ଆଶା, ଅଭିଳାଷା, ଅଭିଯୋଗ କେତେ ଆସେ ଜୀବନ ପଥରେ,
ତଥାପି ଭୁଲିନି ତୁମକୁ ମୁଁ ଆଜିର ସପନରେ ।
ସପନର ବଣିକ ସାଜି ଆସିଥିଲ ମୋ ମନେ,
ହେଲେ କହିବାକୁ ଡର ଲାଗେ ସତ କଥା ତୁମ କାନେ ।
ସବୁ ବୁଝି ନବୁଝିଲା ପରି ଅଭିନୟ କରି,
ସୃଷ୍ଟି କଲ ମନେ କେତେ ଆଶା ଅସୁମାରୀ ।
ଆଉ ସାହସ ନାହିଁ କହିବାକୁ ସବୁ ସତ,
କାରଣ କରୋନାର କରାଳ ପରିସ୍ଥିତି କରିଛି ମର୍ମାହତ ।
ଧରାପୃଷ୍ଠର ସମଗ୍ର ଦେଶ, ରାଜ୍ୟ ଓ ସହର,
କରୋନାର କାୟା ବୁକୁରେ ସବୁ ଥରହର ।
ବିଶ୍ୱ ଇତିହାସର ପ୍ରଥମ ଏ ସଙ୍ଗିନ ଦୃଶ୍ୟ,
ସତମିଛ କରି କିଛି ଦେଶ କଲେ ପରିହାସ ।
ଆମେରିକା, ଫ୍ରାନ୍ସ, ଇଟାଲୀ ପରି ଉନ୍ନତ ରାଷ୍ଟ୍ର,
ଲୋକଙ୍କ ଅଦିନିଆ ଦୁର୍ଦ୍ଦଶା ଦେଖି ହେଲେ ଏକତ୍ର ।
ସାଜସଜ୍ଜା ହୋଇ ରୂପ ନେଲା ମହାମାରୀ,
ସେ ରୂପ ସାଜିଛି ମାନବ ଜାତିର ବଇରୀ ।
ନାହିଁ ଯେ ଏହାର ପ୍ରତିଷେଧକ ଟିକା ଜାଣି,
ସାଧାରଣ ସଭା ସମିତିରେ ପଡ଼େ ଭାଳେଣୀ ।
ଥଣ୍ଡା, ଜ୍ୱର, କାଶ ଏହାର ଅତି ଆପଣାର,
ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ ଦୁଇଗୁଣର ।
ଦୁର୍ବଳ ଘ୍ରାଣ-ସ୍ୱାଦ ଏହାର ଲକ୍ଷ୍ୟଣ,
ପ୍ରତି ମୁହୁର୍ତ୍ତରେ ଚାଲିଯାଏ କିଛି ପ୍ରାଣ ।
ଲୁଚା ଲକ୍ଷଣ ପାଲଟିଛି ସମସ୍ତଙ୍କ ପାଇଁ କାଳ,
ଛାଇଁ ଛାଇଁ ବ୍ୟାପି କରେ ଲୋକଙ୍କୁ ବ୍ୟାକୁଳ ।
ସଂକ୍ରମଣର ଭୟ ଓ ଦ୍ୱନ୍ଦ ଭାବନା ଘେରିଲା ହୃଦୟକୁ,
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନେଲା ପଦକ୍ଷେପ ୟାକୁ କାବୁ କରିବାକୁ ।
କି ହୋଇବ ଥିଲେ ଧନ ଦଉଲତ ଅସରନ୍ତି,
ଯଦି ପ୍ରାଣ ଗଲାବେଳେ ପାଖେ ଆପଣାର ନଥାନ୍ତି ।
ଉହାନର ଇଲାକାରେ ଉତ୍ପତ୍ତି ଏହି ଭୂତାଣୁ,
ସାରା ବିଶ୍ୱ ଅର୍ଥନୀତିକୁ କରିଛି ସ୍ଥାଣୁ ।
ଡଲାର ପଛେ ଟଙ୍କା ଚାଲେ ଟଳମଳ,
ବେପାର ବାଣିଜ୍ୟ ହେଲା ଅଚଳଅଥଳ ।
ଭୂଗୋଳ ମାନଚିତ୍ରର ୧୩୨ କୋଟିର ଦେଶ,
ଅପେକ୍ଷାର ଅବସାନ କରି କରୋନା କରେ ପ୍ରବେଶ ।
ହେବା ପୂର୍ବରୁ ଦେଶର କ୍ରାନ୍ତିକାରୀ ବର୍ବାଦୀ,
କିଛି କଠୋର ପଦକ୍ଷେପ ନିଅନ୍ତି ମୋଦି।
ଉଙ୍କିମାରେ ମନେ ନାନାଦି ପ୍ରକାର ପ୍ରଶ୍ନବାଚୀ,
ଘଟଣାବଳୀ ବିବରଣୀ ବଖାଣନ୍ତି ବାଗଚୀ ।
ଜନସମାଗମ କାବୁ କରିବା ହୁଏ କଠିନ,
ଦେଖିବାକୁ ବାକି ଥିଲା ଏପରି ଦୁର୍ଦ୍ଦିନ ।
ଘୋଷଣା ହେଲା ୨୧ ଦିନର ଲକଡାଉନ୍,
ପିଲାଠୁ ବୁଢା ଘରେ ଶୁଣେ ‘ଡାଉନଟାଉନ୍’ ।
୨୦୨୦ ମାର୍ଚ୍ଚର ଏ ଥିଲା ଏକ ବଡ଼ ନିଷ୍ପତ୍ତି,
ଗୃହବନ୍ଦୀ ହୋଇଣ ସଭିଏଁ ହେଲେ ଆଶ୍ୱସ୍ତି ।
ବହୁ ସମସ୍ୟାର ସମ୍ମୁଖୀନ କରି,
ଫେରନ୍ତି ଲୋକେ ସାତ ଦରିଆ ପାରି ।
ଟିକକ ଆହାର ପାଇଁ କରେ ଯେ କଠିନ ପରିଶ୍ରମ,
ସେ ବି କରେ ସରକାରୀ ନିୟମକୁ ସମ୍ମାନ ।
କାମ ନ ମିଳିଲେ ଗରିବ ମୁଖକୁ ନ ଯାଏ ଦାନା,
ତଥାପି ସାହସର ସହ ସ୍ଥିତିକୁ କରେ ସାମନା ।
ସରକାର କଲେ ଲୋକସମ୍ପର୍କ ସୂଚନା ଓ ବିଜ୍ଞାପନ ଜାରି,
ପଦାରେ ଅକାରଣେ ପାଦ ଥୋଇଲେ, ଦଣ୍ଡ ହେବ କାର୍ଯ୍ୟକାରୀ ।
ରାତି ଦିନ ଶୃଙ୍ଖଳାକୁ ବଜାୟ ରଖନ୍ତି ଦାୟିତ୍ବବାନ ପ୍ରହରୀ,
ସଚେତନ ଓ ସଜାଗ ନାଗରିକ ପରି ଘରେ ରହିବା ନିତ୍ୟାନ୍ତ ଜରୁରୀ ।
ମାମୁଁଙ୍କ ସହ ଛକାପଞ୍ଝା ଖେଳି କି ଲାଭ ମିଳଇ,
ସଂଗରୋଧ ହିଁ ଉପଚାର ରଖିଥା ଜାଣି ଭଉଣୀ ଭାଇ ।
ସ୍ୱାସ୍ଥ୍ୟକର୍ମୀ ନୁହଁନ୍ତି ସେ ତ ଭଗବାନଙ୍କ ଅବତାର,
ଭୁଲି ପରିବାର କଥା ରୋଗୀଙ୍କ କରନ୍ତି ସେବା ସତ୍କାର ।
କରୋନା ରୋଗୀଙ୍କ ସେବା ଆତ୍ମହୁତିଠୁ କିଛି କମ୍ ନୁହଁ ଜାଣି,
ତୀକ୍ଷ୍ଣ ଖଡ୍ଗ ଧାରରେ ନିର୍ଭୟରେ ଚାଲନ୍ତି ପୁଣି ।
ଆସେ ଯେବେ ସମାଜରେ ମହାମାରୀ ଆକସ୍ମିକ,
ମାନବ ସେବାର ଶତପୁଣ୍ୟ ଆପଣାନ୍ତି ଚିକିତ୍ସକ ।
ନିଷ୍ଠା ଓ ନିରବରତ ସେବାରେ ନିୟୋଜିତ ରହନ୍ତି ୨୪ ପ୍ରହର,
ରୋଗୀଙ୍କ ପରିବାର ପାଇଁ ରାମ ରହିମ ଅଟନ୍ତି ଡାକ୍ତର ।
ଟିଙ୍ଗ୍ ଟିଙ୍ଗ୍ ଶବ୍ଦରେ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରତି ହୁଏ କୃତଜ୍ଞତା ଜ୍ଞାପନ,
ଆଉକିଛି ଢ଼ଙ୍ଗ୍ ଢ଼ଙ୍ଗ୍ ଶବ୍ଦରେ କରନ୍ତି କରୋନାକୁ ଆବାହନ ।
ଜନସାଧାରଣଙ୍କ ବଳିଦାନ ନ ଯିବ କେବେ ବୃଥା,
ମାନି ଚଳିଲେ ନିୟମିତ ସରକାରଙ୍କ ସୂଚିତ କଥା ।
କରୋନା ଆସିଛି ବୋଲି ଚିନ୍ତାରେ ପଡ଼େ ମଣିଷ,
ପ୍ରକୃତି କହେ ଏଥିରେ ତିଳେ ହେଲେ ନାହିଁ ମୋର ଦୋଷ ।
ନୀରିହ ଜୀବନର ହତ୍ୟାକାରୀ ହୋଇ ମଣିଷ କରେ ସତ୍ୟାନାଶ,
ନିଜେ ଖୋଳିଥିବା କୂଅରେ ପଡ଼ି ହୁଏ ଏବେ ଅଣନିଃଶ୍ୱାସ ।
ଉନ୍ନତିର ପଥରେ ଚାଲୁଅଛି ବୋଲି କହୁଥିବା ଏ ମଣିଷ,
କେବେ ପଚାରିଛି ନିଜକୁ କ’ଣ କ’ଣ କରିଛି ସେ ସର୍ବନାଶ ।
ବିନା ଲହୁ-ଲୁହରେ କାନ୍ଦୁଛନ୍ତି ପୃଥିବୀ ମାତା,
ଭୁଲ କରିଛି କି ମଣିଷ ଜୀବନ ଦେଇ ଭାବୁଛନ୍ତି ଆଜି ବିଧାତା ।
କରୋନା ଯେ ଏକ ଭୟଙ୍କର ଅଦୃଶ୍ୟ କରାଳ ଆତତାୟୀ,
ସମୟ ସ୍ରୋତରେ ଭସ୍ମ ହୋଇବ, କାରଣ ସଂକଟ କ୍ଷଣସ୍ଥାୟୀ ।
ମାନବ ଜୀବନ ଦୁର୍ଲଭ ଯେ ସହଜେ ନ ହୋଇବ ବିନାଶ,
କରୁଥିଲେ ପୂଜା ପ୍ରକୃତି ମାଁର ବୁଝି କବିତାର ମର୍ମାଂଶ ।
– ସୁରଜ କୁମାର ପ୍ରଧାନ
Comments
ସୁରଜ କୁମାର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରରେ ଗପ ଓ କବିତା ଆଦି ରଚନା କରନ୍ତି ।