ସେଦିନ…
ଝିପି ଝିପି ବର୍ଷା
ଶିରି ଶିରି ଶୀତୁଆ ପବନ
କୂଳୁ କୂଳୁ ଶବ୍ଦ
ଗୁଣୁ ଗୁଣୁ ଗୀତ
ରୁଣୁ ଝୁଣୁ ପାଉଁଜି
ଥିରି ଥିରି ପାଦ
ଦିକ୍ ଦିକ୍ ଦୀପ
ଫିକ୍ ଫିକ୍ ହସ
ଛନ୍ନ ଛନ୍ନ ମନ
ଫୁସଫୁସ କଥା
କିଟି ମିଟି ଅନ୍ଧାର..
ଭିନ୍ନ ଏକ ସ୍ପର୍ଶ
ଅଜବ ଏକ ଉନ୍ମାଦନା
କ୍ଷଣିକ ଉତ୍ତେଜନା
ଅଳ୍ପ ପ୍ରତିରୋଧ
ବେଶୀ ସମର୍ପଣ… !
ଉତ୍ତାଳ ଜୁଆର
ଲଙ୍ଘି ଯାଏ କୂଳ,
ମାଡ଼ିଯାଏ ବେଳାଭୂମି ।
ପରେ…
ଶାନ୍ତ ସମୁଦ୍ର
ସ୍ତବ୍ଧ ପୃଥିବୀ
ସ୍ଥିତପ୍ରଜ୍ଞ ଜଳରାଶି
ଚଳ ଚଞ୍ଚଳ ବେଳାଭୂମି ।
ଆଜି…
ମଥା ପିଟି କାନ୍ଦେ ଲହଡ଼ି
ସର୍ବନାଶ..! କିଏ କାହାକୁ କରିଛି
“ଭୁଲ” ଥିଲା କାହାର..?
ସବୁଦିନ ପରି କୁଳ ଛୁଇଁ ଫେରି ଯାଉଥିବା – ଲହଡ଼ି ।
ନା, ଜୁଆର ସାହାସେ ବିଶ୍ୱାସ ଭାଙ୍ଗି କୂଳଲଙ୍ଘି ଥିବା -ଅଶାନ୍ତ ସମୁଦ୍ର ।
ନା, ବିନା ପ୍ରତିବାଦେ ପ୍ରଶୟ ଦେଇଥିବା -ଶାନ୍ତ ବେଳାଭୂମି ।