କୋରୋନା: କିଛି କଥା କିଛି ବ୍ୟଥା

Corona Kichhi Katha Kichhi Byatha (କୋରୋନା: କିଛି କଥା କିଛି ବ୍ୟଥା) by Champakeswar Mahanta

ଯିବା ପାଇଁ ବାଟ ନାହିଁ
ତଥାପି ବି,
ପାଦ ଥକେ ହେଲେ ରାସ୍ତା ସରେ ନାହିଁ
ରାତିର ଅନ୍ଧାର ସହ ଆଶା ବି ମିଳାଏ
ବୁକୁଫଟା କୋହ ମନକୁ ଭିଜାଏ
ମୁଣ୍ଡର ବୋଝଠୁ ବଢ଼େ ପେଟର ଭୋକ
ମୁଁ ଦାଦନ ଶ୍ରମିକ !…

ହଜାରେ ମାଇଲ ଚାଲି
ପ୍ଲାଷ୍ଟିକ ଚପଲ ବି କାନ୍ଦେ
ଫୋଟକା ପାଦର ଜ୍ଵାଳା ଅଧାଖିଆ ପେଟ
ଶୁଖା ବିସ୍କୁଟ ଖଣ୍ଡେ ଆଉ ପାଣି ମୁନ୍ଦେ
ଦାଣ୍ଡରେ ଦେଖିଲେ କବାଟ ପଡ଼େ
ସତେ କି ସେ ଜଣେ ଆତତାୟୀ
ହେ କୋରୋନା,
ତୁମେ ହିଁ ବିଜୟୀ !…

ଜୀବନ ବାଟର ସାଥି
ଭଙ୍ଗା ସାଇକେଲ
ମରାମତି ପାଇଁ ବି ଏଠି ହୁଏ ମୂଲ
ଏ ଦୁନିଆରେ କଣ ମଣିଷ ନାହାଁନ୍ତି !
ଗାଁ ମୁଣ୍ଡ ମାଉସୀ,
ଗିଲାସେ ପାଣି ଆଉ ନିଏ କଥାରେ ଆଉଁସି
ହଁ ଦୁନିଆରେ ମଣିଷ ବି ଅଛନ୍ତି !…

ଚାଲୁ ଚାଲୁ ଟଳି ପଡ଼େ
କେବେ ଯେ ଶିକାର ହୁଏ ଲୌହ ଦାନବର
ସବୁଆଡ଼େ ହାହାକାର ସବୁ ନିର୍ବିକାର
ହେ ପ୍ରକୃତି,
ତୋର ଏ କି ଅତ୍ୟାଚାର !!!…

– ଚମ୍ପକେଶ୍ୱର ମହାନ୍ତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...