କରୋନା ହଟାଅ

Odia Poem Corona Hatao (କରୋନା ହଟାଅ) by Kuna Kumar Das

ପିଶାଚ ସାଜିଛି କରୋନା ରାକ୍ଷସ
ଧରି ଅଦୃଶ୍ୟ ବେଶ,
ପ୍ରଥମଠୁ ଯାଇ ଦ୍ଵିତୀୟକୁ ଗ୍ରାସେ
ସେଠୁ ଖୋଜେ ସାମବେଶ ।

ବିନା ଅସ୍ତ୍ରରେ ବିନା ଗର୍ଜନରେ
ଚଳାଏ ଅଦୃଶ୍ୟ ଗୁଳି,
ସାରା ବିଶ୍ୱର ଅସହାୟ ପ୍ରାଣ
ପଡ଼େ ନିତି କେତେ ଟଳି ।

ତା’ର ବିରୁଦ୍ଧରେ ଏକ ସାରା ବିଶ୍ୱ
ବାସ୍ତବ ଏ ବିଶ୍ୱ ଯୁଦ୍ଧ,
ପରମାଣୁ ବୋମା କାମ କରୁନାହିଁ
କା’ ପାଖେ ନାହିଁ ଆୟୁଧ ।

ମନୁଷ୍ୟ ତାହାକୁ ସାମନା ଯୁଦ୍ଧରେ
ପାରିବନି ବୋଲି ଜାଣି,
ଉଲ୍ଲସିତ ମନେ ଦେଶ ଦେଶ ବୁଲେ
ମାରଇ କେତେ ଫୁଟାଣି ।

ମଣିଷର ବୁଦ୍ଧି ହାତୀର ବଳକୁ
କଳି କି ପାରିବ ସିଏ,
ତା’ର ମୃତ୍ୟୁଭେଦ ଖୋଜି ପାରି ନର
ସଭିଙ୍କୁ ବୁଝାଇ ଦିଏ ।

ସ୍ପର୍ଶ ତାହାର ମୁଖ୍ୟ ପରିବାହୀ
ସବୁ ଲୋକ ରଖ ମନେ,
ପରସ୍ପର ସହ ଦୂରତାକୁ ମାପି
ଛଅ ଫୁଟେ ରହ ଜଣେ ।

ବିନା ଜରୁରୀରେ ଘରୁ ନ ବାହାର
ଘରେ କର ତାଲା ବନ୍ଦ,
ଖୋଜି ଖୋଜି ବୁଲୁ କରୋନା ରାକ୍ଷସ
ନ ବାରି ପାରୁ ହେ ଗନ୍ଧ ।

ସରକାର ଚେଷ୍ଟା କରେ ପ୍ରାଣପଣେ
କର ଟିକେ ସହଯୋଗ,
ଟିକେ କଷ୍ଟ ସହ ଘରେ ଲୁଚି ରୁହ
ହାରିବ କରୋନା ରୋଗ ।

କରୋନା ଉପରେ ନଜର ରଖିଛି
ରାସ୍ତାରେ ପୁଲିସି ଭାଇ,
ନିଜ ଜୀବନ ଓ ନିଜ ପରିବାର
ସବୁ ଜଳାଞ୍ଜଳୀ ଦେଇ ।

ସେମାନଙ୍କ ଇଚ୍ଛା ସେମାନଙ୍କ ଗାଳି
ଆମେ ଟିକେ ଗଲେ ମାନି,
କରୋନା ରାକ୍ଷସ ଅବଶ୍ୟ ମରିବ
ମରିବ ତା’ ସଇତାନି ।

କରୋନାଠାରୁ ଯେ ଘାଇଲା ହୋଇଛି
ସମ୍ଭାଳେ ଡାକ୍ତର ଭାଇ,
ଜୀବନକୁ ବାଜି ଲଗାଇ ସାହାଯ୍ୟ
କରନ୍ତି ନର୍ସ ଧାଈ ।

ମିଡ଼ିଆ ବନ୍ଧୁ ମୋ କେମେରାରେ ଖୋଜେ
ଉପସ୍ଥିତି କରୋନାର,
ଭୀମଭୋଇ ଗୀତେ ନିଜକୁ ହଜାଇ
(ମୋ ଜୀବନ ପଛେ…………ଜଗତ ଉଦ୍ଧାର ହଉ)
ରଖଇ ତା’ଠି ନଜର ।

ସରକାର ଆଉ ପୋଲିସି ଡାକ୍ତର
ସଭିଙ୍କୁ ସମ୍ମାନ ଦେଇ,
ଗରିଲା ଯୁଦ୍ଧରେ କରୋନା ନାଶିବା
ନିଜ ଘରେ ଲୁଚି ରହି ।

ତୁମକୁ ତୁମର ବାପା ମାଆ ରାଣ
ଆଉ ରାଣ ଜଗନ୍ନାଥ,
ଘରୁ ଯିବା ନାହିଁ ଜରୁରୀ ନଥିଲେ
ଆଜି ହିଁ କର ଶପଥ ।

– କୁନା କୁମାର ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...