ବିଡ଼ମ୍ବନା

Bidambana

ଦୁଃଖ ସୁଖ ସେଇ ଜଣଙ୍କ ହାତରେ
ମଣିଷ ନିମିତ୍ତ ମାତ୍ର ।
ଜନମ ମରଣ ହିସାବ ତା’ପାଶେ
ସଂସାର ରୀତି ବିଚିତ୍ର ।

ସତୀଦାହ ପ୍ରଥା ଉଚ୍ଛେଦ ହୋଇଲା
ସମାଜ ସୁଧାର ହେଲା ।
ନାରୀ ନିର୍ଯ୍ୟାତନା ସେହିଦିନ ଠାରୁ
କିଛିଟା ଲାଘବ ହେଲା ।

ନାରୀ ବିନା ସବୁ ଅସମ୍ପୂର୍ଣ୍ଣ ହୁଏ
ସବୁଥିରେ ସିଏ ଲୋଡ଼ା ।
ତା’ ଶଙ୍ଖା ସିନ୍ଦୂର ହଜିଯାଏ ଯେବେ
ଲାଗଇ ନାରୀ ଅଲୋଡ଼ା ।

‘ଅ’ ଅକ୍ଷରଟିଏ ସବୁଠାରେ ଲାଗି
ଅସଜଡ଼ା କରିଦିଏ ।
ବଞ୍ଚିବା ମରିବା ସମାନ ତାପାଇଁ
ଏମିତି କାହିଁକି ହୁଏ?

ସ୍ମଶାନ ଜୁଇରେ ଥରେ ଜଳିଥିଲେ
ସବୁ ଦୁଃଖ ସରିଥାନ୍ତା
ବଞ୍ଚି ଥାଉ ଥାଉ ସବୁଦିନ ଆଉ
ଆତ୍ମାକି ତା’ର ଜଳନ୍ତା?

ନୀତି ନିୟମରେ ବନ୍ଧା ହୋଇ ଆଉ
ପ୍ରଶ୍ନବାଚୀ ନ ହୁଅନ୍ତା ।
ସତୀ ଆଖ୍ୟା ପାଇ ମହା ଆନନ୍ଦରେ
ସୁଖ ନିଦ୍ରାରେ ଶୁଅନ୍ତା ।

କ୍ଷଣିକରେ ଦୁଃଖ ସୁଖ ନେଇଆସେ
ଦାଉ ଦାଉ ଜଳିଥାଏ ।
ନିଷ୍ଠୁର ଦୁନିଆ ଦାଉ ସାଧୁ ଅଛି
ନିନ୍ଦା ତାକୁ ଦେଉଥାଏ ।

ଦରଦୀ ମନ ତା’ ଖୋଜି ବୁଲୁଥାଏ
ପ୍ରକୃତର ବନ୍ଧୁଟିଏ ।
ବନ୍ଧୁବୋଲି ଯିଏ ହାତ ବଢ଼ାଇବ
ନିନ୍ଦାଟି ପାଇବ ସିଏ ।

ମାନବ ଜୀବନ ବହୁ ମୂଲ୍ୟବାନ
ସତ ପଥେ ଯାତ୍ରୀ ହେବା ।
ବିବେକ ବୁଦ୍ଧିକୁ ଖଟେଇ ପାରିଲେ
ସୁନାମ ନିଶ୍ଚେ ପାଇବା ।

ଜୀବନ ସାର୍ଥକ ହୋଇବ ଆମର
ଯଦି ପରଚର୍ଚ୍ଚା ନକରିବା ।
ମାନବୀୟ ଗୁଣ ପରିପ୍ରକାଶିଲେ
ଶ୍ରେଷ୍ଠ ଆଖ୍ୟା ପାଇଯିବା ।

ଏମିତି ବି ହୁଏ ଯେତେ ଯାହା କଲେ
ଶ୍ରେଷ୍ଠ ଆଖ୍ୟା ମିଳେ ନାହିଁ ।
ଦାନବ ଗୁଣର ସମାଜ ଆଖିରେ
ସତ୍ୟ ଭିକ୍ଷା ମିଳେ ନାହିଁ !

– ଶ୍ରୀନିବାସ ସାମଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...