ଗୀତ ଶୁଭେ ଫୁଲ ବଉଳବେଣୀ
ଗୀତ ଶୁଭେ ଫୁଲ ବଉଳବେଣୀ

ଗୀତ ଶୁଭେ ଫୁଲ ବଉଳବେଣୀ

ବରଷାରାଣୀ ଯେ ବିଦାୟ ଘେନିଲା
ଧରାକୁ ଆସିଲା ଶରତ
ଆକାଶରେ ନାହିଁ ବାଦଲର ଛବି
ହସି ଉଠିଲାଣି ମରତ ॥୧॥

ନବପଲ୍ଲବରେ ଶିଶିର ବିନ୍ଦୁର
ଶୁଭଦୃଷ୍ଟି ଟିକେ ପଡ଼ିଲା
ସୁରୁଜ ମୁରୁଜ ବୁଣିଦେଲା ପରେ
ମୁକ୍ତା ବିନ୍ଦୁ ପରି ଦିଶିଲା ॥୨॥

ନଈଜଳ ଏବେ କାଚକେନ୍ଦୁ ପରି
ଦର୍ପଣ ପରାଏ ଦିଶୁଛି
ପଠା ଧାରେ ତା’ର କାଶତଣ୍ଡି ଫୁଲ
ସମୀର ପରଶେ ହସୁଛି ॥୩॥

ଶରତ ଋତୁରେ ରାଣୀଫୁଲ ଜହ୍ନ
ରୂପ ଦିଶେ ତା’ର କି ପରିଷ୍କାର
ରାତି ଶୋଭା ସତେ ଦିନ ପରି ଲାଗେ
ପ୍ରକୃତି ରୂପରେ କେତେ ସମ୍ଭାର ॥୪॥

କ୍ଷଣିକ ଆଶିଷ ଆଣିଛି ଶେଫାଳି
ଜୋଛନା ବାଜିଲା ତନୁରେ
ବୃକ୍ଷରେ ନରହି ଭୁପତିତ ହେଲା
ଲୋଟିଲା ଧରଣୀ ଉପରେ ॥୫॥

ଝରା ଶେଫାଳି ଯେ ରାତିର ରୂପସୀ
ଦିନ ଦେଖିବାରୁ ବଞ୍ଚିତ
ତଥାପି ଅପର ଖୁସି ପାଇଁ ସିଏ
ହୃଦୟ ଓ ମନେ ପୁଲକିତ ॥୬॥

ବାସନା ତାହାର ଭୁରୁଭୁରୁ ବାସେ
ଚଉଦିଗ ଚହଟିଗଲା
ଅଳପ ଆୟୁଷ ପାଇଛି ହେଲେ ବି
ସୁରଭିରେ ମନ ମୋହିଲା ॥୭॥

ମାଆ ଦୁର୍ଗାଙ୍କର ପୂଜାର ସମ୍ଭାର
କଲେ ଧରା ଅବତରଣ
ମହିଷାକୁ ବଧି ଧରା ଉଶ୍ୱାସିବେ
ହସିବ ମରତ ଭୁବନ ॥୮॥

ଶାନ୍ତି ବିରାଜିଲା ପ୍ରକୃତି ରାଇଜେ
ବିହଙ୍ଗ କଣ୍ଠରୁ ସଂଗୀତ
ଆମୋଦିତ କଲା କୁସୁମ ସୁବାସ
ତନୁ ମନ କଲା ହରଷିତ ॥୯॥

ରାତି ଜୋଛନାରେ ମନ ହରଷରେ
କୁମାରୀ ଗାଇଲେ ଗୀତ ରାଗିଣୀ
କୁଆଁର ପୁନେଇଁ ଇନ୍ଦୁ ଦେଖିଦେଇ
ଗୀତ ଶୁଭେ ଫୁଲ ବଉଳବେଣୀ ॥୧୦॥

କୁମାରୀ କଣ୍ଠରୁ ଗୀତ ଶୁଣିଦେଲେ
ଶଶୀ ଟିକେ ହୁଏ ଅଧିକ ଖୁସି
ସେହି ଖୁସିରେ ସେ ବୁଣି ଦେଇଥାଏ
ଜୋଛନା ଧଉତ କିରଣ ବେଶି ॥୧୧॥

ଶରତ ଜୋଛନା କୁମାରୀ ବନ୍ଦନା
ମାଆ ମହାଲକ୍ଷ୍ମୀ ମରତେ ଆସି
ପୂଜା ମଣ୍ଡପରେ ପୂଜା ପାଇଥାନ୍ତି
ଦେଖିଦେଲେ ମନେ ଆସଇ ଖୁସି ॥୧୨॥

କୁମାରପୂର୍ଣ୍ଣିମା ଶଶାଙ୍କ ବନ୍ଦନା
କରିଥାନ୍ତି ସବୁ କୁମାରୀଗଣ
ନୂଆ ଜାମା ପିନ୍ଧି ପାଳନ କରନ୍ତି
କୁମାର ଉତ୍ସବ ଯାହାର ନାମ ॥୧୩॥

ଜହ୍ନ ଆଲୁଅରେ ପୁଚି ଖେଳିବାରେ
ଝିଅମାନେ ସତେ କେତେ ବିଭୋର
ପାଦ ପାଉଁଜିର ସ୍ୱର ଓ ଝଙ୍କାର
କି ଉପମା ଅବା ଦେବା ତାହାର ॥୧୪॥

ଷଡ଼ଋତୁ ମଧ୍ୟେ ଶରତ ଋତୁ ଯେ
ସତରେ ଅଟଇ କି ମନୋହର
ପ୍ରକୃତି ରାଣୀ ବି ସଜ ହୋଇଯାଏ
ଖୁସିରେ ସିଏ ତ ଅତି ବିଭୋର ॥୧୫॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu