ହିସ୍… ହିସ୍… । ନିସ୍ତବ୍ଧ ରାତିରେ ଧରିଣୀ ପୃଷ୍ଠରେ ଅମାବାସ୍ୟାର ଅନ୍ଧକାର ସମସ୍ତ ଆଲୋକକୁ ବିତାଡ଼ିତ କରୁଥିଲା । ମୁଁ ଏବଂ ମୋ ସାଙ୍ଗ ରିତେଶ ନଦୀ ପଠାରେ ବୁଲୁଥିଲୁ । ଠିକ୍ ସେହି ସମୟରେ ରିତେଶ୍କୁ ଗୋଟିଏ କଲ୍ ଆସିଲା । କଲ୍ ଉଠେଇବା ପାଇଁ କହିଲି ରିତେଶ୍କୁ, ମାତ୍ର ମନାକଲା, କହିଲା ବୋଧେ ତା’ ବାପାଙ୍କ କଲ୍ ଆସିଥିବ । ରାତିରେ ଖାଇସାରିଲି ନା ନାହିଁ ସେଥିପାଇଁ । ଘଟଣାଟି ହେଉଛି ୨୦୧୦ ମସିହା ମାଘ ମାସ ଅମବାସ୍ୟା, ସିନ୍ଧେକେଲା ନଦୀ ।
ନଦୀରେ ବୁଲୁବୁଲୁ ମଧ୍ୟରାତ୍ର ହୋଇଯାଇଥିଲା । ଦୁହେଁ ନିଜ କଥାରେ ମଜ୍ଜି ଯାଇଥିଲୁ । ସେହି ସମୟରେ କାହାର ଚପଲର ଶବ୍ଦ ଶୁଣାଗଲା, ଧୀରେଧୀରେ ବୃଦ୍ଧି ପାଇଲା ଶବ୍ଦ । ପଛ ପଟରୁ କେହିଜଣେ ମୋତେ ଧରିପକାଇଲା, ମୁଁ ଡରିଗଲି । ଅନ୍ଧକାର ଯୋଗୁଁ କିଛି ଜଣା ପଡ଼ୁନଥାଏ, ରିତେଶ୍ ମୋବାଇଲ୍ର ଲାଇଟ୍ରେ ଦେଖି ଚମକି ପଡ଼ିଲା । ଦେଖିଲା ନହିମ୍ ଆସିଛି, ନହିମ୍ ଆମ ସାଙ୍ଗ । ପରେ ତିନି ଜଣ ମିଶି ନଦୀର ବାଲିରେ କଥାବାର୍ତ୍ତା ହେଲୁ । ଏମିତି କଥା ହଉହଉ ରାତି ୧ଟା ବାଜିଲା । ଏହି ସମୟରେ ଚର୍ତୁଦିଗ ଅନ୍ଧକାରମୟ ହୋଇଯାଇଛି ।
ନଦୀ ପାଖରେ ଗୋଟିଏ ଭୁତବଙ୍ଗଳା ଥାଏ । ସେଠାକୁ ଯିବାକୁ ନହିମ୍ କହିଲା, ହେଲେ ରିତେଶ୍ ମନାକଲା । ମାତ୍ର ତାକୁ ଜୋର୍ କରି ନେଇଗଲୁ ସେଠାକୁ, ବଙ୍ଗଳାଟି ବାହାରୁ ବହୁତ ଘାତକ ଦେଖାଯାଉଥିଲା । ଭିତରକୁ ଯିବାକୁ ଡର ଲାଗିଲା ତଥାପି ଭିତରକୁ ଗଲୁ । କବାଟ ଖୋଲିବା ମାତ୍ରେ ଏକ ମୃତ କଙ୍କାଳର ଶବ ଆମ ଉପରେ ପଡ଼ିଲା । ଆମେ ଡରିଗଲୁ, ନିଜ ସାହାସ ସହ ଶବକୁ ତଳେ ପକେଇଲୁ ।
ପୁଣି ବଢ଼ିଲୁ ଆଗକୁ, ଆଗରେ ଗୋଟିଏ ତିନି ଧାରିଆ ରାସ୍ତା । ତିନି ଜଣ ଗୋଟିଏ ଗୋଟିଏ ରାସ୍ତାରେ ଗଲୁ । ରିତେଶ ନହିମ୍ ନିଜ ରାସ୍ତା ଛାଡ଼ି ମୋ ସହ ଗଲେ । ବାଟରେ ଲାଗିଲା ଯେମିତି କେହି ଆମକୁ ଫଲୋ କରୁଛି । କିଛି ବାଟ ଗଲା ପରେ ସବୁ ବନ୍ଦ ହୋଇଗଲା । ଖାଲି ଅନ୍ଧକାର । କିଛି ଶବ୍ଦ ଶୁଣାଗଲା । ଯେମିତି ଡାହାଣୀର ହସ, ଆମେ ଡରିଗଲୁ, ଧୀରେଧୀରେ ନୂପୁରର ଛମ୍ଛମ୍ ଧ୍ୱନି ଆମକୁ ବ୍ୟଥିତ କରିଦେଲା । ସତକୁ ସତ ଏକ ଧଳା ଶାଢ଼ିରେ ଡାହାଣୀଟି ଚାଲି ଆସୁଥିଲା ଆମ ଆଡକୁ । ତା’ ନୂପୁରର ଶବ୍ଦ ଭୟଙ୍କର ଥିଲା । ଏହି ସମୟରେ ଆଉ ଏକ ପ୍ରେତାତ୍ମା ଆମ ଆଡ଼କୁ ଆସିଲା । ଡରରେ ଥରୁଥିଲୁ ଆମେ, ପ୍ରେତାତ୍ମାଟି ରିତେଶ୍ର ଶରୀରରେ ପ୍ରବେଶ କଲା । ନହିମ୍କୁ ମାରିବା ପାଇଁ ଗଲା ମାତ୍ର ପାରିଲା ନାହିଁ । ନହିମ୍ ନିଜ ପକେଟ୍ରେ ଇସ୍ଲାମ୍ ବହି ରଖେ । ପ୍ରେତାତ୍ମା ତାକୁ ଛୁଇଁ ପାରିଲା ନାହିଁ । ନହିମ୍ ମୋତେ ବି ବଞ୍ଚାଇଲା । ଠିକ୍ ସମୟରେ ସକାଳ ହେବାକୁ ଲାଗିଲା । ଆମେ ବଙ୍ଗଳାରୁ ବାହାରି ଆସିଲୁ । ସୂର୍ଯ୍ୟୋଦୟର କିରଣ ସତେ ଯେପରି ନବ ଜୀବନ ପ୍ରଦାନ କରିଥିଲା ଆମକୁ । ସେହିଦିନ ଠାରୁ ରାତିରେ ଆଉ ବାହାରକୁ ବାହାରିଲୁ ନାହିଁ ।
– ଆୟୁଷମାନ ତ୍ରିପାଠୀ
Comments
ଆୟୁଷ୍ମାନ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।