ଭଗବାନ ତମେ ବି ଭୁଲ

bhagaban-tame-bi-bhul

ଏ କାହାଣୀର ନାଁ ଶୁଣି ଆପଣମାନଙ୍କୁ ଲାଗୁଥିବ ଏମିତି କେବେ କ’ଣ ହେଇପାରେ, ଯୋଉଠି ଭଗବାନ ବି ଭୁଲ ହେଇପାରନ୍ତି ! ଆଉ ତା’ଠୁ ଆଶ୍ଚର୍ଯ୍ୟର କଥା, କିଏ ସେ ମଣିଷ ଯେ ଭଗବାନଙ୍କୁ ଭୁଲ କହୁଛି? ନିହାତି ତା’ ମନରେ ବହୁତ ପାପ ଭରିକି ରହିଥିବ । ଏ କାହାଣୀ କାହା କଳ୍ପନାର ନୁହଁ, ଏ କାହାଣୀ ହେଉଛି ଗୋଟେ ଫୁଲ ପରି ନିଷ୍ପାପ ହୃଦୟ ଥିବା ଛୋଟ ଝିଅର ଜୀବନ କାହାଣୀ । ଯେଉଁଟି ସେ ଭଗବାନଙ୍କୁ ଭୁଲ କୁହେ ଆଉ ଦୋଷାରୋପ କରେ ଯେ ସେ କାଳେ ତାଙ୍କ କର୍ତ୍ତବ୍ୟର ବହୁତ ଅବହେଳା କରୁଛନ୍ତି । ଆହୁରି କୁହେ ବହୁତ ପାତରଅନ୍ତର କରୁଛନ୍ତି ଆଉ ବୁଝିବାର ଶକ୍ତି ଟିକେ ହେଲେ ବି ନାହିଁ ତାଙ୍କର । ସେଦିନ ଯେବେ ତାକୁ କାନ୍ଦି କାନ୍ଦି ଭଗବାନଙ୍କୁ ଗାଳି କରୁଥିବାର ଦେଖିଲି, ମୋ’ ପାଦ ବି ସେଇଟି ଅଟକିଗଲା କିଛି କ୍ଷଣ । ବୁଝିପାରୁନଥିଲି କଣ କହି ତା’ ମନକୁ ସାନ୍ତ୍ୱନା ଦେବି ।

କେତେ ବା ବୟସ ହେବ ତାକୁ, ଏଇ ୭-୮ ବର୍ଷର ଛୋଟ ଝିଅ । ଥରେ ଚାହିଁଦେଲେ, ତା’ ମୁଣ୍ଡକୁ ଟିକେ ନ ଆଉଁସି ରହିହେବନି । ତା’ ବିଷୟରେ ଶୁଣିଲେ କୋଉବି ହୃଦୟବାନ ମଣିଷ ତା’ ଆଗରେ ମୁଣ୍ଡନୁଆଇଁ ହିଁ ରହିବ । ସେଦିନ ସେ ଟିଭିରୁ ନ୍ୟୁଜ ଶୁଣିଛି କାଳେ ସାରା ପୃଥିବୀକୁ କେଉଁ ଏକ ଭୟଙ୍କର ରୋଗ ମାଡ଼ିଆସିଛି । ତା’ ନାଁ ପୁଣି କୋରନା । ସେବେଠୁ ସବୁଦିନ ଟିଭିରେ ଶୁଣୁଛି ପ୍ରତିଦିନ ଲକ୍ଷଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି ଆଉ ହଜାର ହଜାର ମରିଯାଉଛନ୍ତି । ବୈଜ୍ଞାନିକମାନେ ଔଷଧ ବାହାର କରିପାରୁନାହାନ୍ତି ବୋଲି ତା’ ମା’ଠୁ ଶୁଣିଛି । ଏ ଖବର ଶୁଣି ତା’ କଅଁଳ ହୃଦୟଟା ଭାଙ୍ଗି ପଡ଼ିଥିଲା, କ’ଣ କରିବ ବୁଝିପାରୁନଥିଲା । ଯେତେବେଳେ ଭାବୁଥିଲା ସେଇମାନଙ୍କ କଥା ଯୋଉ ମଣିଷ ମାନେ ମରିଯାଉଛନ୍ତି, ତା’ ଛାତି ଭିତରଟା କେଜାଣି କେଉଁ ଅଜଣା ଶିହରଣରେ ଥରିଯାଉଥିଲା । ଏମିତି ଭାବି ଭାବି ଶେଷରେ ନିଷ୍ପତି ନେଲା ଭଗବାନଙ୍କ ପାଖକୁ ଯାଇ ଗୁହାରି କରିବ । କାରଣ ତା’ ମା’ଠୁ ଛୋଟବେଳୁ ଶୁଣିଛି ଭଗବାନ ସବୁ ଜାଗାରେ ଅଛନ୍ତି । ଛୋଟ ପ୍ରହ୍ଲାଦକୁ ପୁଣି ସେ ହିଁ ତ ରକ୍ଷା କରିଥିଲେ ନରସିଂହ ରୂପରେ ! ହେଲେ ଗୋଟିଏ ଚିନ୍ତା ତା’କୁ ଖାଇ ଯାଉଥିଲା । ତା’ ମା’ କହୁଥିଲା ମଣିଷମାନେ ପ୍ରକୃତି ଉପରେ କାଳେ ବହୁତ ଅତ୍ୟାଚାର କରିଛନ୍ତି ଆଉ ସେଥିପାଇଁ ପ୍ରକୃତି ମା’ ଆଉ ଭଗବାନ ରାଗିଛନ୍ତି ମଣିଷମାନଙ୍କ ଉପରେ । ସେଇଥିପାଇଁ କୁଆଡ଼େ ମଣିଷମାନେ ଏମିତି ମରିଯାଉଛନ୍ତି । ତଥାପି ମନରେ ଆଶାରଖି ଭଗବାନଙ୍କ ପାଖକୁ ଯିବାକୁ ବାହାରିଲା । କାରଣ ସେ ନିଜେ ଯେବେଠୁ ଏ ଦୁନିଆକୁ ଟିକେ ଟିକେ ବୁଝିଛି, ପ୍ରକୃତିର ପ୍ରତିଟି ଉପାଦାନକୁ ହୃଦୟର ସହ ଭଲ ପାଇଛି । କେବେ ବି କାହାକୁ କଷ୍ଟ ଦେଲା ପରି କିଛି କାମ କରିନି । କେହି ଯେବେ କୋଉ ଗଛକୁ ଟିକେ ହାଣି ଦେଉଥିଲେ ତା’ ଆଖିରୁ ଆପେ ଆପେ ଲୁହ ଝରିଛି । ନ ହେଲେ ସେଦିନ ସେ ଫୁଲଗଛଟିକୁ ତା’ ବାପା ହାଣିଦେଲେ ବୋଲି ଦୁଇ ଦିନ ରୁଷି ନଥାନ୍ତା କି ଖାଇନଥାନ୍ତା ! କେତେ ମନେ ନ ପକେଇଛି ସେ ଗଛଟା କଥା !! ବାଡ଼ିର ସବୁ ଗଛ ସଙ୍ଗେ ତା’ର ସାଙ୍ଗ, ଆଉ ସେଥିପାଇଁ ତା ମା’ କୁହେ ପାଗେଳୀଟା କ’ଣ ଯାଇକି ଚୁପ ଚୁପ ସେ ଗଛମାନଙ୍କ ସହ କଥା ହଉଛି । ସେ କିନ୍ତୁ ଖୁସି ହୁଏ । ତାକୁ ଲାଗେ ସେ ଗଛମାନେ ତା’ କଥା ବୁଝିପାରୁଛନ୍ତି ଆଉ ଆଖି ମିଟି ମିଟି କରି ତାକୁ ଦେଖି ହସୁଛନ୍ତି । ନଦୀର ଶୀତଳ ଜଳକୁ କେତେଥର ତା’ ମଥାରେ ବୋଳି ଅସରନ୍ତି ଖୁସି ପାଇଛି, ଛୋଟଛୋଟ ଚଢ଼େଇମାନଙ୍କୁ ସବୁଦିନ ସକାଳୁ ଦାନା ଦେଇଛି ଖାଇବାକୁ । ପିମ୍ପୁଡ଼ି ଆଉ ଜନ୍ଦା ଉପରେ ବି ପାଦ ପକେଇ ମାରିବନି ବୋଲି ବହୁତ ଯତ୍ନର ସହ ପାଦ ପକାଇ ବାଟ ଚାଲିଛି ତ କେତେଥର ଆହତ ପଶୁପକ୍ଷୀଙ୍କ ସେବାକରି ତାଙ୍କୁ ଭଲ କରିଛି ।

ଏମିତି ମନେ ପକେଇ ଭାବିଲା, “ମୁଁ ତ ପ୍ରକୃତି ସାଥେ କେବେ ବି ଅନ୍ୟାୟ କରିନି ଆଜିଯାଏ । ତା’ ହେଲେ ପ୍ରକୃତି ମା’ ଆଉ ଭଗବାନ ମୋ ଉପରେ ରାଗିନଥିବେ । ମୁଁ ଗୁହାରି କଲେ ନିଶ୍ଚୟ ଶୁଣିବେ ।” ସେଥିପାଇଁ ସକାଳୁ ସକାଳୁ ବାହାରି ଯାଇ ଗୋଟେ ନିର୍ଜନ ଜାଗାରେ ବସି ଭଗବାନଙ୍କୁ ପ୍ରାର୍ଥନା କଲା । ସେ ଶୁଣିଛି ପ୍ରାର୍ଥନାରେ କାଳେ ବହୁତ ଶକ୍ତି ଯାହା କି ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବ । ସେ କୋମଳ ହୃଦୟରେ ଭକ୍ତିର ପ୍ରଦୀପ ଜଳାଇ ସେମିତି ପ୍ରାର୍ଥନା କରୁଥାଏ ସାରା ସୃଷ୍ଟିର ମଙ୍ଗଳ ପାଇଁ । ଯେଉଁଠି ଆମ ପୃଥିବୀର ବିଜ୍ଞ ମଣିଷମାନେ ବୃଥା ପ୍ରଳାପରେ ବ୍ୟସ୍ତ, ସେଇ ସମୟରେ ଛୋଟିଆ ଝିଅଟିଏ ପୃଥିବୀର ମଙ୍ଗଳ ପାଇଁ ନ ଖାଇ ନ ପିଇ ଭଗବାନଙ୍କ ପାଖେ ନିରନ୍ତର ପ୍ରାର୍ଥନା କରୁଥିଲା । ଏମିତି ଦୁଇ ଦିନ ବିତିଗଲା, ଘରଲୋକ ବିବ୍ରତ ହୋଇ ସବୁଆଡ଼େ ଖୋଜିବୁଲିଲେ ଆଉ ତାକୁ ଏମିତି ଅବସ୍ଥାରେ ପାଇଲେ ଦେଖିଲେ ଆଖିରେ ଲୁହ ରହିବନି । ବିଚାରି ଭଗବାନଙ୍କ ନାମ ଜପିଜପି ଆଖିର ଲୁହରେ ନିଜକୁ ଭିଜେଇ ଲୋଟିପଡ଼ିଛି ଭୂଇଁରେ । ବେହୋସ ହୋଇ ସେଇ ସ୍ଥାନରେ ପଡ଼ିଛି ଏକା ଏକା ।

ଭାଗ୍ୟବଳରେ ତାକୁ ଠିକ ସମୟରେ ଉଦ୍ଧାର କରାଯାଇଥିବାରୁ ଜୀବନ ତ ବଞ୍ଚିଗଲା, ହେଲେ ସେ ଯେତେବେଳେ ଆଖିଖୋଲି ଚାହିଁଲା ଆଉ ଜାଣିବାକୁ ପାଇଲା ସେ ଭୟଙ୍କର ରୋଗରେ ଏବେ ବି ସାରା ପୃଥିବୀ କବଳିତ, ଏବେ ବି ମଣିଷମାନେ ମରିଯାଉଛନ୍ତି ପ୍ରତି ମୁହୂର୍ତ୍ତରେ, ସେତେବେଳେ ସେ କାନ୍ଦି କାନ୍ଦି କହୁଥିଲା, “ମା’ ! ତମେ ତ କହୁଥିଲ ଭଗବାନ ପ୍ରାର୍ଥନା କଲେ ଡାକ ଶୁଣିବେ, ହେଲେ କାହିଁକି ମୋ ଡାକ ଶୁଣିଲେନି? ମୁଁ ତ କେବେ ବି ପ୍ରକୃତି ମା’ ଉପରେ ଅତ୍ୟାଚର କରିନି । ତା’ ହେଲେ ଏମିତି କଷ୍ଟ ମୋତେ କାହିଁକି ଦେଉଛନ୍ତି? ମୋରି ପରି ଛୋଟଛୋଟ ପିଲାମାନେ ଅକାରଣରେ ମରିଯାଉଛନ୍ତି କ’ଣ ପାଇଁ? ସେମାନେ ବି କ’ଣ ପ୍ରକୃତି ମା’କୁ କଷ୍ଟ ଦେଇଛନ୍ତି?? ଭଗବାନ ପରା ଭକ୍ତିରେ ଡାକିଲେ ସବୁ ଶୁଣିପାରନ୍ତି, ତା’ହେଲେ କାହିଁକି ଶୁଣିଲେନି ସେ ମୋ ଡାକ? ମା’ ! ତାହେଲେ ତମେ ଯୋଉ ଗୀତା ଭାଗବତର କଥା କୁହ, ସେସବୁ କ’ଣ ମିଛ?? ଯଦି ମିଛ ନୁହଁ ତା’ହେଲେ ଭଗବାନ ବି ଭୁଲ । ସେ ଯଦି କ୍ଷମାମୟ ତା’ହେଲେ ଏ ମଣିଷ ସମାଜକୁ କ୍ଷମା କାହିଁକି କରିଦଉନାହାନ୍ତି? ତାଙ୍କର ଯଦି ବିଶାଳ ହୃଦୟ ତା’ହେଲେ ସେ କ୍ଷମାପୂର୍ଣ୍ଣ ଆଖିରେ ଥରେ ଏ ଦୁନିଆକୁ କାହିଁକି ଚାହୁଁନାହାନ୍ତି? କାହିଁକି ଏତେ ଦହଗଞ୍ଜ ହେଇ ତିଳ ତିଳ ହେଇ ମଣିଷ ମରୁଛି? ଠାକୁର ପରା ସବୁ ବିପଦରୁ ଉଦ୍ଧାର କରନ୍ତି, ତା’ହେଲେ କାହିଁକି ବୈଜ୍ଞାନିକ ଆଉ ଡାକ୍ତରମାନଙ୍କୁ ବୁଦ୍ଧି ଦେଉନାହାନ୍ତି ଏ ରୋଗର ନିରାକରଣ ପାଇଁ? ମା’ ଲୋ ! ଯଦି ତମେ ଯାହା କହିଥିଲ ସେସବୁ ଯଦି ଠିକ, ତା’ହେଲେ ଭଗବାନ ଏମିତି ଅନ୍ୟାୟ କାହିଁକି କରୁଛନ୍ତି? ଭଗବାନ ବି ଭୁଲ କରୁଛନ୍ତି ମା । ଏତିକି କହି ରାହା ଧରି କାନ୍ଦୁଥିଲା କୁନି ଝିଅଟି । ତା’ ମାଆଙ୍କ ପାଖରେ କିଛି ଶବ୍ଦ ନଥିଲା ତାକୁ ସାନ୍ତ୍ୱନା ଦେବାକୁ । ସେ ବି ତା’ ସହିତ କହୁଥିଲେ, “ହଁରେ ମାଆ ଭଗବାନ ବି ବେଳେ ବେଳେ ଭୁଲ କରନ୍ତି…”

ସୁଶ୍ରୀ ସଂଗୀତା ପ୍ରିୟଦର୍ଶିନୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...