ବାରବୁଲାଟିଏ ମୁଁ

Odai Poem Barabulatie mun (ବାରବୁଲାଟିଏ ମୁଁ) by Sandhyarani Dash

ବାରବୁଲାଟିଏ ମୁଁ…
କ୍ଷଣସ୍ଥାୟୀ ମୋର ରହଣୀ
ଆଜି ଏଠି ତ କାଲି ସେଠି ପୁଣି,
ନା ଅଛି ଅତୀତର କ୍ଷୋଭ
ନା ଅଛି ଆଗତ ଭବିଷ୍ୟତର ଚିନ୍ତା,
ମୁଁ କେବଳ ବର୍ତ୍ତମାନରେ ଭାବ ବିହ୍ୱଳ ।

ନା ଅଛି ଆଶ୍ରୟ
ନା କେହି ଆଶ୍ରୟ ଦାତା
ମୁଁ ମୋ ଭାଗ୍ୟର ଭାଗ୍ୟ ବିଧାତା
ବୈଶାଖର ଝାଞ୍ଜି ହେଉ,
ହେଉ ଅବା ଆଷାଢ଼ର ମୂଷଳଧାରା
ପୁଣି ଶୀତର ଚାଦର ତଳେ
କିମ୍ଭୁତକିମାକାର ମୋ ଜୀବନ
ସ୍ୱପ୍ନ ଆଉ ବାସ୍ତବତାର ଅପୂର୍ବ ମିଳନ ।

ପ୍ରତିକ୍ରିୟାହୀନ ଜୀବନ
ବୁଝିପାରେନି ମୁଁ
ମୋ ପାଇଁ ଦୁଃଖ ଆଉ ସୁଖର
ପରିଭାଷା କ’ଣ !
ସ୍ୱପ୍ନ ତ ଅମାପ..
କିନ୍ତୁ ସ୍ୱପ୍ନ ସବୁ
ଆବେଗହୀନ
ପ୍ରତିଶ୍ରୁତିହୀନ
ମାୟା ମରୀଚିକା ସମାନ,
କଣ୍ଟକିତ ବାସ୍ତବତାରେ ବି
ମୁଁ ଖୋଜିବସେ ଶତାବ୍ଦୀର ଆହ୍ୱାନ…

– ସନ୍ଧ୍ୟାରଣୀ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...