ମୁଁ ବିଶ୍ୱ ବିଜୟୀ ଥିଲି
କେବେ କାହାଠାରୁ
ନହାରିବାର ପଣ ନେଇ,
ହଠାତ୍ ଦିନେ ଚଣ୍ଡାଶୋକ ପରି
ନିଜ ଠାରୁ ନିଜେ ହାରିଗଲି ।
ସବୁରି ଉର୍ଦ୍ଧରେ
ଗଗନକୁ ଛୁଇଁବାର ବେଳେ
ହଠାତ୍ ଲାଗିଲା
ମୁଁ ଯେ ରସାତଳେ ଥିଲି ।
ସବୁ ଦମ୍ଭ ଝଣ ଝଣ କରି ଭାଙ୍ଗିଗଲା
ପତଳା କାଚର ପାଚେରୀ ଯେମିତି,
ସଂସାରର ସବୁ କିଛି
ହାସଲ କରି ନେବାର ମୋ ଜିଦ୍
ନିଜ ପାରିବାପଣର ଦମ୍ଭ
ଚୁରମାର ହୋଇଗଲା ।
କାହାର ଗୋଟିଏ ନାହିଁରେ,
ସତେ ଅବା ଝରି ଗଲା ଅହଙ୍କାର ମୋର,
ଝିରି ଝିରି କରି ଖସିଗଲା,
ବନ୍ଦ ହାତ ମୁଠାରୁ ଚୋରା ବାଲି ଯେତେ
ଚେନାଏ ବି ବଞ୍ଚିଲାନି ହାତ ପାହାନ୍ତାରେ ।
କେବେ ନିଜ ଉପରେ ବିଶ୍ୱାସ ଥାଏ
ଆଉ କେବେ ଭାଗ୍ୟ ଆଉ ଭଗବାନ
ମାନି ନେବାକୁ ମନ ବାଧ୍ୟ ହୁଏ,
ବୁଝି ହୁଏନା,
ସବୁ ଏଠି ଆପେ ଆପେ ହୁଏ
ଅବା ସବୁ ସଫଳତା
ଉଦ୍ୟୋଗୀ ମଣିଷର ଭରସାରେ ଥାଏ?
ଜୀବନଟା ଅବୁଝା ଗଣିତଟିଏ,
ଫର୍ଦ୍ଦ ଫର୍ଦ୍ଦ କାଗଜ ସରି ଯାଏ
ମିଶାଣ ଫେଡ଼ାଣ,
ଗୁଣ ଆଉ ଗୁଣିତକ ସଂଖ୍ୟା ପାଇବାରେ,
ସବୁ କିଛି ଦେଲା ନେଲାପରେ
ଜୀବନର ଭାଗଶେଷ
ଶୂନ୍ୟରୁ ଆରମ୍ଭ ହୋଇ
ଶୂନ୍ୟରେ ଶେଷ ହୋଇଯାଏ ।
– ବିନୟ ମହାପାତ୍ର
Comments
ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।