(କାହାକୁ ଆକ୍ଷେପ କିମ୍ୱା କାହାର ସମ୍ନାନହାନୀ କରିବା ମୋର ଏହି ଲେଖାର ଉଦ୍ଦେଶ୍ଯ ନୁହେଁ । କେବଳ ଯାହା ହୃଦୟଙ୍ଗମ କରିଛି ସେଇ ସବୁ କଥା ଏଠାରେ ରଖିଛି ।)
ଗତ ତା ୧୪/୦୨/୨୦୧୯ରିଖରେ ପାକିସ୍ତାନରେ ପରିଚାଳିତ ଜୈଶ୍-ଏ-ମହମ୍ମଦ ସଂଗଠନର ଆତଙ୍କି ଅତ୍ମଘାତୀ ଅକ୍ରମଣରେ ଜାମ୍ମୁକାଶ୍ମୀରର ପୁଲଓ୍ୱାମାଠାରେ ଭାରତ ମାଟିର ୪୪ ଜଣ ବୀର ପୁତ୍ର ପ୍ରାଣବଳୀ ଦେଇଥିଲେ । ସେଇ ଘଟଣାକୁ ଚିନ୍ତା କଲେ ମଧ୍ୟ ମନରେ କୋହ ଉଠୁଛି । ସାରା ଦେଶ କାନ୍ଦୁଛି, ସହୀଦ ପରିବାରଙ୍କ ପ୍ରତିଟି ସଦସ୍ୟ, ପ୍ରତିଟି ସମ୍ପର୍କୀୟ, ସମସ୍ତ ଭାରତୀୟ ସ୍ତବ୍ଧ । ଦୁଃଖ, ଶୋକର ଛାୟା ସବୁଆଡ଼େ ଖେଳିଯାଇଛି । ଯେଉଁଭଳି ଭାବେ ସେଇ ଆତ୍ମଘାତୀ ଦୃଶ୍ୟ ଦେଖିବାକୁ ମିଳିଥିଲା, ସେଥିରୁ ବର୍ବରତା, ନିର୍ମମତାର କେତେ ପରିମାଣର ଥିଲା ଚିନ୍ତା କରାଯାଇପାରେ ।
ସେହି ଆତ୍ମଘାତୀ ଆକ୍ରମଣରେ ସହୀଦ ହୋଇଥିବା ମନୋଜ ବେହେରାଙ୍କ ଘର କଟକ ଜିଲ୍ଲା ନିଆଳିର ରତନପୁର ଅଞ୍ଚଳର । ୨୦୦୬ ମସିହାରେ ସେ ସିଆର୍ପିଏଫ୍ରେ ଯୋଗ ଦେଇଥିଲେ । ସେ କିଛି ଦିନ ତଳେ ନିଜ ଝିଅର ଜନ୍ମଦିନ ପାଳନ କରିବାକୁ ଗାଆଁକୁ ଛୁଟିରେ ଆସିଥିଲେ । ଛୁଟି ସରିବା ପରେ ଏହି ଘଟଣା ଘଟିବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ସେ ନିଜ କର୍ମ କ୍ଷେତ୍ରରେ ଯୋଗଦେଇଥିଲେ ।
ସେଦିନ ସହୀଦ ମନୋଜଙ୍କ ମୃତଦେହ ଆସି ଗ୍ରାମରେ ପହଞ୍ଚିଲା ବେଳକୁ ରାତି ହୋଇ ସାରିଥାଏ । ହଜାର ହଜାର ଲୋକଙ୍କ ଗହଣରେ ଭୁବନେଶ୍ବର ବିମାନ ବନ୍ଦରଠାରୁ ନିଆଳିର ରତନପୁରକୁ ସେଇ ଶୋଭାଯାତ୍ରା ଲମ୍ୱିଥାଏ । ସେଭଳି ଶୋଭାଯାତ୍ରା ଆଗରୁ କେବେ ଓଡ଼ିଶାର ଲୋକ ଦେଖିଥିବେ କି ନାଇଁ ସନ୍ଦେହ । ବାଟ ସାରା ଭାରତମାତା କି ଜୟ … ସହୀଦ୍ ମନୋଜ ଅମର ରହେ …. ପାକିସ୍ତାନ ମୁର୍ଦ୍ଦାବାଦ… ଏଇ ସବୁ ସ୍ଲୋଗାନରେ ଗଗନ ପବନ ପ୍ରକମ୍ପିତ ହେଉଥାଏ । ଫୁଲନଖରାଠାରୁ ନିଆଳିର ରତନପୁର ପର୍ଯ୍ୟନ୍ତ ସେ ଜନ ସମୁଦ୍ର ସେମିତି ଲମ୍ବିଥାଏ । ବିଳମ୍ୱିତ ରାତ୍ରି ହେଲେ ମଧ୍ଯ ଲୋକ ସେମିତି ଅପେକ୍ଷା କରିଥାନ୍ତି ତାଙ୍କ ଅଞ୍ଚଳର ବୀର ପୁତ୍ରର ଶେଷ ଦର୍ଶନ କରିବାକୁ । କେଉଁଠି ରାଜନୈତିକ ଦଳ ସଭା ସମିତି କିମ୍ୱା ରାଲି କଲେ ଲୋକଙ୍କୁ ଖାଇବା ପିଇବାର ସମସ୍ତ ବନ୍ଦୋବସ୍ତ କରି ଗାଡ଼ିରେ ବୁହାଇ କିଛି ଟଙ୍କାଦେଇ ନେଇଥାନ୍ତି । ଏଠି କିନ୍ତୁ ଲୋକମାନେ ସ୍ୱତଃପ୍ରବୃତ ଭାବରେ କେବଳ ଆସି ନଥିଲେ ବରଁ ସେଇ ବିଳମ୍ୱିତ ରାତିଯାଏଁ ଅପେକ୍ଷା କରି ରହିଥିଲେ ସହୀଦ ମନୋଜଙ୍କ ଟିକେ ଝଲକ ଦେଖିଵା ପାଇଁ ।
ସେଇ ସବୁ ଭିଡ଼ ଭିତରେ ବହୁତ ରାଜନେତା ବି ଯୋଗ ଦେଇଥିଲେ । ଯେଉଁଠି ଲୋକଙ୍କ ଭିଡ଼ ଜମେ ସେଠାକୁ ପ୍ରାୟତଃ ନେତାମାନେ ଯିବାକୁ ଠିକ ମନେ କରନ୍ତି । ଏମିତିରେ କହିଲେ ଆଦୌ ଭୁଲ୍ ହେବନି ଯେ ସେମାନେ ସେଠି ସହାନୁଭୂତି ଦେଖାଇବା ଅପେକ୍ଷା ଅଧିକ ରାଜନୈତିକ ଫାଇଦା ଉଠାଇବାକୁ ଯାଇଥାନ୍ତି । ଏମିତି ଫାଇଦା ନେବାକୁ କୌଣସି ଗୋଟେ ରାଜନୈତିକ ଦଳ ନୁହେଁ ବରଂ ସବୁ ଦଳର ନେତାମାନେ ନିଜ ନିଜ ଭିତରେ କମ୍ପିଟେସନ୍ କରନ୍ତି । କାନ୍ଦିବାକୁ ବା ଲୁହ ଗଡ଼ାଇବାକୁ ଇଚ୍ଛା ନଥିଲେ ମଧ୍ଯ ଲୋକଙ୍କ ସମ୍ମୁଖରେ ଖୁବ୍ ଗମ୍ଭୀର ମୁହଁ କରି ବହୁତ ଗୁଡ଼େ ଦୁଃଖ ପାଉଛନ୍ତି ବୋଲି ଖୁବ୍ ସୁନ୍ଦର ଅଭିନୟ କରି ସେଥିରେ ବହୁତ ଅଂଶରେ ସଫଳ ବି ହୋଇଥାନ୍ତି ।
ସହୀଦ ମନୋଜଙ୍କ ମୃତ ଶରୀର ଶେଷକୁ ଆସି ରତନପୁରରେ ପହଞ୍ଚିଗଲା । ସାଧାରଣ ଜନତାଙ୍କଠାରୁ ଆରମ୍ଭକରି ପ୍ରିଣ୍ଟ୍ ଓ ଇଲେକ୍ଟ୍ରୋନିକ୍ ମିଡିଆର ସାମ୍ୱାଦିକଗଣ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ନେତା, ରାଜ୍ୟ ସ୍ତରୀୟ ନେତା, ରାଜ୍ୟ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ପୁଲିସ୍ ବାହିନୀ, ସହୀଦଙ୍କ ପରିବାର ପରିଜନ, ବନ୍ଧୁବାନ୍ଧବ ସମସ୍ତେ ଉପସ୍ଥିତ ଥାଆନ୍ତି । ପ୍ରଚଳିତ ବିଧି ମୁତାବକ ପୁଲିସ୍ ସହୀଦଙ୍କ ଅମର ଆତ୍ମା ଉପଲକ୍ଷେ ତୋପ ସଲାମୀ ଦେବାକୁ ପ୍ରସ୍ତୁତ ହୋଇ ଠିଆ ହୋଇଥାନ୍ତି । ଠିକ୍ ସେତିକିବେଳ ଗୋଟେ ଅଘଟଣ ଘଟିଗଲା । ସହୀଦ ମନୋଜଙ୍କୁ ଶେଷ ବିଦାୟ ଦେବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇବାକୁ ଆସିଥିବା ଜଣେ ବିଧାୟକ ହଠାତ ସେଇ ଭିଡ଼ ଭିତରୁ ଗୋଟେ ଲୋକକୁ ଭିଡ଼ିଆଣି ଜବର୍ ଟଣ୍ଟିଆଟେ ମାରି ସହୀଦଙ୍କ ମୃତଦେହ ଥିବା କଫିନ୍ ପାଖରେ ବସାଇଦେଲେ । ବସାଇଦେବା ଅପେକ୍ଷା ହାମୁଡ଼େଇ ପକାଇବା କହିଲେ ଅଧିକ ଠିକ୍ ହେବ ।
ସେତେବେଳେ ବିଭିନ୍ନ ଚ୍ୟାନେଲମାନଙ୍କଦ୍ୱାରା ସହୀଦଙ୍କ ଶେଷକୃତ୍ୟର ଲାଇଭ୍ କଭରେଜ୍ ଚାଲିଥାଏ । ତା ବାଦ୍ ଅଧିକାଂଶ ଲୋକଙ୍କ ହାତରେ ଥିବା ମୋବାଇଲ୍ ବି ସେଇ ସବୁ ଶେଷ ଦୃଶ୍ୟକୁ ଭିଡିଓ ରେକଡିଙ୍ଗ୍ କରୁଥାନ୍ତି । ତେଣୁ ସ୍ୱାଭାବିକ ଭାବରେ ସେଠି ଯାହାକିଛି ଘଟୁଥିଲା ସାରା ଦେଶ ଦୁନିଆ ଦେଖୁଥିଲା । ପରଦିନ ଜଣା ପଡ଼ିଲା ସେଇ ତଣ୍ଟିଆ ଖାଇଥିବା ଲୋକଟିର ପରିଚୟ । ସହୀଦ ମନୋଜଙ୍କ ଦାଦା ଅର୍ଥାତ ବାପାଙ୍କ ସାନ ଭାଇ । ସେଠିକି ଯାଇଥିବା ସମ୍ପୃକ୍ତ ବିଧାୟକଙ୍କ ରାଜନୀତି ଲକ୍ଷ୍ୟ କିଛି ମାତ୍ରାରେ ନିଶ୍ଚିତ ଥିବ । ଆଉ ସେଇ ଘଟଣା ଘଟିଯିବା ପରେ ବିରୋଧୀ ଦଳମାନେ ମଧ୍ଯ ରାଜନୀତି କରିବାକୁ ସୁନ୍ଦର ମୌକା ପାଇଗଲେ । ସମ୍ପୃକ୍ତ ବିଧାୟକ ଶାସକ ଦଳର ହୋଇଥିବାରୁ ତାଙ୍କର ସେଇ କାର୍ଯ୍ୟ ବିରୁଦ୍ଧରେ ସବୁଆଡ଼ୁ ନିନ୍ଦା ପ୍ରସ୍ତାବ କେବଳ ଆସିବାରେ ସିମିତ ନରହି ତାଙ୍କ କୁଶପୁତ୍ତଳିକା ବି ବିଭିନ୍ନ ଜାଗାରେ ଦାହ କରାଯିବା ସହ ରାସ୍ତାରୋକ କରାଗଲା ।
ସମ୍ପୃକ୍ତ ଶାସକ ଦଳର ବିଧାୟକ ସେଇ କାଣ୍ତ ଘଟାଇବା ସମୟରେ କେବେ ବି ସ୍ୱପ୍ନରେ ଭାବିନଥିବେ ସେ ଘଟଣା ଏମିତି ରୂପରେଖ ନେଇ ନିଜେ ଏମିତି ହରଡ଼ ଘଣାରେ ପଡ଼ିଯିବେ ବୋଲି । ତେଣୁ ଖୁବ୍ ଶୀଘ୍ର ସେଇ ସ୍ଥିତିକୁ ସମ୍ଭାଳିବାକୁ ନିଜର ବକ୍ତବ୍ଯ ଏମିତି ରଖିଲେ, “ସେଦିନ ସହୀଦଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ସମୟରେ ଅନ୍ୟ ନେତୃମଣ୍ତଳୀଙ୍କ ସହିତ ମୁଁ ଉପସ୍ଥିତ ଥିଲି । ଦେଖିଲି ଜଣେ ଲୋକ ସେଠି ସେଇ ଭିଡ଼ ଭିତରେ ଖାଲି ନୁଙ୍ଗରୁ ପୁଙ୍ଗରୁ ହେଉଛି । ତାକୁ ମୁଁ କାଇଁ ଏମିତି ହେଉଛ ବୋଲି କହି ଧରିକି କେବଳ ବସାଇ ଦେଲି ।”
କିନ୍ତୁ ବିଧାୟକଙ୍କ ଏଇ ସଫେଇ କିଛି କାମ ଦେଲା ନାହିଁ । ବିରୋଧୀଙ୍କ ବିରୋଧ ଆହୁରି ଶାଣିତ ହେଲା । ବିଧାୟକ ପୁଣି ନିଜ ବକ୍ତବ୍ଯ ପରିବର୍ତ୍ତନ କରି କହିଲେ,”ମୁଁ ଆଦୌ ତଣ୍ଟିଆ ମାରିନି ତାଙ୍କୁ । ସେଇ ଭିଡ଼ ଭିତରେ ଦେଖିଲି କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ସେ ଲୋକ ଜଣଙ୍କ ଠେଲାପେଲା କଲେ । ମନ୍ତ୍ରୀଙ୍କ ଦେହ ଖରାପ ଥିବାରୁ ସେଇ ଲୋକଟିକୁ କେବଳ ମୁ୍ଁ ଆଣି ଗୋଟେ ଯାଗାରେ ବସାଇଦେଲି ।”
ଏଠି ଯଦି ଏଇ ଘଟଣାକୁ ତର୍ଜମା କରାଯାଏ ତା’ହେଲେ ବିଧାୟକଙ୍କ ଏଇ ସବୁ ସଫେଇ ଦେବା ନିଶ୍ଚିତ ଭାବରେ ମୂଲ୍ୟହୀନ । ଲୋକଙ୍କ ଭାବାବେଗ ସହିତ ସହୀଦ ପରିବାରକୁ ସମବେଦନା ଜଣାଇବାକୁ ସେ ବିଧାୟକ ମହାଶୟ ସେଠି ଉପସ୍ଥିତ ଥିଲେ । ଭିଡ଼ ନିୟନ୍ତ୍ରଣ କରିବା ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ବାହିନୀ ଓ ଜିଲ୍ଲା ପ୍ରଶାସନର ଦାୟିତ୍ୱ । କିଏ ଯଦି ବିଶୃଙ୍ଖଳା କଲା ତାକୁ କାବୁ କରିବା ଦାୟିତ୍ୱ ହେଉଛି ପୋଲିସ ବାହିନୀର । ମାତ୍ର ସମ୍ପୃକ୍ତ ବିଧାୟକ ସେଠାରେ ଅନଧିକାର ପ୍ରବେଶ କରି ସହୀଦଙ୍କ ଦାଦାଙ୍କୁ ତଣ୍ଟିଆ ମାରିବା ନିହାତି ନିନ୍ଦନୀୟ କାର୍ଯ୍ୟ । ଯାହାକୁ କୁହନ୍ତି ପରଘରେ ବିନା ନିମନ୍ତ୍ରଣରେ ଯାଇ ମାମଲତ୍କାର କରିବା । ଏଥିରେ କେହି ବି ଦ୍ୱିମତ ହେବେନାହିଁ ।
ଏ ଭିତରେ ସହୀଦ ମନୋଜଙ୍କ ଦାଦାଙ୍କର ମତାମତ ଆସିଲା । ସେ କହିଲେ, “ସେଦିନ ମୋ ପୁତୁରାର ମୃତ୍ଯୁରେ ଖୁବ ଦୁଃଖରେ ଥିଲି । ନହେଲେ ମୁଁ ଭାରି ଖେଚଡ଼ ଆଜ୍ଞା । ମନ୍ତ୍ରୀ କି ଏମ.ଏଲ୍.ଏ. କାହାକୁ ମାନିବା ଲୋକ ନୁହେଁ । ହାତ ଉଠାଇ ମାଡ଼ ବସାଇଦେବା ଲୋକ ମୁଁ ।”
ଏଣେ ଦିନକୁ ଦିନ ବିରୋଧିଙ୍କ ହୋ ହାଲ୍ଲା ସହ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବାଧ୍ଯ ହୋଇ ବିଧାୟକ ଜଣକ ସହୀଦଙ୍କ ଦାଦାଙ୍କ ନିକଟରେ ଦୁଃଖ ପ୍ରକାଶ କଲେ । ସେଇ କେଇଦିନ ଭିତରେ ବହୁବାର ବିଭିନ୍ନ ଜାଗାରେ ଦୁଃଖ ପ୍ରକାଶ କରିବାକୁ ପଡ଼ିଥିଲା ତାଙ୍କୁ ।
ଏଣେ ସହୀଦଙ୍କ ଦାଦା ବି ତାଙ୍କ ବକ୍ତବ୍ୟ ବଦଳାଇ ଦେଇ କହିଲେ, “ନାଇଁ, ସେଦିନ ସେମିତି କିଛି ହୋଇ ନଥିଲା । ସେ ବିଧାୟକ ଜଣଙ୍କ ବହୁତ ଭଲ ଲୋକ । ସେ କେବଳ ଶାନ୍ତ୍ୱନା ଦେବାକୁ ଯାଇ ମନୋଜର ମୃତ ଶରୀର ପାଖରେ ମୋତେ ବସାଇ ଦେଇଥିଲେ ।”
ସହୀଦ ମନୋଜଙ୍କ ଦାଦାଙ୍କ ଏଇ ମନ୍ତବ୍ୟକୁ ଲୋକମାନେ ଖୁବ୍ ନାପସନ୍ଦ କଲେ । କିଏ କହିଲା ସରକାରଙ୍କ ନାଲି ଆଖି ଦେଖି ଲୋକଟି ଡରିଗଲା ତ ଆଉ କିଏ କହିଲେ କିଛି ଟଙ୍କାରେ ସେଇ ଦରିଦ୍ର ଲୋକଟା ନିଜକୁ ବିକ୍ରି କରିଦେଲା । ଆଉ କିଛି କହିଲେ ସହୀଦର ଦାଦା ହେବାର କିଛି ବି ଯୋଗ୍ୟତା ଲୋକଟି ପାଖରେ ନାହିଁ । ଯାହା ହେଉ ଏମିତି ଭିତରେ ସେଇ ଘଟଣାର ଯାବନିକା ପଡ଼ିଲା ।
ଅବଶ୍ୟ ଆଜିକାଲି ବହୁତ ଏମିତି ମତ ପରିବର୍ତ୍ତନ ଦେଖା ଯାଉଛି । ବଡ଼ ବଡ଼ କୋଟିପତି, କାଇଁ କେଡ଼େ କେଡ଼େ ନେତା ସମସ୍ତେ ନିଜ ନିଜର ସ୍ୱାର୍ଥ ପୂରଣ ପାଇଁ ଡିଲ୍ କରୁଛନ୍ତି । ଏ ଦଳରୁ ସେ ଦଳକୁ ମାଙ୍କଡ଼ମାନଙ୍କ ପରି ଡିଆଁ ମାରୁଛନ୍ତି । ଆଉ ଏଠି ଜଣେ ଅସହାୟ ବୃଦ୍ଧକୁ ରାଜନୈତିକ ଚାପ ଓ କ୍ଷମତାର ବଳରେ ମୁହଁ ବନ୍ଦ କରିବାକୁ ବାଧ୍ଯ କରାଯାଇଛି ବା କିଛି ଟଙ୍କାର ଲୋଭରେ ଯଦି ସେ ମତ ପରିବର୍ତ୍ତନ କରିଦେଲେ ସେଥିରେ ବିଶେଷ ଦୋଷ ତାଙ୍କୁ ଦେବା ଉଚିତ୍ ମଧ୍ଯ ନୁହେଁ ।
ଏହା ଭିତରେ ଭାରତର ବାୟୁସେନା ମଧ୍ଯ ଲୋକମାନଙ୍କର ଭାବାବେଗକୁ ଧ୍ୟାନରେ ରଖି ପୁଲଓ୍ୱାମା ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ପାକିସ୍ଥାନୀ ସୀମା ଭିତରେ ପଶି ପାକିସ୍ଥାନର ସାହାଯ୍ୟରେ ଚାଲୁଥିବା ବହୁ ଆତଙ୍କବାଦୀ ଠିକଣାକୁ ଆକାଶ ମାର୍ଗରୁ ବୋମା ମାଡ଼ କରି ନଷ୍ଟ କରିବାରେ ସଫଳ ହୋଇଛନ୍ତି । ସେଇ ପ୍ରଚଣ୍ତ ଆକ୍ରମଣରେ ବହୁ ଆତଙ୍କବାଦୀ ପ୍ରାଣ ମଧ୍ଯ ହରାଇଛନ୍ତି । ଭାରତୀୟ ବାୟୁସେନାର ଓ୍ୱିଙ୍ଗ କମାଣ୍ଡର୍ ବୀର ଅଭିନନ୍ଦନ ବର୍ତ୍ତମାନ ଶତ୍ରୁପକ୍ଷର ଗୋଟେ F-16 ଲଢ଼ୁଆ ଯୁଦ୍ଧ ବିମାନକୁ ପିଛାକରି ପାକିସ୍ଥାନ ସୀମା ଭିତରେ ନଷ୍ଟକରି ସାରିବା ପରେ ନିଜ ଯୁଦ୍ଧ ବିମାନରେ ନିଆଁ ଲାଗିଯିବାରୁ ସେଇ ପାକିସ୍ଥାନ ମାଟିରେ ଶତ୍ରୁ ହାତରେ ଧରା ପଡ଼ି ଦିନକପରେ ପୁଣି ଭାରତ ଫେରି ଆସିଛନ୍ତି । ଏବେ ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ପାଇଁ ମଧ୍ଯ ନିର୍ବାଚନ ପର୍ଯାୟକ୍ରମେ ଅନୁଷ୍ଠିତ ହୋଇ ମଇ ୨୩ର ଫଳକୁ ଲୋକମାନେ ସେଥିରେ ହିଁ ମସଗୁଲ୍ ଅଛନ୍ତି ।
ଏଇ କେଇ ଦିନ ତଳେ ଗୋଟେ ଭାଇରାଲ ଭିଡିଓ ସୋସିଆଲ୍ ମିଡିଆରେ ଦେଖାଗଲା । ତାହା ସେଇ ଆମ ବୀର ସହୀଦ ମନୋଜଙ୍କ ପରିବାରଙ୍କୁ ନେଇ । ସେଇ ଭିଡିଓରେ ମନୋଜଙ୍କ ଫଟୋକୁ ତାଙ୍କ ଜନ୍ମଦାତ୍ରୀ ମାଆ ଧରିଥାନ୍ତି ଆଉ ପାଖରେ ମନୋଜଙ୍କ ପିତା ଠିଆହୋଇଥାନ୍ତି । ଇଏ ସେଇ ମାଆ ଯିଏ ମନୋଜକୁ ଦଶମାସ ଦଶଦିନ ଗର୍ଭରେ ଧାରଣକରି ଏଇ ପୃଥିବୀର ଆଲୋକ ଦେଖାଇଥିଲେ । ଏମାନେ ସେଇ ବାପ ମାଆ ଯିଏ ମନୋଜଙ୍କୁ ଜନ୍ମରୁ ଲାଳନ ପାଳନ କରି ତାଙ୍କର ସବୁ ଅଳି ଅର୍ଦ୍ଦଳି ପୁରଣ କରି ମଣିଷ କରିଥିଲେ । ମନୋଜଙ୍କ ମାଆ ଯାହା ସବୁ ମନର କଥା, ମନର ବ୍ୟାଥା କହୁଥାନ୍ତି ସେସବୁ ଯିଏ ବି ଶୁଣିବ ଖୁବ ଦୁଃଖ କରିବ ।
ସେ କହିଥିବା କଥା, “ପ୍ରାୟ ମାସକ ତଳୁ ତାଙ୍କ ବୋହୁ ବର୍ଷକର ଝିଅକୁ ସାଙ୍ଗରେ ଧରି ତା’ ବାପ ଘରକୁ ଚାଲିଯାଇଛି । ଏଇ ମାସକ ଭିତରେ କେବେ ବି ଫୋନ କିମ୍ବା କୌଣସି ଖବର ଦେଇ ନାହିଁ । ମନୋଜ ସହୀଦ ହେବା ପରେ ମିଳିଥିବା ସମସ୍ତ ସରକାରୀ ଓ ବେସରକାରୀ ଆର୍ଥିକ ସାହାଯ୍ୟ ମଧ୍ଯ ସାଙ୍ଗରେ ନେଇ ଯାଇଛି । ତାଙ୍କୁ ଏବଂ ମନୋଜଙ୍କ ବାପା ଉଭୟଙ୍କୁ ଡାଇବେଟିସ୍ ଓ ବ୍ଲଡ୍ ପ୍ରେସର । ଔଷଧ ଖାଇବାକୁ ମଧ୍ଯ ପଇସା ନାହିଁ । ଏକମାତ୍ର ରୋଜଗାରୀଆ ପୁଅକୁ ହରାଇ ଏବେ ଝିଅ ଜ୍ୱାଇଁଙ୍କ ହାତକୁ ଅନାଇ ବସିଛୁ । ଆଗକୁ କେମିତି ଆମେ ଚଳିବୁ ସେଇ ଚିନ୍ତା ସବୁବେଳେ ଘାରୁଛି ।”
ସହୀଦ ମନୋଜଙ୍କ ମାଆଙ୍କର ଏହି ଭିଡ଼ିଓ ଦେଖିବାପରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତାମତ ଦେଇଛନ୍ତି । କିଛି ଲୋକ ତାଙ୍କୁ ଦୋଷ ଦେଇଥିବା ବେଳେ ଆଉକିଛି ଲୋକ ତାଙ୍କ ବୋହୂ ଅର୍ଥାତ୍ ମନୋଜଙ୍କ ବିଧବା ସ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି ।
ଜଣେ ତାଙ୍କ ବକ୍ତବ୍ୟରେ ମନୋଜଙ୍କ ମାଆଙ୍କୁ ଖୁବ ତାଚ୍ଛିଲ୍ଯ କରି ଲେଖିଛନ୍ତି, “ଏ ଯେଉଁ ଢଙ୍ଗରେ କହୁଛନ୍ତି ଏଥିରୁ ଜଣା ପଡ଼ୁଛି ନିଜ ବୋହୂକୁ କେତେ ଭଲ ପାଏ ସତରେ?”
ସେହିପରି ଆଉ ଜଣେ ମନୋଜଙ୍କ ସ୍ତ୍ରୀ ଙ୍କୁ ଦୋଷ ଦେଇ ଲେଖିଛନ୍ତି, “ଖୁବ୍ ନିକଟରେ ଏ ଆଉ କେଉଁଠି ବାହା ହୋଇଯିବ ।”
କିନ୍ତୁ ସମାଜ ସଂସ୍କାରକଙ୍କ ମତରେ ସେଇ ନାରୀ ଆଉଥରେ ବିବାହ କରିବାରେ କୌଣସି ଅସୁବିଧା ନାହିଁ । ସମୟର ସ୍ରୋତରେ ବହୁ ପରିବର୍ତ୍ତନ ଆସିଛି । ସତୀ ଦାହ ପ୍ରଥା ଉଠିଛି, ବିଧବା ବିବାହ ହେଉଛି । କେତେ ବା ବୟସ ହୋଇଥିବ ସେଇ ଝିଅଟିକୁ । ଏତେ କମ ବୟସରୁ ବିଧବା ହେବା ପରେ ସଂସାରରେ ଏକୁଟିଆ ଜୀବନ ବିତାଇବା କିମ୍ବା କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାର ସମସ୍ତ ଅଧିକାର ସମ୍ପୂର୍ଣ୍ଣ ରୂପେ ସେଇ ଝିଅଟିର ରହିଛି । ଏମିତିରେ ବି ଗୋଟେ ସହୀଦର ସ୍ତ୍ରୀର ପରିଚୟ ସବୁବେଳେ ସମ୍ମାନର ସହିତ ସମାଜରେ ଦେଖାଯାଏ ।
ମନୋଜଙ୍କ ମାଆଙ୍କ ଭିଡିଓ ଭାଇରାଲ୍ ହେବାର ଦୁଇଦିନ ପରେ ତାଙ୍କ ସ୍ତ୍ରୀ ମତାମତ ରଖୁଥିବା ଏକ ଭିଡିଓ ସାମ୍ନାକୁ ଆସିଲା । ମନୋଜଙ୍କ ସ୍ତ୍ରୀ ତାଙ୍କର ସେଇ ବର୍ଷକର ଝିଅକୁ କୋଳରେ ଧରି ଯାହା କହିଲେ ନିମ୍ନରେ ରଖୁଛି;
“ମୋ ଶାଶୂ ଶ୍ୱଶୁର କେବେ ବି ମୋତେ ଭଲ ବ୍ୟବହାର ଦେଖାନ୍ତି ନାହିଁ । ମନୋଜଙ୍କ ମୃତ୍ଯୁର ଦୁଇଦିନ ପରେ ତାଙ୍କୁ ଗୋଟେ ବଣ୍ତ୍ ପେପରରେ ଦସ୍ତଖତ କରିବାକୁ ବାଧ୍ଯ କରିଥିଲେ ସେମାନେ । ମନୋଜ ତାଙ୍କ ବିବାହରେ କୁଆଡ଼େ ତାଙ୍କ ଭଉଣୀ ଭିଣୋଇଙ୍କଠାରୁ ତିନି ଲକ୍ଷ ଟଙ୍କା ଧାର ଆଣିଥିଲେ । କିନ୍ତୁ ଏଇ ଦେଢ଼ ବର୍ଷ ଭିତରେ ମନୋଜ ତାଙ୍କୁ କେବେ ଧାର କରିଛନ୍ତି ବୋଲି କହି ନଥିଲେ । ତାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ବାଧ୍ଯ ହୋଇ ଶାଶୂଘର ଛାଡ଼ି ଝିଅ ସହ ଆସି ବାପଘରେ ରହୁଛି ।”
ଏଠି ମନରେ ବହୁତ ଗୁଡ଼େ ପ୍ରଶ୍ନ ଉଠୁଛି । ସମସ୍ତଙ୍କ ମନରେ ଉଠୁଥିବ ମଧ୍ଯ । ଏଇ ଘଟଣା ଘଟିବା ପାଇଁ କ’ଣ କେବଳ ସେଇ ସବୁ ପ୍ରର୍ଯ୍ୟାପ୍ତ ସରକାରୀ ଓ ବେସରକାରୀ ଆର୍ଥିକ ସାହାଯ୍ୟ ରୂପକ ଟଙ୍କା ପଇସା ହିଁ ଦାୟୀ? ଆମ ସମାଜର ଗତି କୁଆଡ଼େ? ଶାଶୂ ଶ୍ୱଶୁର ତାଙ୍କ ବୋହୂକୁ ନିଜ ଝିଅ ପରି ସ୍ନେହ ଶ୍ରଦ୍ଧା କରିବାରେ ଅସଫଳ ହୋଇଛନ୍ତ କି? ମନୋଜଙ୍କ ସ୍ତ୍ରୀ ତାଙ୍କ ଶାଶୂ ଶ୍ୱଶୁରଙ୍କୁ ନିଜ ବାପ ମାଆଙ୍କ ପରି ସମ୍ମାନ କରୁଥିଲେ କି? ଏମିତି ବହୁ ଅସମାହିତ ପ୍ରଶ୍ନ ସବୁ ମନରେ ଆସିବା ସ୍ୱାଭାବିକ ।
ଏମିତି ସବୁ ଭିତରେ ସହୀଦ ମନୋଜଙ୍କ ଆତ୍ମାର ଅବସ୍ଥା କ’ଣ ହେଉଥିବ? ଦେଶ ମାତୃକାର ସେବା କରୁଥିବା ବେଳେ ପ୍ରାଣଦାନ ପରି ସର୍ବଶ୍ରେଷ୍ଠ ଦାନ ଦେଇ ସହୀଦ ହୋଇଛନ୍ତି । କାଳ କାଳକୁ ନିଜ ପରିବାର, ରତନପୁର ଗ୍ରାମ ଓ ରାଜ୍ୟର ନାମକୁ ସ୍ୱଣ୍ଣଅକ୍ଷରରେ ଲିପିବଦ୍ଧ କରି ଯାଇଛନ୍ତି । କିନ୍ତୁ ନିଜ ପରିବାରର ଏଇ ଦୁରବସ୍ଥା ଦେଖି ତାଙ୍କ ଆତ୍ମା ନିଶ୍ଚୟ କାନ୍ଦୁଥିବ । ଭଗବାନ କରନ୍ତୁ ତାଙ୍କ ପରିବାରର ଦୁରବସ୍ଥା ସୁଧୁରିଯାଉ । ସମସ୍ତେ ଭଲରେ ରୁହନ୍ତୁ । ତାଙ୍କର ଏକମାତ୍ର ସନ୍ତକ ସେଇ କୁନି ଝିଅଟି ଖୁବ ସୁଖରେ ବଢ଼ୁ, ତା’ଭବିଷ୍ଯତ ଉଜ୍ଜଳମୟ ହେଉ । ଏସବୁ ଦେଖିଲେ ତାଙ୍କ ଆତ୍ମା ନିଶ୍ଚୟ ହସି ଉଠିବ ।
Comments
ପ୍ରଶାନ୍ତ କୁମାର ବେହେରା ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ । ତାଙ୍କ ରଚିତ ବିଭିନ୍ନ ଗଳ୍ପକବିତାଦି ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଉଛି ।