ସୁନ୍ଦରୀଙ୍କୁ ଧରି ରଖିନି ପ୍ରାଙ୍ଗଣ
ସୁନ୍ଦରଙ୍କୁ ନା ସେ ରଖିଛି,
କେତେ ଆସିଛନ୍ତି ଚାଲି ଯାଇଛନ୍ତି
କାହା ବାଟକୁ ସେ ଚାହିଁନି ।
ଗୀତିକାରଙ୍କୁ ସେ ଧରିଛି ବକ୍ଷରେ
ଚିତ୍ରକରଙ୍କୁ ବି ଧରିଛି,
କନଭାସ ଚିତ୍ର, ସୁନ୍ଦର ସଙ୍ଗୀତ
ନିଜ ପାଇଁ କେବେ ମାଗିନି ।
କ୍ରୀଡ଼ାବିତ୍ଙ୍କୁ ଖେଳାଇଛି କୋଳରେ
ମନବିତ୍ଙ୍କୁ ବି ଗଢ଼ିଛି,
କେବେ ମାଗିନାହିଁ କା’ କ୍ରୀଡ଼ାର ମୂଲ୍ୟ
ଅନ୍ତର ଭାବନା କହିନି ।
ତାର୍କିକଙ୍କୁ କେତେ ତର୍କ ଶିଖାଇଛି
ଗାଳ୍ପିକଙ୍କୁ ଗଳ୍ପ କହିଛି,
ନିଜପାଇଁ କେବେ ତର୍କ ସେ କରିନି
ଗଳ୍ପରେ ଭାବୁକ ହୋଇନି ।
ସୁନ୍ଦରୀ ଲଳନା ଗଢ଼ିଛି କୋଳରେ
ସୁନ୍ଦର ଯୁବକ ଗଢ଼ିଛି,
କରିନାହିଁ କେବେ ସୌନ୍ଦର୍ଯ୍ୟର ମୂଲ
ନିଜ ସୁନ୍ଦରତା ଦେଖିନି ।
ବକ୍ଷରୁ ଅମୃତ ପେଇଛି କକ୍ଷରେ
ନାନାବାୟା ଗୀତ ଗାଇଛି,
ମାଗିନାହିଁ କେବେ ଆମ୍ବିଳା ତୋରାଣି
କ୍ଷୀର ସର କେବେ ମାଗିନି ।
ଡାକ୍ତର, ଓକିଲ, ଐତିହାସିକଙ୍କୁ
ତା’ ହାତ ସ୍ପର୍ଶରେ ଗଢ଼ିଛି,
ମାଗିନାହିଁ କେବେ ତା’ ଶ୍ରମର ମୂଲ୍ୟ
ନିଜ ଦେହ ପା’ ଦେଖିନି ।
ମୁଁ ସେ’ଠି ଖେଳିଛି ଝଗଡ଼ା କରିଛି
ଅପୂର୍ବ ଆନନ୍ଦେ ହସିଛି,
ସବୁ ଘଟଣାର ସିଏ ମୂକସାକ୍ଷୀ
ବନ୍ଧୁ, ଗୁରୁ ଆଉ ଜନନୀ ।
ସେନେହ ସୂତାରେ ବାନ୍ଧିଛି ସଭିଙ୍କୁ
ମମତାର ଟୀକା ଦେଇଛି,
ଏସବୁ ଚୁମ୍ବନ ପ୍ରେମରେ ଦେଇଛି
ଦାନର ହାତରେ ଚାହିଁନି ।
ଖଦ୍ୟୋତ ହୋଇ ମୁଁ ସୂର୍ଯ୍ୟଙ୍କ ବର୍ଣ୍ଣନା
କରିବାକୁ ଚେଷ୍ଟା କରିଛି,
ଉଜ୍ଜଳ ଅଭାରେ ମୋ କ୍ଷୀଣ ଆଲୋକ
ଧୃଷ୍ଟତାର ରୂପ ନେଇନି ।
– ଚିତ୍ତରଞ୍ଜନ ବାରିକ
Comments
ଚିତ୍ତରଂଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।