୨ ଅଗଷ୍ଟ୍ ୧୯୧୮ରେ ସିନ୍ଧ ଅନ୍ତର୍ଗତ ହୈଦରାବାଦ(ଏବେ ପାକିସ୍ତାନରେ)ରେ ଜନ୍ମ ହୋଇଥିଲେ, ପୁଣେସ୍ଥିତ ‘ସାଧୁ ୱାସୱାନୀ ମିସନ୍’(ଏହି ସଂସ୍ଥା ସ୍ଥାପନ କରିଥିଲେ- ସାଧୁ ଥାଁୱରଦାସ ଲୀଲାରାମ ୱାସୱାନୀ; ସେ ଦାଦା ୱାସୱାନୀଙ୍କ ଗୁରୁ)ର ପୂର୍ବତନ ଆଧ୍ୟାତ୍ମିକ ମୁଖ୍ୟ- ଦାଦା ଜଶନ ପହଲାଜ ରାୟ ୱାସୱାନୀ । ଦାଦା ୱାସୱାନୀ ଜଣେ ଆଧ୍ୟାତ୍ମିକ ଗୁରୁ; ତେବେ, କୌଣସି ଧାର୍ମିକ ଗୋଷ୍ଠୀ ବା ସଂପ୍ରଦାୟର ସ୍ଥାପକ ନ ଥିଲେ । ସେ ଆଧ୍ୟାତ୍ମିକ ଉପଦେଶ ଦେବା ସହ ଶାକାହାର ଓ ଜୀବଦୟା ଆଦର୍ଶର ପ୍ରଚାର-ପ୍ରସାର କରୁଥିଲେ । ସେ ପ୍ରାୟ ଶହେ ପଚାଶ ଖଣ୍ଡ ନୀତି-ଶିକ୍ଷା ଓ ଆତ୍ମ-ଜ୍ଞାନମୂଳକ ପୁସ୍ତକ ସରଳ ଏବଂ ବୋଧଗମ୍ୟ ଭାଷାରେ ରଚନା କରିଯାଇଛନ୍ତି । ତାଙ୍କ ପିତା ପହଲାଜ ରାୟ, କରାଚୀରେ ଶିକ୍ଷକତା କରୁଥିଲେ । ମାତା କୃଷ୍ଣାଦେବୀ ଗୃହିଣୀ ଥିଲେ ଏବଂ ସେହି କାଳରେ ଇଂରେଜୀ ଶିକ୍ଷା ପାଇଥିବା କତିପୟ ମହିଳାଙ୍କ ଭିତରେ ଜଣେ ଥିଲେ । ପରିବାରରେ ସାତ ସନ୍ତାନ- ତିନି ଭଉଣୀ ଓ ଚାରି ଭାଇ । ଦାଦାଙ୍କ ଆଦ୍ୟ ଜୀବନ କରାଚୀରେ କଟିଥିଲା । ସେ ଇଂରେଜୀ ମାଧ୍ୟମରେ ଶିକ୍ଷାଲାଭ କରିଥିଲେ । ଶାନ୍ତିର ପ୍ରତିଷ୍ଠା ଥିଲା, ତାଙ୍କ ଜୀବନର ମୁଖ୍ୟ ମନ୍ତ୍ର । ମେ ୨୦୧୦ରେ ପାନାମାରେ ଛୋଟ ପିଲାଙ୍କ ସହ ପିଂପଂ ଖେଳିବା ବେଳେ ଖସିପଡ଼ି, ସେ ଗୁରୁତର ଭାବେ ଆହତ ହୋଇଥିଲେ । ଗୋଡ଼ର ହାଡ଼ ଭାଙ୍ଗିଯାଇଥିଲା ଏବଂ ଆଉ ଠିକ୍ରେ ଯୋଡ଼ିହୋଇପାରି ନ ଥିଲା । ଅବଶିଷ୍ଟ ଜୀବନ ଚକ-ଲଗା ଚୌକି ବା ହୁଇଲ୍ ଚେଆର୍ରେ କଟିଥିଲା । ୧୨ ଜୁଲାଇ ୨୦୧୮ରେ ଶହେ ବର୍ଷ ପୂର୍ତ୍ତିହେବାର କିଛି ଦିନ ପୂର୍ବରୁ ପୁଣେରେ ତାଙ୍କର ପରଲୋକ ହୋଇଥିଲା ।
ସେ କହୁଥିଲେ- ନୀରବତା ଆମର ପ୍ରକୃତ ଗୁରୁ । ନୀରବତା ମଧ୍ୟରେ ହିଁ ଆମ ଭିତରେ ଲୁଚିଥିବା ସମସ୍ତ ସନ୍ଦେହ ଦୂରହୁଏ ଏବଂ ଏହି ନୀରବତା ମଧ୍ୟରେ ଆମେ ଶୁଣିପାରୁ ଭଗବାନ୍ଙ୍କ ସ୍ୱର । ତାଙ୍କ ଉଚ୍ଚାରିତ ଶବ୍ଦ ବେଶ୍ ପ୍ରାଚୀନ । କାହିଁ କେଉଁ ଅନାଦି କାଳରୁ ସେ କହିଆସୁଛନ୍ତି- ଉତ୍ତିଷ୍ଠ! ଜାଗ୍ରତ! ହେ ନିଦ୍ରିତ, ଜାଗ! ଉଠ! ଆଉ କେତେ ଦିନ ଅଜ୍ଞାନତାର ଅନ୍ଧକାର ଭିତରେ ଘାଣ୍ଟିହେବ? ‘ଜାଗ୍ରତ ହୁଅ’ର ଅର୍ଥ ହେଲା: ଆମେ-ତୁମେ-ସମସ୍ତେ ମଣିଷମାନେ ପୃଥିବୀର ପ୍ରାଣୀ ନୁହେଁ କି ପାର୍ଥିବ ନୁହେଁ । ଆମେ ଏହି ବିଶ୍ୱର ନୁହେଁ । ଆମକୁ ଏଠାରେ ବଞ୍ଚିବାକୁ ହେବ; କିନ୍ତୁ, ଏଠାକାର ବିଷୟ ଭାବେ ନୁହେଁ । ଆମକୁ ନିଜ ନିଜର ଦୈନନ୍ଦିନ ଜୀବନର କାର୍ଯ୍ୟ କରିବାକୁ ହେବ; କିନ୍ତୁ, ମନକୁ ସ୍ଥିର ରଖିବାକୁ ହେବ, ପ୍ରଭୁଙ୍କ ଶ୍ରୀଚରଣରେ । ନିଜ ମଧ୍ୟରେ ଭଗବାନ୍ଙ୍କ ଉପସ୍ଥିତିକୁ ନିଶ୍ଚିତ ଭାବେ ଅନୁଭବ କରିବାକୁ ପଡ଼ିବ; ଯେହେତୁ ସେ କେଉଁଠି ଦୂରରେ ନାହାନ୍ତି; ଅଛନ୍ତି ଆମ ଭିତରେ, ପୁଣି ଆମ ସଙ୍ଗରେ । ଭଗବତ୍ ସତ୍ତାକୁ ନିଜ ଭିତରେ ଅନୁଭବ କରିବା ପାଇଁ ପୂଜା-ରୀତି-ନୀତି-ଉତ୍ସବ-ଅନୁଷ୍ଠାନ ଆଦିର କୌଣସି ପ୍ରୟୋଜନ ନାହିଁ । କେବଳ ଆବଶ୍ୟକ ସ୍ନେହ, ଭକ୍ତି ଓ ଶିଶୁସୁଲଭ ବିଶ୍ୱାସ । ଛୋଟ ପିଲାମାନେ ନିଜ ନିଜର ପିତା-ମାତାଙ୍କ ନିକଟକୁ ଯିବା ପରି, ଆସ ଭଗବାନ୍ଙ୍କ ନିକଟକୁ ଯିବା । ଆମର ସମସ୍ତ ସମସ୍ୟା ଓ ଆବଶ୍ୟକତା ତାଙ୍କ ପାଖରେ ଅଳି କରିବା; ତାଙ୍କୁ ମାଗିବା । କେବଳ ସେ ହିଁ ସବୁ ସମସ୍ୟାର ସମାଧାନ କରିପାରିବେ ଏବଂ ଆମୁ ରକ୍ଷାକରିପାରିବେ ।
ଆହୁରି ମଧ୍ୟ କହୁଥିଲେ- ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାଧୁତା ଅବଲମ୍ୱନ କରିବା ପ୍ରକୃତ ସାଧକର କର୍ତ୍ତବ୍ୟ । ସାଧୁତା ବିନା ଭଗବାନ୍ଙ୍କ ପୂଜା-ଆରାଧନାରୁ କିଛି ବି ପ୍ରାପ୍ତ ହୁଏନାହିଁ । ପୁଣି, ପରୋପକାରୀ ହୁଅ; ସେବାରେ ଲାଗିରହ । ସଫଳ ଜୀବନ ପାଇଁ ସାଧୁତା, ଭଗବତ୍ ଆରାଧନା ଏବଂ ପରୋପକାର ଜରୁରୀ । ସଂସାରୀମାନଙ୍କୁ ଜୀବନରେ ରୋଜଗାର କରିବାକୁ ପଡ଼େ । ଆଉ ଉପରୋକ୍ତ ତିନିଟି ଜିନିଷ ହେଉଛି ପ୍ରକୃତ ରୋଜଗାର । ଏହି ତିନିଟି ମୂଲ୍ୟବାନ୍ ରତ୍ନ ଭଳି । ସାରା ଜୀବନକୁ ଶାନ୍ତି ଓ ଆନନ୍ଦ ମଧ୍ୟରେ କଟାଇବା ପାଇଁ ଏହି ତ୍ରିରତ୍ନ ଆହରଣ କର । ତ୍ରିରତ୍ନକୁ ସାଇତି ରଖିଲେ ପରମ ମଙ୍ଗଳ ସାଧିତ ହେବ ।
– ସିନ୍ଧୁଜ୍ୟୋତି ତ୍ରିପାଠୀ
Comments
ସିନ୍ଧୁଜ୍ୟୋତି ତ୍ରିପାଠୀ ଜଣେ ଓଡ଼ିଆ ସ୍ତମ୍ଭକାର । ସେ ଓଡ଼ିଆ ସମ୍ବାଦପତ୍ର “ସମ୍ବାଦ” ସଂସ୍ଥାର ଜଣେ ବେତନଭୋଗୀ କର୍ମଚାରୀ ।