ଛୋଟ ମୋର ଗାଁ ମଧ୍ୟେ
ଅଛି ଆମ ଚାଳ ଘର,
ଉନ୍ନତିର ପଛେ ଥାଏ
କିନ୍ତୁ ମାନ ତା’ ଶ୍ରୀମନ୍ଦିର ।
ପାଞ୍ଚଟି ପିଞ୍ଜରା କାଠି
କରେ ତା’ ମସ୍ତକ ଆବୃତ,
ଛାଉଣିଆ ହାତେ ଥାଏ
ତା’ ସୁବର୍ଣ୍ଣ ନଡ଼ାର ମୁକୁଟ ।
ଲୋଡ଼ା ନାହିଁ ମୁକୁତା,
ରତ୍ନପଥର ଓ କୋହିନୂର ମଣି,
ବାସ୍ କେଇ ଖଣ୍ଡ ବାଉଁଶ,
ଶେଣି କାଣ୍ଡ ଆଦି
କରିପାରେ ତା’ ମସ୍ତକ ଛାଉଣି ।
ଲୋଡ଼ା ନାହିଁ ସୁନାର ଚାଦର
ତୋଳିବାକୁ ତା’ କିରୀଟ,
ମାତ୍ର କେଇଖଣ୍ଡ ଜହ୍ନି କଖାରୁ ଡେମ୍ଫ
ଆଙ୍କି ଦିଏ ତା’ ମଥାରେ ସୁଦର୍ଶନର ଚିତ୍ର ।
ଦରକାର ନାହିଁ ଚୂନ
ଶଙ୍ଖ ମଲମଲ ପଥର
ସେ ପଥରଠୁ ବି ବଳି
ତା’ ମାଟି, ବାଲି ଓ ଗୋବର ।
ଗଗନରେ ଧବଳ ବଉଦ
ଭାସି ଭାସି ଚାଲିଯାଏ ଏକା,
କିନ୍ତୁ ବର୍ଷାରେ ତା’ ମସ୍ତକ ଭେଦି ଉଠୁଥିବା ଧୁଆଁ
କରିଦିଏ ସବୁକୁ ଫିକା ।
ଅଟ୍ଟାଳିକା ଓ ପ୍ରାସାଦେ
ମିଳେନା କେଉଁଠି ଶାନ୍ତି,
ଚାଳ ଘରେ ତାହା ସହଜରେ ମିଳେ
ଇଏ ଅତୀତର ସୁଖ ଓ ଦୁଃଖ ଭିଜା ସ୍ମୃତି।
– ଚିତ୍ତରଞ୍ଜନ ବାରିକ
Comments
ଚିତ୍ତରଂଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।