍ପନ୍ଦନରେ ସ୍ପନ୍ଦିତ ହୁଏ ସେହି ଅଜଣା
ସମ୍ମୋହନକାରି..
ବେଶ, ମୁଁ ସିନା ତା’ ସମ୍ମୋହନରେ ସମ୍ମୋହିତ,
ହେଲେ ସେ ସମ୍ମୋହନର ଯାଦୁକର ଏବେବି ଅଦୃଶ୍ୟ..
ଅନ୍ଧାରୀ ଜଙ୍ଗଲର କାଉଁରୀ ମାୟାରେ
ଖୋଜି ଚାଲିଛି ମୁଁ ତାକୁ..
ଝର ଝର ଝରଣାର କୁଳୁକୁଳୁ ନାଦରେ
ତଟସ୍ଥ ହୁଏ ଏ ମନ
ପୁଣି ଥରେ ଆବିଷ୍କାର କରେ ନିଜକୁ
ପାଖରେ ଅନୁଭବ କରେ
ହିଂସ୍ର ଶୃଗାଳଙ୍କ ଭୋକିଲା ଭୋକିଲା ଆଖି
ଶିହରି ଉଠେ ଲୋମ
ଥରି ଉଠେ ପାଦ
ଛକା ପଞ୍ଝାର ଖେଳ ଖେଳିବାକୁ ବୋଧ ହୁଏ
ହୁଅନ୍ତି ସେମାନେ ତତ୍ପର
ତଥାପି,
ଏତେ ଶୀଘ୍ର ହାର ମାନିବାକୁ ମନ୍ତ୍ରଣା ଦିଏନି ବିବେକ
ଶେଷ ନିଶ୍ୱାସଯାଏଁ ଲଢ଼ିବାକୁ ଆଣ୍ଟା ବାନ୍ଧି ବସେ ସିଏ
ପଳାତକର ମୋହର ମାରି ବଞ୍ଚିବାକୁ ହୁଏ ସେ ନାରାଜ..
ଏକା ଏକା ଲଢ଼ିବାକୁ ଭରସା ପାଏନି ସିନା..
ହେଲେ,
ସାମ୍ମୋହନକାରୀର ଉପସ୍ଥିତିକୁ ଅନୁଭବ କରେ ହୃଦୟ
ହୃଦବୋଧ ହୁଏ କେହି ଜଣେ ଅଛି ମୋର
ପାଖରେ ନହେଲମ…
– ପ୍ରଜ୍ଞା ପାରମିତା
Comments
ପ୍ରଜ୍ଞା ପାରମିତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।