ଆସ ଆମେ ଯିବା

ଆସ ଆମେ ଯିବା

ଆସ ଆମେ ଯିବା
ଆମ କଳ୍ପିତ ପୃଥିବୀକୁ,
ଇପ୍ସିତ ସକାଳର ସୁନେଲି ଖରାରେ
ବାଟ କାଢ଼ି, ରାତିର ଅନ୍ଧାରରେ
ଆମର ଅସ୍ତିତ୍ବ ଖୋଜିବା

ଶବ୍ଦର କୁହୁକରେ
କବିତାର ଜାତକ ଲେଖିବା
ତୁମର ପ୍ରତିଟି ‘ହଁ’ରେ ହିଁ
ଆମେ କବିତା ଲେଖିବା,
ପାହାନ୍ତି ସପନରେ
ନୂଆ ଏକ ସକାଳର
ଭବିଷ୍ୟ ଦେଖିବା,
ରାତିର ନିରବତାରେ
ସଞ୍ଜର ଇତିହାସ ପଢ଼ିବା

ପବନର ଫିସଫିସରେ
ପ୍ରେମର ବାର୍ତ୍ତାକୁ ଆମେ
ସନ୍ତର୍ପଣେ ବୁଝି ନେବା,
ନଈ ଏ ପାରି ଛିଡ଼ା ହୋଇ
ଆର ପାରିରୁ ପ୍ରତିଧ୍ଵନି ଶୁଣିବା,
ପାହାଡ଼ ଶିଖରରେ
ଉଆଁସ ରାତିରେ ବି
ଜହ୍ନର ଆଲୁଅରେରେ ଭିଜିବା

ନଥିବା ବସନ୍ତରେ ବି
ସୁଖର ସହର ଗଢ଼ିବା
ଅପେକ୍ଷାକୁ ଭୁଲି ଯାଇ
ନିରୀହ ସ୍ମୃତି ହୋଇ
ନିଜ ନିଜ ଭିତରେ ସାଇତି ରହିବା,
ଶ୍ରାବଣର ବର୍ଷା ଛିଟାରେ
ଭିଜା ମାଟିର ବାସ୍ନାରେ ମହକି ଉଠିବା

ଆସ ଆମେ ଯିବା
ଆମ କଳ୍ପିତ ପୃଥିବୀକୁ,
ଇପ୍ସିତ କବିତାର
ପ୍ରଥମ ଧାଡ଼ି ସାଜିବା,
ଅସ୍ତର ଯହିଁ ଠିକଣା ନଥାଏ
ଉଦୟକୁ ବାଟ ଖୋଲି ଦେବା,
କବିତାର ପ୍ରତ୍ୟେକ ଶବ୍ଦରେ
ନୂଆ ନୂଆ ଆରମ୍ଭର ଏକ
ଗୋପନ ରହସ୍ୟ ଦେଖିବା …………..

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...