ବାପା ମୋ ପ୍ରେରଣାର ଉତ୍ସ

Odia Story Bapa Mo Preranara Utsa (ବାପା ମୋ ପ୍ରେରଣାର ଉତ୍ସ) by Dhirendra Behera

ଅନେକ ଥର ଭାବିବା ପରେ କ’ଣ ତୁମ ବିଷୟରେ ଲେଖିବି, କେଉଁଠୁ ଆରମ୍ଭ ଓ କେଉଁଠି ଶେଷ କରିବି କିଛି ସ୍ଥିର କରି ପାରିଲି ନାହିଁ ।

ଯାହାଙ୍କ ପ୍ରତ୍ୟେକ ସ୍ପର୍ଶରେ ପ୍ରାଣରେ ନବସଞ୍ଚାର ଘେନି ଆସେ, ସେ ମୋ ବାପା ।
ଯାହାଙ୍କ ମନରେ ପ୍ରତି ମୁହୂର୍ତ୍ତରେ ମୋ ଭବିଷ୍ୟତର ଚିନ୍ତା ଥାଏ, ସେ ମୋ ବାପା ।
ଯିଏ ସର୍ବଦା ନିଜ ଦୁଃଖ କଷ୍ଟକୁ ହୃଦୟ ଭିତରେ ଚାପି ରଖି ମୋର ସମସ୍ତ ଆବଶ୍ୟକତା ପୂରଣ କରନ୍ତି, ସେ ମୋ ବାପା ।
ଯିଏ ମୁଁ ରାତିରେ ପଢ଼ିବା ପାଇଁ ଉଠିବା ସମୟରେ ମୋ ପାଇଁ ରାତି ରାତି ଅନିଦ୍ରା ରୁହନ୍ତି, ସେ ମୋ ବାପା ।

ଯିଏ ଦିନ ତମାମ କଠିନ ପରିଶ୍ରମ କରୁଥିଲେ ମଧ୍ୟ ଅଭାବ ଅନଟନ ଯୋଗୁଁ ଦୂର ସହରକୁ ଯାଇ ମଧ୍ୟ ଖାଲି ପେଟରେ ଫେରି ଆସନ୍ତି ଓ ସେହି ପଇସାରେ ମୋ ପସନ୍ଦ ଚକୋଲେଟ କି ଆଉ କିଛି ଜିନିଷ ଆଣନ୍ତି, ସେ ମୋ ବାପା।

କ୍ଷେତରେ କାମ କରୁଥିବା ସମୟରେ ସକାଳ ଖାଇବା ନେଇ ଗଲେ, ଯିଏ ସାଙ୍ଗରେ ଖାଇବା ପାଇଁ କହି ନିଜେ ଅଳ୍ପ ଖାଇ କୁହନ୍ତି ଏତେ ଦୂର ଘରକୁ ଚାଲି ଚାଲି ଯିବୁ ପେଟ ଭରି ଖାଇନେ । କିନ୍ତୁ ଦିନ ତମାମ ନିଜେ କ୍ଷେତରେ କାମ କରିବେ ଆଉ ସେଥିପ୍ରତି ଯାହାଙ୍କର ନିଘା ନଥାଏ, ସେ ମୋ ବାପା ।

ନିଜ ଦେହ ଖରାପ ହେଲେ କିଛି ହୋଇନାହିଁ କହି ଏଡ଼େଇ ଦିଅନ୍ତି, କିନ୍ତୁ ମୋ ଦେହ ଖରାପ ହେଲେ ଯିଏ ପାଗଳ ପ୍ରାୟ ହୋଇ ମୋର ସେବା କରନ୍ତି, ସେ ମୋ ବାପା ।

ମାଟ୍ରିକ ପରୀକ୍ଷା ସମୟରେ ମୋତେ ଦେଖା କରିବା ପାଇଁ ସାଇକେଲ ମାରି ନିତିଦିନ ମୁଁ ରହୁଥିବା ସ୍ଥାନକୁ ଯାଆନ୍ତି, ନିଜର ଦେହ ବହୁତ ଖରାପ ଅପରେସନ ହୋଇଥିବା ସତ୍ତ୍ୱେ, ସେ ମୋ ବାପା ।

ମାଟ୍ରିକରେ ପାସ୍ କରିବା ପରେ ମୋ ଖୁସିରେ ଖୁସି ହୋଇ ଅନ୍ୟମାନଙ୍କଠାରୁ ମୋ ଭବିଷ୍ୟତ ଉଜ୍ଜ୍ଵଳମୟ ପାଇଁ ସମସ୍ତ ତଥ୍ୟ ଖୋଜିବାରେ ଆଗମନ, ସେ ମୋ ବାପା ।

ଯେତେବେଳେ ମୁଁ କଲେଜ ପଢୁଥିବା ସମୟରେ ଟପ୍ପର ହେଲି, ଅନ୍ୟମାନଙ୍କଠାରୁ ମୋ ବିଷୟରେ ଶୁଣି, ମୁଁ ଲେଖୁଥିବା କେହିପଦ କଥା ଖବର କାଗଜରେ ପ୍ରକାଶିତ ହେବାର ଦେଖି ଯିଏ ନିଜକୁ ବହୁତ ଖୁସି ମନେକରିଥିଲେ, ସେ ମୋ ବାପା ।

ବିପଦ ଆପଦରେ ମୋ କାନ୍ଧରେ ହାତ ରଖି ମୋତେ ସାହସ ଦିଅନ୍ତି, ସେ ମୋ ବାପା । ଯିଏ ନିଜେ କରଜରେ ବୁଡ଼ି ରହି ମଧ୍ୟ ସ୍ୱଭାବିକ ବ୍ୟବହାର ମାଧ୍ୟମରେ ସବୁ ଠିକ୍ ଅଛି କହି, ମୋତେ ଭଲରେ ରହିବା ପାଇଁ ପରାମର୍ଶ ଦିଅନ୍ତି, ସେ ମୋ ବାପା ।

ଯାହାଙ୍କ କଥାବାର୍ତ୍ତା, ଚାଲିଚଳନ, ଆଦର୍ଶରେ ମୁଁ ଅନୁପ୍ରାଣିତ, ସେ ମୋ ବାପା । କହିବାକୁ ଗଲେ ବହୁତ କିଛି ଘଟଣା ଏମିତି ଅଛି । ବାପାଙ୍କ କର୍ତ୍ତବ୍ୟକୁ ନେଇ କିଛି ବର୍ଣ୍ଣନା କରିବା ଯାହା ମୋ ଦ୍ଵାରା ସମ୍ଭବ ନୁହଁ । କଲମରୁ କାଳୀ ଓ ଖାତାରୁ କାଗଜ, ହେଲେ ବାପାଙ୍କ ଗୁଣଗାନ ସରିବ ନାହିଁ ।

ଆଜି ବି ମୋତେ ସେ କୋଳରେ ବସାନ୍ତି । ୫୧ ବର୍ଷର ସିଡ଼ି ଚଢ଼ି ସାରିଥିଲେ ବି ମୋତେ ସାଇକେଲ କେରିଅରଲରେ ଗାମୁଛା ବିଛାଇ ବସାଇ ନିଅନ୍ତି ଓ କୁହନ୍ତି ତୁମେ ଛୋଟ ବେଳେ ଯେମିତି ଥିଲ, ଏବେ ବି ସେମିତି । କାହିଁ ମୁଁ ଅଧିକ କିଛି କଷ୍ଟ ଅନୁଭବ କରି ପାରୁନି ତୁମକୁ ସାଇକେଲରେ ବସାଇ ନେଲେ ।

ବାପା କେଉଁ ଗୁଣ ମୁଁ ତୁମର ଗାଇବି? ନା କେବେ ଋଣ ଶୁଝିପାରିବି । ତୁମକୁ ଯଦି ସାରା ଜୀବନ ପୂଜିବି ତବେ ମୋ ଜୀବନ କମ ପଡ଼ିଯିବ ସତ, ହେଲେ ବାପାଙ୍କ ସ୍ନେହ ପ୍ରେମ ମମତାର କାଣିଚାଏ ଫେରସ୍ତ କରି ପାରିବି ନାହିଁ ।

ତୁମ ଚରଣରେ ଅଶେଷ ପ୍ରଣାମ ବାପା !

– ଧୀରେନ୍ଦ୍ର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...