ରଙ୍ଗ ଅବିର ଧରି ମୋ ତନୁ
ପ୍ରାଙ୍ଗଣରେ ଆଶିଯା’ ଥରେ କହ୍ନେଇ ।
ତୋ’ ପ୍ରେମ ରଙ୍ଗରେ ରଙ୍ଗୀନ୍ କରିଦେ
ମୋ ଜୀବନର ଯମୁନା ନଈ ॥
ନାହିଁ ମୋର ମୀରା ପରି ଭାବ
ହୋଇ ପାରିବି ନାହିଁ ମୁଁ ରାଧା ।
ତଥାପି ସବୁ କଳଙ୍କ ମୁଣ୍ଡେ ବୋଳି ଦେବି
ନାହିଁ ମୋର ତିଳେ ଅସୁବିଧା ॥
ଶାଶୁ, ନଣନ୍ଦର ଝିଙ୍ଗାସ ହୃଦେ ପୋଛି ଦେବି
ତୋ’ ସାଥୀରେ କରିବି ମୁଁ ଦେଖା ।
ତୋ’ ଭାବରେ ବାନ୍ଧିଦେ ଥରେ
ମନରୁ ମୋର ଦୂର ହୋଇଯାଉ ସବୁ ଆଶଙ୍କା ॥
ଦୋଳ ବିମାନରେ ବସି ଆସିବ ବୋଲିି
ମୋ ହୃଦୟ କବାଟ ରଖିଛି ଫିଟା ।
ହୋଲିର ରଙ୍ଗରେ ତୋ’ ପ୍ରେମ ମିଶାଇ
ମୋ ମନରେ ଭରିଦେ ତୋ’ ପ୍ରେମ ଅବିର ଛିଟା ॥
ତୋ ପିରତୀ ମହୁରେ
ବିଦଗ୍ଧ ଆଜି ମୋର ମନ ।
ତୋ’ ରୂପକାନ୍ତିକୁ ଦର୍ଶନ ପାଇଁ
ଛଳ ଛଳ ମୋର ଦୁଇ ନୟନ ॥
ତୋ ବିହୁନେ କହ୍ନେଇ
ମୋ ହୃଦୟ ହୁଏ ଅଧିର ।
ମୋ ମନ ବୃନ୍ଦାବନେ ଆସିଯା’ ଥରେ
ମାଖିଦେବି ତୋ’ର ଶ୍ରୀମୁଖେ ଅବିର ॥
ତୋ ନାଆଁକୁ ନେଇ ମୋ ନାଆଁରେ
ଗାଆଁ ଦଣ୍ଡେ ବାଜୁ ନିନ୍ଦା ବାଜଣା ।
ଭାବର ରଙ୍ଗ ବୋଲିଦେ କହ୍ନେଇ
ଲୋକ ମୋତେ ଦିଅନ୍ତୁ ଗଞ୍ଜଣା ॥
– ଗଣେଶ ରାଉତ
Comments
ଗଣେଶ ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।