“ଆରେ ମିକିନା ପାଣି ଲୋଟାଟା ଆଣି ଆସିବୁକି?” ଗାଡ଼ିଟା ଦାଣ୍ଡରେ ସାଇଡ଼ କରିକି ଶତପଥୀ ବାବୁ ଝିଅକୁ ଡାକ ଦେଲେ ।
“ଏ ଜୀବନେ ମୋ ଜୀବନେ…….” ଗୀତ ଟାକୁ ଗୁଣୁ ଗୁଣେଇ ହେଇକି ଆସିକି ମିକିନା ପାଣି ଦେଉ ଦେଉ ପଚାରିଲା ବାପି (ମିକିନା ବାପାଙ୍କୁ ବାପି ଡାକେ) ବ୍ୟାଙ୍କ ଗଲ କି? ମୋ ଆକାଉଣ୍ଟରେ ବିଲକୁଲ ଆଉ ପଇସା ନାହିଁ ପରା ।
– ହଁ ଯାଇଥିଲି ତୋତେ ମେସେଜ ଆସିନିକି?
– “ଓହୋ ! ଦେଖିନି ମୁଁ ଆସିଥିବ ବୋଧେ”, ମିକିନା ଗଳେଇ ପକେଇଲା ପରି କହିଦେଲା ଯେମିତି ଆଉ ଇଚ୍ଛା ନଥିଲା ଏଇ ପଦେ କଥା ପାଇଁ ।
– “ଦିନ ଯାକ ଫୋନଟା ଧରିଛୁ ଜାଣିପାରିନୁ କେମିତି?” ମିକିନା ବୋଉ କହିଲା ।
– ବୋଉ ତୁମେ ଚୁପ ରୁହ । ସବୁ କଥାରେ ମୁଣ୍ଡ ପୁରେଇବା ତୁମର ବଦଭ୍ୟାସ ହେଇଗଲାଣି ।
– ହେଏସ୍ !! ଏଇଥିପାଇଁ ଆସେନି ମୁଁ ଘରକୁ ।
ଦୁମ କିନା ଆସିକି ବସିପଡ଼ିଲା ମିକିନା ବେଡ଼ ରୁମରେ ।
ଟେବୁଲ ଉପରେ ଚଢ଼ି କି ବ୍ୟାଗ ବାହାର କଲା ତାଜା ଉପରୁ, କହିଥିଲେ ସାନ ଭାଇ ବିକି ବି କାଢ଼ି ପାରିଥାନ୍ତା, ହେଲେ ମିକିନାର ଏକ ଜିଦ୍ ସେ କାହାକୁ କହିବନି କିଛି । ମୂଳରୁ ଭାରି ଜିଦିଆ ଠିକ୍ ତା’ ବୋଉ ପରି ।
ନହେଲେ ହଷ୍ଟେଲ ଘରଠୁ ଚାରି କିଲୋମିଟର ମାତ୍ର । ଆଉ ସେ ଘର ଛାଡ଼ିକି ହଷ୍ଟେଲରେ ରହିବ ।
ବାପା ତାକୁ ଭାରି ଭଲ ପାଆନ୍ତି । ସେଥିପାଇଁ ରୋଷେଇ କଲାବେଳେ ବାପାଙ୍କ ପାଇଁ ବହୁତ ଯତ୍ନବାନ ହେଇକି ରୋଷେଇ କରେ ସେ ।
ଘରର ବଡ଼ି, ଛତୁଆ, ଆଚାର, ପୋଡ଼ପିଠା ସେସବୁର କିଛି ବନ୍ଧନ ନାହିଁ ତାକୁ । ମୁକ୍ତ ଆକାଶର ପକ୍ଷୀ ହେବାକୁ ଚାହେଁ ସେ ଏବେ ।
ଘରଠୁ ଦୂରରେ ରହି କ’ଣ ଯେ ମିଳେ ବୋଲି କେତେଥର ତାକୁ ପଚାରିଛନ୍ତି ବାପି; ଗୋଟିଏ ଉତ୍ତର ସେ ରଖେ, “ମୋତେ ସେ ବନ୍ଧନରୁ ମୁକ୍ତି ଦରକାର, ବାପି ।” “ହଉ ହେଲା ଯେ, ଭାଇ, ବୋଉ ମୋତେ ଛାଡ଼ିକି ତୁ ହଷ୍ଟେଲରେ ରହିଲେ କ’ଣ ବେଶୀ ଖୁସିରେ ରହିପାରୁଛୁ କି ମାଆ?” ବାପି କେତେ ଥର ପଚାରିଲେ ବି ଏଇ ପ୍ରଶ୍ନ, ଉତ୍ତର ସେଇ ଗୋଟିଏ, “ମୋତେ ବନ୍ଧନ ଭଲ ଲାଗେନା ।”
ସେଦିନ ସନ୍ଧ୍ୟାରେ ହଷ୍ଟେଲକୁ ଫେରି ଆସିଲା ପରେ ମିକିନା, ସୁପରିଟେଣ୍ଡେଣ୍ଟ ପଚାରିଲେ କ’ଣ ମିକିନା ଏତେ ଶୀଘ୍ର ଆସିଗଲୁ ଯେ? ଛୁଟି ତ ଆହୁରି ଦୁଇ ଦିନ ଅଛି ।
“ନାହିଁ ଯେ ମୋତେ ଟିକେ କାମ ଅଛି ରିସର୍ଚ୍ଚ ପେପରରେ”, ମିକିନା କହିଲା ।
ବୋଉ ମୁଁ ପହଁଚି ଯାଇଛି ହଷ୍ଟେଲରେ । ବାପିଙ୍କୁ ଲାଗିଲାନି ତ ତୁମକୁ ଜଣେଇଦେଲି । ମିକିନା ଫୋନରେ ବୋଉକୁ କହିଲା ।
ପରଦିନ ସକାଳେ ରିତେଶ ସହ ଦେଖା ହେଲା ବେଳେ ରିତେଶ ପଚାରିଲା, “ତୁମେ କ’ଣ ସତରେ ଆଉ କେବେ ଘରକୁ ଯିବନି ନା କ;ଣ?” “ନାହିଁ ରିତେଶ ତୁମେ କିଛି ବୁଝିପାରିବନି ଯେ ମୋ ଅସୁବିଧାଟା କ’ଣ?” ମିକିନା ଉତ୍ତର ଦେଲା ।
ରିତେଶକୁ ବହୁତ ଭଲପାଏ ମିକିନା । ଏକରକମ ତା’ ହୃଦୟର ରାଜା ସିଏ । ମିକିନାର ସବୁ ଆଳାପର ସାଥି ବି ସିଏ । ଘରେ ରହିଲେ ରିତେଶ ସହ ଫୋନରେ କଥା ହେଇପାରେନି ସେ । ଏଇ ଗୋଟେ କାରଣ ବି ହେଇଥାଇପାରେ ସେ ରହେନି ଘରେ । ରିତେଶ ଏଇ କଥା ଭାବି ମିକିନାକୁ ତା’ର କଲେଜ ପାଖେ ଛାଡ଼ି ଆସିଲା ।
ବାପି ଦୁଇ ଦିନ ପରେ ଟେବୁଲ ଉପରେ ଥିବା ମିକିନାର ଚିଠି ପାଇଲେ;
ବାପି,
ଜାଣିଛି ତୁମ କଥାରେ ରାଜି ହେଇପାରୁନି ବାପି ମୁଁ । ମୋତେ ବହୁତ କଷ୍ଟ ଲାଗୁଛି ସେଇ ଘର ଏବେ । ବୋଉ ସଙ୍ଗେ ବିତେଇ ଥିବା ସବୁ ମୁହୂର୍ତ୍ତଗୁଡ଼ାକ ଆଉ ଥରେ ଜୀଇ ଉଠୁଛି । ସେ ଘରଟାକୁ ଛାଡ଼ି ଆମେ କୁଆଡ଼େ ପଳେଇ ଯାଆନ୍ତେନି କି? ଏମିତି କୋଉ ବି କଥା ନାହିଁ ଯୋଉଠି ବୋଉ ମୋ ମନରେ ଆସୁନି । ଏ କେମିତି କା ବନ୍ଧନ ବାପି? ତୁମେ ତ ସବୁବେଳେ ବୁଝାଅ କି ଜୀବନ ଗୋଟେ ବନ୍ଧନ । ହେଲେ ମୋତେ ଏ ବନ୍ଧନଟା ମରଣ ଯନ୍ତା ଲାଗୁଛି ଏବେ । ଜାଣିଛ ବାପି, ବୋଉ ଗଲା ଆଗରୁ ସେ ତୁଳସୀ ଚଉରା ପାଖେ ଗୋଟେ ଫୁଲ ଗଛ ଲଗେଇଥିଲା କୋଉଠୁ ଆଣିକି? ୧୨ ବର୍ଷ ପରେ ସେଇଥିରେ ଫୁଲ ଫୁଟିଛି । ମୋତେ ବୋଉ କହେ, “ମିକିନା ଲୋ, ଏଇଟା ଯେବେ ଫୁଟିବ ତୁ କଲେଜରେ ପଢ଼ିବୁଣି ।” ପ୍ରଥମ ଫୁଲରେ ଆମେ ଆମ ଶିବ ମନ୍ଦିରରେ ଦେବା ।”
ଆଜି ଯେବେ ସେ ଫୁଲ ଫୁଟିଲା, ଲାଗିଲା ଯେମିତି ମୁଁ ତା ବନ୍ଧନରେ ଆଜି ବି ବନ୍ଧିତ ଏଇ ଘରେ । ଜାଣିଛ ବାପି, ତୁମର ସେ ସିଗାରେଟ ଟଣା ଅଭ୍ୟାସକୁ ବୋଉ କେତେ କହି କହି ବନ୍ଦ କରେଇଥିଲା । ବୋଉ ତମ ସହ ଝଗଡ଼ା କଲେ ମୁଁ କେମିତି ତା’ ପଟକୁ ଆସିଯାଏ ଆଉ ତମ ସହ ଝଗଡ଼ା କରେ । ସେ କାନ୍ଥକୁ ଲଗେଇକି ବୋଉ ମାଟି କଳସ ରଖେ ଯୋଉଠି ବିକି ଏବେ ତା’ କ୍ରିକେଟ୍ କିଟ୍ ରଖୁଛି, ସେ ଜାଗାକୁ ଅନେଇକି ଯିବାକୁ ଇଚ୍ଛା ହଉନି ।
ବିକି ସାନବେଳେ ଯେବେ ସେ ଚିନାମାଟି କୃଷ୍ଣ ମୂର୍ତ୍ତି ଭାଙ୍ଗି ଦେଇଥିଲା ବହୁତ କଷ୍ଟ ହେଇଥିଲା; ବୋଉର ଶେଷ ସନ୍ତକ ସେଇଟା, ମୋତେ ସେ ଯିବା ବେଳେ ଦେଇକି ଯାଇଥିଲା ଆଉ କହିଥିଲା, “ସବୁ ଦୁଃଖ କଥା ୟାଙ୍କୁ କହିବୁ ସେ ବୁଝିବେ ।” ବୋଉ କେଡ଼େ ମିଛେଇଟା ସତେ? ଇଏ ସେ କଥା ବୁଝୁ ନାହାନ୍ତି । ଦୋଷ କାହାର ମୁଁ ଜାଣିନି? ବୋଉର ନା କୃଷ୍ଣଙ୍କର?
ଜାଣିଛ ବାପି ବୋଉ ତା’ର ଚିରା ଶାଢ଼ୀରେ ଗୋଟେ କନ୍ଥା ତିଆରି କରିଥିଲା, ଆମେ ଦାଣ୍ଡଘରେ ଶୋଇଲାବେଳେ ଘୋଡ଼େଇ ହେଉ, ସେ କନ୍ଥାଟାକୁ ଆଜି ଆଲମିରା ସଜାଡ଼ିଲା ବେଳେ ପାଇଲି । ସୂତାରେ ସେ ମୋ ନାଁ ଲେଖିଛି ସେଇଥିରେ । ଏସବୁ ବନ୍ଧନରୁ ମୁଁ ମୁକ୍ତି ଚାହେଁ ବାପି । ପିଜୁଳି ଗଛ ପାଖ ଛୋଟିଆ ଘରେ ବୋଉର ବଡ଼ ଫୋଟୋଟା ଅଛି । ମୁଁ ନେଇଯିବି ବିକି ଆଉ ବୋଉଙ୍କୁ କାଳେ ପସନ୍ଦ ଆସିବନି ।
ରିତେଶ, ଯୋଉ ମୋ କଲେଜର ସାଙ୍ଗ ମୋତେ ପସନ୍ଦ ଆସନ୍ତି । ଏଇ କଥାଟା ଆଜି ବୋଉ ଥିଲେ ତୁମକୁ କହିଥାନ୍ତା, ଆଜି ମୁଁ କହୁଚି । ଉପାୟ କିଛି ନଥିଲା ତମକୁ ଲୁଚେଇକି ବା ନ ଜଣେଇକି । ବୋଉ ଗଲା ପରେ ମୋ ସବୁ କିଛି ତୁମେ ହିଁ ବାପି । ରିତେଶର ବାପା ତମକୁ ଫୋନ୍ କରି ପାରନ୍ତି ବାହାଘର ପାଇଁ କ’ଣ ଆଲୋଚନା କରିବାକୁ ।
ବୋଉର ସେ ନାଲି ଶାଢ଼ୀଟା ଯୋଉ ଆମେ ସିମ୍ଲାରୁ କିଣିଥିଲେ, ମୁଁ ରଖିଛି ମୋ ପାଖେ ଆଉ ବୋଉର ସବୁ ଜିନିଷ ମୋ ଶୋଇବା ଘରେ ଅଛି । ବିକିକୁ ଆଉ ବୋଉକୁ କହିବ କେହି ଲାଗିବେନି । ମୁଁ ବାହାଘର ପରେ ନେଇଯିବି ମୋ ପାଖକୁ ।
ଇତି,
ମିକିନା
ଶତପଥୀ ବାବୁଙ୍କ ମୁହଁରେ ଟିକେ ବିଷର୍ଣ୍ଣତା ଖେଳି ଯାଇଥାଏ ଯେ, ଏତିକି ବେଳୁ ରୋଷେଇ ଘରୁ ଶୁଭିଲା ଯେ, “ସେ ଚଣ୍ଡାଳୁଣୀ ଫୋନ କରିଥିଲା ପହଞ୍ଚିକି, ମୁଁ ତୁମକୁ ଜଣେଇବାକୁ ଭୁଲି ଯାଇଥିଲି ।”
– “ଆଉ ଆଜି କହୁଚ ତୁମେ ମୋତେ?” ଶତପଥୀ ବାବୁ କହିଲେ ।
– “ଡାଡ଼ି ! ସେ ମିକିନା ଦିଦିର କ’ଣ ଗୋଟେ ଫୋଟୋଟେ ସବୁବେଳେ ତା’ ତକିଆ ପାଖେ ଥାଏ । ସେ ଆଣ୍ଟିଟା କିଏ?”, ବିକି ପଚାରିଲା ।
– ବିକି ଯା ପଢ଼ିବୁ ବୋଲି କହି ବିକି ବୋଉ ତାଗିଦ କରିଦେଇକି ଗଲେ ବିକିକୁ ।
ଏପଟେ ଶତପଥି ବାବୁ ଭାବୁଥିଲେ, “ଦ୍ଵିତୀୟ ବିବାହଟା ସିନା ତାଙ୍କ ପାଇଁ ସହଜ ହେଲେ ମିକିନା ପାଇଁ ସତରେ ଗୋଟେ ବନ୍ଧନ ।”
– ଅମୃତାଂଶୁ ପଣ୍ଡା
Comments
ଅମୃତାଂଶୁ ପଣ୍ଡା ପେଶାରେ ଜଣେ ଆଇଟି କର୍ମଚାରୀ ହେଲେ ମଧ୍ୟ ଓଡ଼ିଆ ଗଳ୍ପ, କବିତା ଆଦି ରଚନା କରିବା ସହ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ବ୍ୟଙ୍ଗ ଏବଂ ଥଟ୍ଟାମଜା ଆଦି ରଚନା କରନ୍ତି ।