ଚକୁଳି… ଏକ ମିଠା ଅଭିମାନ

Chakuli: Eka Mitha Abhimana (ଚକୁଳି... ଏକ ମିଠା ଅଭିମାନ) by Dr. Nilima Priyadarsini Mishra

ଛୋଟବେଳୁ ଚକୁଳି ପିଠା ସହ ଅଲଗା ସୂତାରେ ବନ୍ଧା ଥିଲା ସୁନୁ ଆଉ ସୁମିର ଛୋଟ ହୃଦୟ । ବଡ଼ ପରିବାର ବୋଲି ବୋଉ ଯେତେ ବିରି ଚାଉଳ ବତୁରେଇଲେ ବି ସମସ୍ତଙ୍କୁ ଯେ ଚକୁଳି ଅଣ୍ଟିବ ସେମିତି କେବେ ହୋଇନି । ଶେଷରେ ବୋଉ ଅଳ୍ପ ଅଟା ଆଉ ସୁଜି ଗୋଳେଇଦିଏ ଆଣରେ । ଆଉ ସେଇ ଚକୁଳିକୁ ବିକଳ ହୋଇ ଭାଗ ବସେଇବା ପାଇଁ ଚାହିଁ ରହିଥାନ୍ତି ଏଇ କୁନି କୁନି ଭାଇ ଭଉଣୀ ଦି’ଜଣ । ସୁମି ବୟସରେ ବର୍ଷେ ବଡ଼ ତା’ର ଭାଇ ସୁନୁ ଠାରୁ । କିନ୍ତୁ ସୁନୁ ଛୋଟବେଳୁ ଭାରି ଦୁଷ୍ଟ । ତାକୁ ବୋଉ ଯେତେ ଦେଲେ ବି ସବୁବେଳେ ତା’ର ନଜର ତା’ ନାନୀର ଚକୁଳି ପିଠା ଉପରେ । ବାସ ସେଇଠି କଥା ସରିଲା…

ଏମିତି କେବେ ହୋଇନି କି ଘରେ ଚକୁଳି ପିଠା ହେବ ଆଉ ଘରେ ମହାଭାରତ ହେବନି । ସେଇଥିପାଇଁ ସକାଳେ ଯେତେବେଳେ ବାପା ବୋଉକୁ ରାତିରେ ଚକୁଳି କରିବା ପାଇଁ କହିଲେ ବୋଉ ଆଗରୁ ଏଇ ଦୁଇ ଭାଇ ଭଉଣୀଙ୍କ କେମିତି ଆଜି ଝଗଡ଼ା ନହେବ ସେଇ ଚିନ୍ତାରେ ଥାଆନ୍ତି । ସେଦିନ ସନ୍ଧ୍ୟାରେ ଚକୁଳି ତିଆରି ଆରମ୍ଭ ହେଲା ବୋଉ ଆଗ ଆଗ ଭଲକରି ସୋରିଷ ତେଲ ଦେଇ ଆଉ ପିଆଜ ପକେଇ ସରୁ ସରୁ ଚକୁଳି ଦି’ଟା କଲେ ଆଉ ଦି’ଟା ଅଲଗା ଅଲଗା ଥାଳିରେ ନେଇ ସୁମି ଆଉ ସୁନୁ ପଢ଼ିବା ଘରେ ନେଇ ଦେଇ ଆସିଲେ । ଭାବିଲେ ଆଜି ଆରମ୍ଭରୁ ଦେଇ ଦେଲେ ସେ ଦୁଇଜଣ ଝଗଡ଼ା କରିବେନି ଆଉ ଝଗଡ଼ା କଲେ ବି ବାକି ଆଣରେ ପିଠା କରି ଦେଇଦେଲେ ଦୁଇଜଣ ଚୁପ ହୋଇଯିବେ । ହେଲେ ଯେତେବେଳେ ଚକୁଳି ଦେଖିଲା ସୁନୁ ସୁମିକୁ କହିଲା, “ନାନୀ ଚାଲେ ଆମେ ଆଜି ପ୍ରତିଯୋଗିତା କରିବା ।” ସୁମି ଆଶ୍ଚର୍ଯ୍ୟ ହୋଇ ପଚାରିଲା, “କି ପ୍ରତିଯୋଗିତା?” ସୁନୁ କହିଲା, “ଆମେ ଚକୁଳି ଖାଇବା ଦେଖିବା କାହାର ଆଗ ସରିବ? ଆଉ ଯାହାର ଆଗ ସରିବ ସେ ଯାହାର ବଳିଥିବ ତା’ ଭାଗ ବି ଖାଇବ ।” ସୁମି ତା’ ଭାଇ ସୁନୁର ଚାଲ୍ ବୁଝି ପାରିଲାନି । କହିଲା ହଉ ଚାଲେ କରିବା । ଏତିକି ଶୁଣି ସୁନୁ ଏକାଥରେ ଚକୁଳିକୁ ମୋଡ଼ି ଛୋଟ କରି ଏକାଥରେ ପାଟିରେ ପୁରେଇ ଚୋବେଇବାରେ ଲାଗିଲା । ଆଉ କହିଲା, “ଦେଖେ ନାନୀ ମୁଁ ଜିତିଗଲି ଏବେ ତୋ’ ଭାଗ ସବୁ ମୋର ।” ସୁମି ଏଇଆ ଶୁଣି ରାଗିକି ସବୁ ଏକା ସାଙ୍ଗରେ ଚକୁଳିକୁ ପାଟିରେ ପୂରେଇଦେଲା । ସୁନୁ ଆଉ କାଳ ବିଳମ୍ବ ନକରି ସେ ଘରର ଲାଇଟ ବନ୍ଦ କରି ସୁମିର ତଣ୍ଟି ଚିପିଦେଲା ।

ସୁମି ଜୀବନ ବିକଳେ ଚକୁଳି ପାଟିରୁ କାଢ଼ିଦେଲା । ଅନ୍ଧାରରେ କିଛି ଦିଶୁନଥିଲା । ତା’ପରେ ସୁନୁ ସୁମିର ତଣ୍ଟି ଛାଡ଼ିଦେଲା ଆଉ ଲାଇଟ ଲଗେଇଲା । ସୁମି କାନ୍ଦି କାନ୍ଦି ଯେତେବେଳେ ତଳେ ପଡ଼ିଥିବା ଚକୁଳିକୁ ଖୋଜୁଥିଲା ଦେଖିଲା ତା’ ଭାଇ ସୁନୁ ସେ ଚକୁଳିକୁ ଖାଇବାରେ ଲାଗିଛି । ଆଉ ସେପଟୁ ବୋଉ ଆସି ଏଇ ସବୁ ଦେଖି ଘର ବାହାରପଟୁ ହସି ଚାଲିଥିଲେ । ସେମିତି ପିଲା ଦିନ କଟିଗଲା ଚକୁଳି ପାଇଁ ଝଗଡ଼ା କରିକରି । ଆଉ ଆଜି ସୁମିର ଭାଇ ସୁନୁର ଚାକିରୀ ହୋଇଛି । ବୋଉ କାନ୍ଦ କାନ୍ଦ ହୋଇ ସୁମିକୁ କହୁଛି, “ଭାଇ ଯିବା ବେଳକୁ ଗୋଟେ ଚକୁଳି ତାୱାରେ ପକେଇ ଓଲଟେଇ ଦେବୁ ।” ସୁମିର ମନ ସେଇଥିପାଇଁ ଗୋଳେଇ ଘାଣ୍ଟି ହେଉଛି । ଯେତେ ହେଲେବି ସୁନୁ ତା’ରି ଭାଇ, ହେଲେ ସେ ଯିବା ବେଳକୁ ସୁମି ଟିକେ ଦେଖିବନି । ରୋଷେଇ ଘରେ କ’ଣ ତା’ର ମନ ଲାଗିବ? ତଥାପି ସମସ୍ତେ କୁହନ୍ତି ଚକୁଳି ଓଲଟେଇ ଗଲେ ପୁଣି ଘରକୁ ଜଲଦି ଫେରନ୍ତି । ବାସ୍ ଖାଲି ସେଇ ଆଶାରେ ନିଜର ଆଖିଲୁହକୁ ପୋଛି ପୋଛି ରୋଷେଇ ଘରେ ଚକୁଳି କରିଲା ସୁମି । ସେତେବେଳେ ତା’ ଭାଇ ଘରୁ ଯିବାକୁ ବାହାରିଲାଣି । ସେଦିନ ସୁମି ଭାବୁଥାଏ ଜଲଦି ତାୱାଟା ତାତି ଯାଆନ୍ତା କି ! ସେ ଜଲଦି ଚକୁଳି ଓଲଟେଇ ଦେଇ ଆସନ୍ତା । କିନ୍ତୁ ତା’ ମନରେ ଏଇ ଡର ବି ଥାଏ କାଳେ ଚକୁଳି ଓଲଟିବନି ଭଲସେ… କାଳେ ତା’ ଭାଇ ସୁନୁର କିଛି ଅସୁବିଧା ହେବ… ସେଇ ଡରରେ ଚକୁଳି ଭଲରେ କରି ଲେଉଟେଇଲା । ଆଉ ଦୌଡ଼ି ଆସିଲା ଘର ବାହାରକୁ… ସେତେବେଳକୁ ତା’ ବାପା ଆଉ ଭାଇ ଗାଡ଼ିରେ ଗାଁ ମନ୍ଦିର ପାର ହୋଇଯାଇଥିଲେ । ସେଦିନ ବହୁତ କାନ୍ଦିଲା ସୁମି ଆଉ ବେଶୀ ରାଗିଥିଲା ସେଇ ଚକୁଳି ଉପରେ । ଆଉ ଆଜିଯାଏଁ ବି ସେ ଚକୁଳି କରିବା ପାଇଁ ଆଉ ଖାଇବା ପାଇଁ ଇଚ୍ଛା ହୁଏନି । କାଇଁକି କେଜାଣି ସେବେଠୁ ଚକୁଳି ଯେମିତି ତା’ ଭାଇ ଭଉଣୀର ଭଲପାଇବା ପାଇଁ ସାଜିଛି ଗୋଟେ ଅକୁହା ବେଦନା ଆଉ ଅଭିମାନ ।

– ଡ. ନୀଳିମା ପ୍ରିୟଦର୍ଶିନୀ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...