ଅସ୍ପଷ୍ଟ

Aspasta

ଅନେକ ଦିନ ପରେ ପାଖାପାଖି ପାଞ୍ଚ ବର୍ଷ ପରେ ଆଜି ଜଣେ ଘନିଷ୍ଠ ବନ୍ଧୁର ବାହାଘରରେ ଯୋଗ ଦେବାପାଇଁ ତା’ ଘର ଅଭିମୁଖେ ଯାତ୍ରା ଆରମ୍ଭ ହେଇଥାଏ । ମନରେ ବହୁତ କିଛି ଆଶା ଉଦ୍ଦୀପନା, କାରଣ ବାଣୀବିହାରରେ ପଢ଼ା ଚାଲିଥିବା ସମୟର ସାଙ୍ଗ ସିଏ । ମନରେ ଭାରି ଖୁସି କାରଣ ବାଣୀବିହାରରେ ଥିଲାବେଳେ ଅନେକ ସାଙ୍ଗ ଥିଲେ । ଅନେକ ସାଙ୍ଗଙ୍କ ଜୀବନରେ କେହି ନା କେହି ଯୁବକ ଆସିଥିଲେ କିଛିକ୍ଷଣ ଅନୁଭୂତି ନେଇ, କିନ୍ତୁ ସେମାନଙ୍କ ଯାତ୍ରା ବାହାଘରର ସେ ପବିତ୍ର ଯଜ୍ଞକୁଣ୍ଡ ଯାଏଁ ପହଞ୍ଚି ପାରିନଥିଲା । କିନ୍ତୁ ଏମାନେ ଦି’ଜଣ ଦୀର୍ଘତମ ପ୍ରେମର ଯାତ୍ରା ଅତିକ୍ରାନ୍ତ କରି ବାହାଘର ମଣ୍ଡପରେ ଉପନୀତ ହେବାକୁ ଯାଉଛନ୍ତି ।

ମୁଁ ପହଞ୍ଚି ତାକୁ ଫୋନ କଲି, ତା’ଭାଇ ଆସି ମୋତେ ତାଙ୍କ ସାଙ୍ଗରେ ତାଙ୍କ ଗାଁକୁ ନେଇଗଲେ । ଘରେ ପହଞ୍ଚି ଦେଖେ ଚତୁଃପାର୍ଶ୍ୱ ଫୁଲରେ ସଜା ହେଇଚି । ନାଲି ନେଳୀ ଆଲୁଅରେ ଚତୁଃପାର୍ଶ୍ୱ ଆଲୋକିତ ହେଇଛି । ବନ୍ଧୁବାନ୍ଧବରେ ଘର ଉଛୁଳି ପଡ଼ୁଛି । ଅନେକ ସମୟର ଅତିଥି ସତ୍କାର ପରେ ମଉସାମାଉସୀଙ୍କୁ ପ୍ରଣାମ କରି ଲକ୍ଷ୍ମୀ ପାଖରେ ପହଞ୍ଚିଲି । ଲକ୍ଷ୍ମୀ, ମୋ ବାଣୀବିହାରର ଭଲ ସାଙ୍ଗ, ବାଡ଼ୁଅପାଣିରେ ଗାଧେଇ ଆହୁରି ସୁନ୍ଦର ଲାଗୁଥାଏ, କିନ୍ତୁ ତା ମୁଁହରେ ସେ ହସ ନଥାଏ । ସତେ ଯେମିତି ସେ ବିନ୍ଦାସ ଲକ୍ଷ୍ମୀ ଇଏ ନୁହଁ ! ସେ ହଳଦୀ ମୁଖି, ଏକ ଚାଉଳରେ ଗଢ଼ା ଲକ୍ଷ୍ମୀ ସାନ୍ତାଣିଙ୍କ ପ୍ରତିମା ଲକ୍ଷ୍ମୀ ଯେପରି ଏଇ ଝିଅ ନୁହଁ !! ନିଜ ଭାବନାଗୁଡ଼ିକୁ ଅକ୍ତିଆରରେ ରଖି ମନେ ମନେ କହିଲି, “ଦାର୍ଶନିକ ମହାଶୟ, ଏଇଠି ନିଜ ଚିନ୍ତାଧାରାକୁ ପୂର୍ଣ୍ଣଛେଦ ପକାଅ । ସବୁ କଥାରେ ଜିରାରୁ ସିରା କାଢ଼ିବା ଯେମିତି ତୁମ ରକ୍ତରେ ଅଛି ! ସରଳ କଥାକୁ ଟିକିନିଖି କରି ଦେଖିବା ଗୁଣ ଜନ୍ମରୁ ଟିକେ ଥିଲା ଆଉ ଦର୍ଶନଶାସ୍ତ୍ର ତାକୁ ଆଉ ଦିପାଦ ଆଗକୁ ନେଇଗଲା ଯେମିତି ।” ନିଜ ମନକୁ ନିଜ ଆୟତରେ ରଖିଲି ଓ ତା’ପରେ ବାହାଘରର ଚାକଚକ୍ୟ ମଧ୍ୟରେ ନିମଜ୍ଜିତ ହେଇଗଲି । ଏପଟସେପଟ କାମ ଦେଖୁ ଦେଖୁ କେତେ ବେଳେ ସଞ୍ଜ ନଇଆସିଲା ଜଣାପଡ଼ିଲାନି । ସନ୍ଧ୍ୟା ହେବାରୁ ଟିକେ ଖାଲି ସମୟ ମିଳିଲା ଲକ୍ଷ୍ମୀ ସହ କଥା ହେବାକୁ । କାରଣ ତାକୁ ସଜେଇବା କାମ ମୋ ଉପରେ ନ୍ୟସ୍ତ କରିଥିଲେ ମାଉସୀ ଆଉ ଲକ୍ଷ୍ମୀର ବି ପୁରା ଜିଦ ଥିଲା କି ମୁଁ ହିଁ ତାକୁ ସଜେଇବି ।

ଏବେ ମୁଁ ଆଉ ଲକ୍ଷ୍ମୀ ଏକାନ୍ତରେ… ମୁଁ ହସି ହସି ତାକୁ ଚିଡ଼ାଉ ଥାଏ ଆଉ କେଇ ଘଣ୍ଟାରେ ତୁ ତ ବଦଳି ଯିବୁ । ବଡଘରର ବୋହୂ ହେଇ ତୁ କ’ଣ ଆମକୁ ମନେ ରଖିବୁ !! ଏମିତି କେତେ କ’ଣ କହି ତାକୁ ଚିଡ଼ଉଥାଏ, କିନ୍ତୁ ସେ ଥାଏ ପୁରା ଚୁପଚାପ । ସେତେବେଳକୁ ସଜାସଜି କାମ ସାରିବାକୁ ବସିଲାଣି କିନ୍ତୁ ତା’ ମୁଁହରେ ହସ ନାହିଁ । ନିଜକୁ ସମ୍ଭାଳି ନ ପାରି ପଚାରିଦେଲି, “କ’ଣ ହେଇଚି ଲକ୍ଷ୍ମୀ? ସବୁ ଠିକ ଅଛି ନା?” ଆଉ ସିଏ କିଛି ନ କହି ମୋତେ କୋଳେଇ ନେଇ କାନ୍ଦିବାକୁ ଲାଗିଲା, ଠିକ ଛୋଟ ପିଲାଟି ଭଳି । କିଛି ସମୟ ଯାଏଁ ମୁଁ କିଛି ବୁଝି ପାରିଲିନି । ତଥାପି ତା’ ଲୁହକୁ ପୋଛି ନିଜ କୋହକୁ ସମ୍ଭାଳି ତାକୁ ପଚାରିଲି, “କଣ ହେଇଚି ତ କହ?” କାନ୍ଦିକାନ୍ଦି ସେ କହିଲା, “ଆଜି ମୋ ଭୁଲ କାରଣରୁ ମୋ ସମ୍ପୂର୍ଣ୍ଣ ପରିବାର କଷ୍ଟ ଭୋଗୁଛନ୍ତି । ଭୁଲ ହେଇଗଲା ତାଙ୍କୁ ଭଲ ପାଇକି ।” ଏଇ କଥା ଶୁଣି ମୁଁ କିଛି ସମୟ ନିରବ ହେଇଗଲି । କାରଣ ଆରମ୍ଭରେ ଦୁଷ୍ମନ୍ତ ମୋତେ ବି ପସନ୍ଦ ନଥିଲା । ଲକ୍ଷ୍ମୀକୁ ଚିଡ଼େଇବାକୁ ଯାଇ କହୁଥିଲି ଦୁଷ୍ମନ୍ତ ନୁହଁ ଦୁଃଶାଶନ ସିଏ । ଦୁଷ୍ମନ୍ତ ଲକ୍ଷ୍ମୀର ପ୍ରେମିକ । କିନ୍ତୁ ଏ ଭିତରେ ତ ଅନେକ ବର୍ଷ ବିତି ଗଲାଣି । ତଥାପି ଏମିତି ମନ୍ତବ୍ୟ ମନ କଥା ମନରେ ରଖି ମୁଁ ପଚାରିଲି, “ଆରେ ଇଏ କ’ଣ କହୁଚୁ, ଯାହାକୁ ଏତେଦିନ ତୁ ଭଲ ପାଉଥିଲୁ ତାକୁ ବିବାହ କରିବାକୁ ଯାଉଛୁ ପୁଣି ଭୁଲ ହେଇଗଲା ବୋଲି କହୁଚୁ !!!” ସେ ଚୁପ ଚାପ କାନ୍ଦି ଚାଲିଥାଏ ସେମିତି । ପୁଣି ମୁଁ ପଚାରିଲି, “ଆରେ ବାବା ହେଇଚି କ’ଣ କହ ତ?” ସେ କିନ୍ତୁ ଛୋଟ ପିଲାଟିଏ ଭଳି କାନ୍ଦି ଚାଲି ଥାଏ… ଠିକ ଏତିକି ବେଳେ ତା ବନ୍ଧୁବାନ୍ଧବ ରୁମ ଭିତରକୁ ଆସିଲେ ଆଉ କହିଲେ ଆରେ ଲୋକ ଆସିଲାଣି ଝିଅକୁ ମଣ୍ଡପକୁ ନେଇଚାଲ । ତା ମୋ କଥା ତା ଲୁହ ଆଉ ମୋ ପ୍ରଶ୍ନ ମଧ୍ୟରେ ରହିଗଲା ଅସ୍ପଷ୍ଟ । ମନରେ ହଜାରେ ପ୍ରଶ୍ନ – କଣ ହେଇଚି? କାହିଁକି ସେ ଏମିତି କହିଲା?? କିନ୍ତୁ କାହାକୁ ପଚାରିବି, କେମିତି ଜାଣିବି କ’ଣ ହେଇଚି !!! ଏସବୁ ଦ୍ଵନ୍ଦ ଭିତରେ ମୁଁ ଘୁରି ବୁଲୁଥାଏ । ଏତେ ଲୋକଙ୍କ ଭିଡ଼ରେ ତାକୁ ପଚାରିବି କେମିତି ଏସବୁ ଭାବୁ ଭାବୁ ପଛରୁ ଶୁଭିଲା ଆରେ ବରଯାତ୍ରୀ ଆସିଲାଣି ।

ଏସବୁ ଗହଳି ମଧ୍ୟରେ ଦୁଷ୍ମନ୍ତ ଆଉ ଲକ୍ଷ୍ମୀ ବିବାହର ସେ ପବିତ୍ର ବେଦୀ ଉପରେ ବସିଥାନ୍ତି । ପୁରୋହିତ ଡାକ ପକାଉଥାନ୍ତି କନ୍ୟାର ପିତାକୁ ଡାକ । ଦୁଇ ତିନିଥର ଡାକ ପକେଇବା ପରେ ବି ମଉସା କି ମାଉସୀ ଆସୁନଥାନ୍ତି । ବାଧ୍ୟ ହେଇ ମୁଁ ଗଲି ଡାକିବାକୁ । ଯାଇକି ଦେଖେ ତ ମାଉସୀ ତାଙ୍କ ବେକରୁ ଚେନ ଟି କାଢ଼ି ହାତରେ ଧରି କାନ୍ଦୁଛନ୍ତି ଆଉ ମଉସା ନିଜର ସମସ୍ତ ବଳ ପ୍ରୟୋଗ କରି ନିଜ ହାତରେ ପିନ୍ଧି ଥିବା ମୁଦିଟିକୁ କାଢ଼ିବାକୁ ପ୍ରୟାସ କରୁଛନ୍ତି । ଏସବୁ ଦେଖି କିଛି ସମୟ ପାଇନି ସ୍ଥାଣୁ ହେଇଗଲି । ଏସବୁ କ’ଣ ହେଉଛି ମୁଁ ପଚାରିବା ପୂର୍ବରୁ ମାଉସି ମଉସାଙ୍କୁ କହୁଥାନ୍ତି, ମୋ ମା ବାହାଘର ବେଳେ କିଛି ଦେଇପାରି ନଥିଲା ବୋଲି ଏଇ କିଛି ବର୍ଷ ପୂର୍ବରୁ ମରିବାକୁ ଯିବା ଆଗରୁ ତମକୁ ଏଇ ମୁଦିଟି ଆଣି ଦେଇଥିଲା ଆଉ ଆଜି ତମେ ତାକୁ…. ଏ କଥା ଅସ୍ପଷ୍ଟ ଭାବେ କହି ଜୋରରେ କାନ୍ଦିବାକୁ ଲାଗିଲେ । ସେତେବେଳକୁ ମଉସା ମୁଦି କାଢ଼ିସାରି ମାଉସୀଙ୍କୁ କହୁଥାନ୍ତି, ଆରେ ଚେନଟା ଦିଅ ସେପଟେ ପା ବେଳ ଗଡ଼ି ଯାଉଛି ! ଆରେ ବାବା ଦିଅ, ଜାଣିଚି ଇଏ ମୋ ପ୍ରଥମ ଦରମାର ଉପହାର । ହେଲେ ଟିକେ ଭାବି କି ଦେଖିଲ, ଆମ ଲକ୍ଷ୍ମୀ ଖୁସିଠୁ କ’ଣ ଏସବୁ ବଡ଼? ଠିକ ସମୟରେ ତ ତମ ଦି ଭାଇ ମନା କରିଦେଲେ ଏବେ ଆଉ କଣ କରିବି? ସମୁଦୀଙ୍କ କଥା ତ ଜାଣିଛ, ଟିକେ ଉଣାହେଲା ବର ଘୁରେଇ ନେବେ । ଏଇ ଛୋଟ କଥା ପାଇଁ ମନ ଉଣା କରନି । ଦେଖିବ ବାହାଘର ପରେ ତମ ଝିଅ ୟାଠୁ ଭଲ ଚେନ ଆଣି ଦେବ । ଏଇ କଥା କହି ବୁଝେଇକି ନେଇଗଲେ ମଉସା ମାଉସୀଙ୍କୁ ବେଦୀ ଆଡ଼କୁ ଆଉ ମୁଁ କାନ୍ଥକୁ ଆଉଜି ଖୁଣ୍ଟଟି ପରି ଛିଡ଼ା ହେଇଥାଏ ସେଇଠି । ସବୁ କିଛି ପ୍ରେକ୍ଷାଳୟର କାହାଣୀ ପରି ପରିବେଷିତ ହେଉଥାଏ ଯେମିତି !! ସେତେବେଳକୁ କିଏ ଗୋଟେ ଆସି ଡାକିଲା ଲକ୍ଷ୍ମୀ ନାନୀ ତମକୁ ଖୋଜୁଛି ଝିଅ ବିଦା ହେବ ଜଲ୍‌ଦି ଆସ । ମୁଁ ବାସ ଛୋଟ ପିଲାଟି ଭଳି ଗଲି । କିଛି କହି ପାରୁ ନଥାଏ । ଏସବୁ କ’ଣ ହେଉଛି ଜାଣିପାରୁ ନଥାଏ ସବୁ କଥା ଅସ୍ପଷ୍ଟ ଦେଖା ଯାଉଥାଏ ଯେମିତି !!

ନିଜ ମନର ଅସ୍ପଷ୍ଟତାକୁ ସମ୍ଭାଳି ତାକୁ ବିଦାୟ ଦେଲି । ଭାବିଲି ସବୁ କାମ ସରିଲା ପରେ ମଉସା ମାଉସୀଙ୍କଠୁ ସବୁ ବୁଝିବି କ’ଣ ହେଇଚି କିନ୍ତୁ ମୁଁ କିଛି ପଚାରିବା ପୂର୍ବରୁ କିଛି ଅତ୍ୟାବଶ୍ୟକ କାମରେ ମୋତେ ସେଠୁ ଶୀଘ୍ର ବାହାରିବାକୁ ପଡ଼ିଲା । ବ୍ୟସ୍ତବହୁଳ ଜୀବନ ଭିତରେ ଦି ମାସ ବିତି ଯାଇଥିଲା । ଲକ୍ଷ୍ମୀସହ ଦି’ଚାରି ଥର କଥା ହେଇଚି । ଶୁଣି ଖୁସି ଲାଗୁଚି ସେ ଏବେ ଖୁସି ଅଛି । ଧୀରେଧୀରେ ମୋ ମନରୁ ବି ବାହାଘର ଦିନର ସବୁ କଥା ଲିଭିବାକୁ ଲାଗିଲା । ମନରେ ଖୁସି ଥିଲା ଏତେସବୁ ଭିତରେ ସେ ଖୁସି ଅଛି । ମାତ୍ର ସେଦିନ ସକାଳୁ ଚା’ କପରୁ ଚାହା ପିଇବା ପୂର୍ବରୁ ଚା’ କପଟି ଖସି ଭାଙ୍ଗି ଯାଇଥିଲା । କିଛି ସମୟ ପାଇଁ ପତ୍ରିକାର ସବୁ ଲେଖା ଅସ୍ପଷ୍ଟ ହେଇଯାଇଥିଲା ଯେତେବେଳେ ପଢ଼ିଥିଲି, “ପ୍ରଭାକର ବିଶ୍ୱାଳଙ୍କ ଝିଅ ଲକ୍ଷ୍ମୀ ପାଇକରାୟ, ଦି’ମାସ ତଳେ ବିବାହ କରିଥିବା ନବ ବଧୂଙ୍କ ମର ଶରୀର ଗାଆଁ ପାଖ ଟ୍ରେନ ଲାଇନ ପାଖରୁ ମିଳିଛି ।” ସବୁ କାହାଣୀ ପୁଣି ଥରେ ମୋ ଆଖି ଆଗରେ ନାଚି ଉଠିଲା ଅସ୍ପଷ୍ଟ ଭାବେ…

– ପୂର୍ଣ୍ଣିମା ଲେଙ୍କା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...