କୁଆଁ ତାରା ଉଇଁବାକୁ ଆହୁରି ଘଡ଼ିଏ ରାତି ଅଛି ବୋଧେ ! ଚାଉଁକିନା ନିଦ ଭାଙ୍ଗି ଗଲା । ହାତ ବୁଲାଇ ଆଣିଲା ବେଳକୁ ଦେହ ମୁହଁ ସବୁ ଝାଳ । ଏ ପର୍ଯ୍ୟନ୍ତ ସ୍ୱପ୍ନର ଆବେଗ କଟିନାହିଁ ବୋଧହୁଏ !! ରହି ରହି ବର୍ଷା ଅସରା ହେଲା ଭଳି ମନକୁ ଭିଜେଇ ଦେଉଛି ସ୍ୱପ୍ନର ବୃତ୍ତାନ୍ତମାନ । ମନ ଯେମିତି ଖୋଜି ବୁଲୁଛି ସ୍ୱପ୍ନର ସେଇ ଶୀହରଣମାନଙ୍କୁ… ସ୍ୱପ୍ନର ଢେଉକୁ ଓ ବେଳାଭୂମିରେ ମଥା ପିଟୁଥିବା ଢେଉମାନଙ୍କରୁ ଛିଟିକି ପଡ଼ୁଥିବା ଜଳକଣାମାନଙ୍କୁ । ଆହାଃ ! କେଡ଼େ ସୁନ୍ଦର ସେଇ ସପନର ସୋହାଗ… ଆଖି ଆଗରେ ଲହଡ଼ି ପରି ଭାସି ଯାଉଛି ସେଇ ମିଠା ମିଠା ସପନର ଅନୁପମ ଦୃଶ୍ୟମାଳା ସବୁ ।
ହେତୁ ପାଇବା ଦିନରୁ ପୁରସ୍ତମ ଠାକୁରଙ୍କ କଥା ଶୁଣିଛି । ବାପା, ବୋଉ ଆଉ କିଛି ଗାଁ ଲୋକଙ୍କ ସଙ୍ଗେ ପୁରସ୍ତମ ଯାଇ ଚକାଡୋଳାଙ୍କୁ ଦର୍ଶନ କରୁଛି । ସବୁ ଲୋକ ହାତ ଉଠାଇ ମହାପ୍ରଭୁଙ୍କୁ ଦେଖି ମୁଣ୍ଡରେ ମାରୁଛନ୍ତି । ପୁରସ୍ତମରୁ ଫେରିଛନ୍ତି । ବାପା ତା’ର, ଠାକୁରଙ୍କ ଫଟଟିଏ ଆଣି ଘର ଠଣାରେ ଚନ୍ଦନ ବୋଳି ପୂଜା କରୁଛି । ନିତିଦିନ ବହଳ ଚନ୍ଦନ ବୋଳାରେ ଅସ୍ପଷ୍ଟ ଦେଖାଯାଉଥିବା ଭାଇ, ଭଉଣୀଙ୍କ ସହ ଚକାଡୋଳାଙ୍କ ଫଟକୁ ଗାଧୋଇସାରି ଆସି ମୁଣ୍ଡିଆ ନ’ମାଇଲେ ପାଟିରେ ପାଣି ବାଜେ ନାହିଁ । ଚିଲିକା କୂଳ କାଣ୍ଡଗୋଦା ଗାଁ’ରେ ବାପା ତା’ର ବାହାଘର ବିନୋଦିଆ ସାଙ୍ଗରେ କରିଦେଇଛି । ଶାଶୁଘର ଆସିଲା ବେଳେ ଫଟକୁ ବାପାଠୁଁ ଆଣିଥିଲା । ନିଇତି ଗାଧୋଇ ଆସି ମୁଣ୍ଡିଆ ମାରୁଛି । ଧୀରେ ଧୀରେ ଅନୁଭବ କରିଛି ଏଇ ଠାକୁର ସବୁଠାରୁ ନିଆରା । ଥରେ ଦେଖିଦେଲେ ଭିତରଟା କେମିତି ଚହଲି ଯାଉଛି, ଆନନ୍ଦରେ ଭରି ଯାଉଛି । ତା’ ପାଖରେ ନିଜକୁ ସଅଁପି ଦେଲେ ସବୁ ଦୁଃଖ କଷ୍ଟ ଲାଘବ ହୋଇଯାଉଛି । ନିଜ ଭିତରେ ନିଜକୁ ଖୋଜିଲେ ବି ମିଳୁନି । ସବୁ ଚିନ୍ତା ଶୂନ୍ୟ । ଏମିତି ଭାବନାରେ ଛାତି ଭିତରେ ଚେଇଁ ଉଠିଛି ବାତ୍ସଲ୍ୟ ମମତା । ସରମ-ସଙ୍କୋଚରେ ଝାଉଁଳି ପଡ଼ିଛି, ଦେହରୁ ଝାଳ ବୋହିଯାଉଛି…
କର୍କଶ କଣ୍ଠର ସ୍ୱର ଶୁଣି ଚମକି ପଡ଼ିଲା “ମାଣିକ” । ପାଖରେ ଶୋଇଥିବା ତା’ ଗେରସ୍ତ ବିନୋଦିଆ କହୁଛି, “କ’ଣ ହେଲା? ଡରିଲୁ କିଲୋ ମାଣିକ? ତୋ’ ଦେହରୁ ଝାଳ ବୋହିଯାଉଛି ଯେ !” ମାଣିକ କିଛି ନକହି ଚୁପ ରହିଲା । ବିନୋଦିଆ କଟମଟ ହୋଇ ତା’ ଆଡ଼କୁ ଚାହିଁ କହୁଥାଏ, “ବୁଝିଲୁ ମାଣିକ ! ସାତ ବରଷ ହେଲାଣି ଆମ ବାହାଘର । ଏ ଯାଏଁ ଛୁଆପିଲା ହେଲେନି । ତେଣୁ ମୋ ବାପା କହିଛି, ତତେ ନେଇ ଆମ ସେଇ ଦହି ବିକା କୁଡ଼ିଆରେ ଛାଡ଼ି ଦେଇ ଆସିବି । ତୁ ସେଇଠି ରହିବୁ ଆଉ ଦହି ବିକିବୁ, ମୁଁ ଯାଇ କଉଡ଼ି ନେଇଆସିବି । ସାଇଯାକ ମାଇପେ କୁଆଡ଼େ ଟୁପୁଟାପ ହେଉଛନ୍ତି, ତୋ’ର ଛୁଆପିଲା ହେଲାନି ଏଣୁ ତୋ’ ମୁହଁ ଚାହିଁବା ପାପ ।” ଗେରସ୍ତର କଥା ଶୁଣି ଯେମିତି ଅଣନିଶ୍ୱାସୀ ହେଇଯାଉଥାଏ ମାଣିକ ! ଆକୁଳ ଭାବେ ମନରେ ଡାକି ଚାଲିଥାଏ ତା’ ପ୍ରିୟ ଚକାଡୋଳାଙ୍କୁ । ଗେରସ୍ତ ତା’ର ତାଗିଦ୍ କଲା ଭଳି କହୁଥାଏ, “ଚାଲ୍, ଏଇ ଅନ୍ଧାରୁଆରୁ ଆମେ ଭାବକୁଣ୍ଡଳେଶ୍ୱରଙ୍କ ଦେଉଳ ବାଟ ଦେଇ ଯିବା । ସେ ବାଟରେ ପୁରସ୍ତମକୁ ଲୋକ ଯିବା ଆସିବା କରିବେଣି । ଦହି ପସରା ରାତିରୁ ବୋଉ ସଜାଡ଼ି ଦେଇଛି ।” ବିନୋଦିଆ ହୁଣ୍ଡାଟାଏ । ଖାଲି ହୁଣ୍ଡା ନୁହେଁ, ମୁହଁ ଅପେକ୍ଷା ହାତରେ କଥା କହିବାକୁ ଭଲପାଏ । ବାହାଘରର ଅଳତା ନଲିଭୁଣୁ ତା’ ପରିଚୟ ମାଣିକ ପାଇଯାଇଛି । ଡରି ଡରି ମାଣିକ ଦିଅଁଙ୍କ ଫଟକୁ କାନୀରେ ବାନ୍ଧି, ଦହିପସରା ମୁଣ୍ଡରେ ଥୋଇ ଆଗେ ଆଗେ ଚାଲିଲା । ବର ତାର ବାହାଙ୍ଗୀରେ ପାଣି ଭାରେ, ତା’ ଉପରେ ଭାତ ପୁଡ଼ିଆଟେ ରଖି ଚାଲୁଥାଏ । ରାତି ପାହିବା ଆଗରୁ ଦିହେଁ କୁଡ଼ିଆରେ ପହଞ୍ଚିଗଲେ । ବିନୋଦିଆ ସନ୍ଧ୍ୟାକୁ କଉଡ଼ି ନେବାକୁ ଆସିବ ବୋଲି ତାଗିଦ୍ କଲାଭଳି କହି ଫେରିଆସିଲା ।
ବିମୁଗ୍ଧ ତମସାର ତନ୍ଦ୍ରା ଭାଙ୍ଗି ରଙ୍ଗୀ ଆସୁଛି ପ୍ରାଚୀ ଦିଗ୍ଭାଗ । ମାଣିକ ଗାଧୋଇ ଆସି କୁଡ଼ିଆର ଗୋଟିଏ କଣକୁ ଲିପାପୋଛା କରି ଯତ୍ନ ସହ ଠାକୁରଙ୍କ ଫଟକୁ ରଖି ସାଷ୍ଟାଙ୍ଗ ଦଣ୍ଡବତ ହୋଇ କଇଁ କଇଁ ହୋଇ କାନ୍ଦି ଉଠିଛି । କହି ଚାଲିଛି, “ପ୍ରଭୂ ! କ’ଣ ପାଇଁ ମୋ ସହ ଏତେ ରହସ୍ୟ କରୁଛ !! ମୁଁ ତ ଛାର୍ ଅଜ୍ଞାନିଟାଏ । ମୁଁ କାହୁଁ ତୁମର ଏଇ ରହସ୍ୟ ବୁଝି ପାରିବି ପ୍ରଭୁ !” ଉଠି ଦେଖିଲା ବେଳକୁ ସୂରୁଜ ଦେବତା ମଥାନକୁ ଉଠିଲେଣି । ମାଣିକକୁ ଲାଗୁଥାଏ ସତେ ଯେପରି ତା’ର ଆପଣାର ଲୋକ କିଏ ଆସିବ । ମନ ତା’ର ଉଚ୍ଚାଟ ହେଉଛି । ହେଲେ ଏଇ ନିଛାଟିଆ ଚିଲିକା କୂଳର ବାଲି ପନ୍ତାରକୁ କିଏ ବା କାହୁଁ ଆସିବ ! ଏଯାଏ କଉଡ଼ିଟିଏ ବି ଦହି ବିକ୍ରି ହେଲାନି । ମନେ ମନେ ପ୍ରଭୂଙ୍କୁ ଡାକି ଚାଲିଥାଏ । ଖରା ଦିନ । କୁଡ଼ିଆପାଖ ଗଛ ଉପରେ ଏକୁଟିଆ କୋଇଲି ରାବୁଛି ବଡ଼ ସରାଗରେ । କେବେ କାହାଠାରୁ ଶୁଣିଥିବା ଗୀତଗୋବିନ୍ଦର ଛାନ୍ଦଟିଏ ଗୁଣୁ ଗୁଣୁ ହୋଇ ଗାଉଥାଏ । ଠିକ ସେତିକିବେଳେ କେହି ଦୁଇଜଣ ଘୋଡ଼ାରେ ଚଢ଼ି ପୁରସ୍ତମ ଆଡ଼ୁ ଚିଲିକା କୂଳେ କୂଳେ ଆସୁଥିବାର ଦେଖିଲା । ଗୀତ ବନ୍ଦ କରି ଚାହିଁଲା । କାହିଁକି କେଜାଣି ତା’ ଛାତି ଭିତରଟା କମ୍ପି ଉଠିଲା । ଏହି ବାଟୋଇ ଦୁଇଜଣଙ୍କ ସହ ତା’ର କୌଣସି ଜନ୍ମରେ କିଛି ସମ୍ପର୍କ ଥିଲା ପରି ଲାଗୁଛି । ପରମୁହୂର୍ତ୍ତରେ ଚମକି ପଡ଼ିଲା ମାଣିକ । ଛି ଛି, ସେ ଏମିତି କ’ଣ ଭାବୁଛି !
କିଛି ସମୟ ପରେ ପରେ ଅଗନ୍ତୁକ ଦୁଇଜଣ ପାଖକୁ ଆସି ଘୋଡ଼ାରୁ ଓହ୍ଲାଇ ଗଛ ଛାଇରେ ବସି ପଡ଼ିଲେ । ସୁନ୍ଦର ଏବଂ ବଳିଷ୍ଠ ଗଠନର ଦୁଇ ଯୁବକଙ୍କୁ ଦେଖିଲେ ଆଖି ଲାଖି ଯାଉଥାଏ । ଅପରିଚିତ ଯୁବକ ଦ୍ୱୟଙ୍କୁ ଓଢ଼ଣୀ ତଳୁ ହାଁ କରି ଚାହିଁରହିଥାଏ ମାଣିକ । ଚେଷ୍ଟାକରି ମଧ୍ୟ ଆଖି ଫେରାଇ ନେଇ ନେଇପାରୁ ନଥାଏ । କିଏ ସେ ଏମାନେ !!!
– “ମା’ ଆମକୁ ଭାରି ଶୋଷ, ତଣ୍ଟି ଅଠା ହୋଇଗଲାଣି । ତୁମ ପାଖରେ ଦହି ଅଛି ପରା? ଦେଲ, ମୁନ୍ଦେ ମୁନ୍ଦେ ପିଇଲେ ପ୍ରାଣ ଥଣ୍ଡା ହୋଇ ଯିବ ।”
“ମା’ !” ଚମକି ପଡ଼ିଲା ମାଣିକ । ଆଃ, ତା’ ପିଣ୍ଡ ଯେପରି ଶାନ୍ତ ଶୀତଳ ହୋଇଗଲା । ସମଗ୍ର ପ୍ରାଣ ସତ୍ତା ମଧୁର ବାତ୍ସଲ୍ୟ ରସରେ ସିକ୍ତ ହୋଇଗଲା । ଦେହରେ ଅପୁର୍ବ କମ୍ପନ । ହଠାତ ତାକୁ ସବୁକିଛି ମିଳିଗଲା ପରି ଲାଗିଲା । ଆଉ କିଛି ପାଇବାର ନାହିଁ ଯେମିତି ! ଓଢ଼ଣା ଟେକି, ଦଧି ଭାଣ୍ଡ ଧରି ଦୁଇ ଯୁବକଙ୍କ ସମ୍ମୁଖରେ ପହଁଞ୍ଚିଲା । ଯୁବକଙ୍କର ଦୃଷ୍ଟି ପଡ଼ିଗଲା ମାଣିକର ମୁହଁ ଉପରେ । ଚମକି ପଡ଼ିଲେ ନୀଳାଭ୍ରକାନ୍ତୀଯୁକ୍ତ ଯୁବକ । ଠିକ୍ ଯଶୋଦା ମାଆଙ୍କ ମୁହଁ ପରି ମୁହଁ !!! ଆଚମ୍ୱିତ ହୋଇଗଲେ ମୁହୂର୍ତ୍ତେ ପାଇଁ । ହେଲେ ବିଶ୍ୱ ରହସ୍ୟର ଅନୁପମ ପ୍ରତୀକଙ୍କ ପକ୍ଷେ ଏହି ରହସ୍ୟ ବୁଝିବାକୁ ଡେରି ହେଲାନାହିଁ । ତତ୍କ୍ଷଣାତ ଆଞ୍ଜୁଳା କରି ନଇଁ ପଡ଼ିଲେ ଦହି ପିଇବା ପାଇଁ । ଦୁଇ ଜଣଙ୍କ ଆଞ୍ଜୁଳାରେ ଦହି ପରଷୁ ପରଷୁ ଅଜଣା ବାତ୍ସଲ୍ୟ ଝରରେ ଭିଜି ଭିଜି ଯାଉଥାଏ ମାଣିକର ତନୁମନ ।
ଦୁଇଜଣଯାକ ଦହି ପିଇସାରିବା ପରେ ଝାଉଁଳି ପଡ଼ିଥିବା ଶ୍ରୀମୁଖ ମଣ୍ଡଳ ପୁଣି ସତେଜ ହୋଇଗଲା । ଏଥର ଦୁଇଜଣଯାକ ତାଙ୍କ ଗନ୍ତବ୍ୟ ପଥରେ ଯିବାକୁ ଘୋଡ଼ା ପାଖକୁ ଗଲେ । ମାଣିକ ତୁଣ୍ଡରୁ ଅଗତ୍ୟା ବାହାରି ପଡ଼ିଲା, “କଉଡ଼ି?” ନୀଳାଭ୍ରକାନ୍ତୀଯୁକ୍ତ ଯୁବକ ଜଣକ ପଛକୁ ଚାହିଁ ସ୍ମିତ ହସି ଦେଲେ । ସେଇ ହସରୁ ମାଣିକ ଯେମିତି ସବୁକିଛି ପାଇଗଲା । ଜିଭ କାମୁଡ଼ି ପକାଇ ଭାବିଲା, ସେ କାହାକୁ କ’ଣ ମାଗୁଛି?
ଯୁବକ ଜଣକ ଚମକିଗଲା ଭଳି କହିଲେ, “ସତେ ତ ! ଆମେ ତ ଦହି ପିଇ କଉଡ଼ି ଦେଇନାହୁଁ ! ହେଲେ ବିଶ୍ୱାସ କର ମା’ ଆମେ ଦୁଇ ଭାଇ, ମୋ ନାଁ କାଳିଆ ଏବଂ ଏ ମୋ ବଡ଼ ଭାଇ ବଳରାମ, ଆମ୍ଭେ ଦୁହେଁ ଠାକୁର ରାଜାଙ୍କ ସୈନିକ, କାଞ୍ଚିଯୁଦ୍ଧକୁ ଯାଉଛୁ । ଠାକୁର ରାଜା ପଛରେ ଆସୁଛନ୍ତି । ତୁମେ ଏ ମୁଦ୍ରିକାଟି ରଖ । ରାଜାଙ୍କୁ ଦେଖାଇଲେ ସେ ତୁମ ଦହିର ଉଚିତ ମୂଲ୍ୟର କଉଡ଼ି ଦେଇଦେବେ ।”
ମୁଦ୍ରିକାର ଔଜଲ୍ୟରେ ମାଣିକର ଆଖି ଝାପ୍ସା ହୋଇ ଯାଉଥାଏ । କେଉଁ ଏକ ଅଜଣା ସମ୍ମୋହନରେ ବସବର୍ତ୍ତି ହୋଇ ସେ ନିର୍ବାକ । ବିସ୍ମୟ ତଥା ଆତ୍ମବିସ୍ମରଣରେ କେବଳ ଚାହିଁ ରହିଥିଲା ଘୋଡ଼ା ଟାପୁରେ ଉଡ଼ୁଥିବା ଧୁଳିପଟଳକୁ ଆଉ ପାଲଟି ଯାଇଥିଲା ପାଷାଣ ପ୍ରତିମା ଟିଏ ।
ଜୟ ଶ୍ରୀରାଧେକୃଷ୍ଣ
– କପିଳେଶ୍ୱର ମିଶ୍ର
Comments
କପିଳେଶ୍ୱର ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।