ଆରାଧନା

Odia Story Aradhana (ଆରାଧନା) by Nirupama Gouda

ଆଜି ପବିତ୍ର ମହାଷ୍ଟମୀ । ସବୁଦିନ ପରି ଆଜି ମଧ୍ୟ ସୁନୟନା ମା’ଙ୍କର ପୂଜା ପାଇଁ ତାଙ୍କ ସାହି ମନ୍ଦିରକୁ ସକାଳୁ ସକଳୁ ବାହାରି ପଡ଼ିଲା । ପବିତ୍ର ମହାଷ୍ଟମୀରେ ମା’ଙ୍କର ଦର୍ଶନ କରିବା ପାଇଁ ତା’ ମନ ବ୍ୟାକୁଳ ହୋଇଉଠୁଥିଲା । ମନରେ ତା’ର ଭରିରହିଥିଲା ଉତ୍ସାହ ଓ ଉଦ୍ଦୀପନା । ଖୁସିରେ ଆତ୍ମହରା ହେଇ ଉଠୁଥିଲା ସୁନୟନା । ଠିକ ସେଇ ସମୟରେ ସେ ଲକ୍ଷ୍ୟ କଲା ତାଙ୍କ ସାହିର କେତେ ଜଣ ବଦମାସ ଯୁବକ ତାକୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି । ତା’ ମନରେ ଭୟ ଆଉ ଛନକା ପଶିଆସିଲା । ତଥାପି ତା’ ପାଦ ଅଟକୁ ନଥାଏ, ଚାଲିଥାଏ ମା’ଙ୍କର ମନ୍ଦିର ଆଡ଼କୁ । କାରଣ ସେ ସେହି ଯୁବକମାନଙ୍କର କୁତ୍ସିତ ମାନସିକତା ସହ ବେଶ ପରିଚିତ ଥିଲା । ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରି ସୁନୟନା ପହଞ୍ଚି ଯାଇଥିଲା ମା’ଙ୍କ ମନ୍ଦିରରେ । ମନ୍ଦିର ଭିତରୁ ଶୁଭୁଥିଲା ଦୁର୍ଗତି ନାଶିନୀ ମା’ ଦୁର୍ଗାଙ୍କର ଚଣ୍ଡୀ ପାଠର ଶ୍ଳୋକ । ପୂଜା ମଣ୍ଡପ ଶଙ୍ଖ, ହୁଳହୁଳି ଶବ୍ଦ ଏବଂ ଦେବୀ ଦୁର୍ଗାଙ୍କର ଜୟ ଜୟକାର ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଥିଲା । ସୁନୟନା ମା’ଙ୍କର ପୂଜା ଆରାଧନା ଅତି ନିଷ୍ଠାରର ସହିତ କଲା । କିଛି ସମୟ ପରେ ସେ ମନ୍ଦିରରୁ ପୂଜା ସାରି ବାହାରି ଦେଖେତ ପୁଣି ସେହି ଅସଭ୍ୟ ଯୁବକମାନେ ତାକୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି । କିନ୍ତୁ ଏଥର ତାଙ୍କ ଅଭାଦ୍ରାମୀ ବଢ଼ି ଯାଇଥିଲା । ତଥାପି ବି ସୁନୟନା ଚୁପ ଥିଲା । କିଛି ସମୟ ପରେ ସେ ଲକ୍ଷ୍ୟ କଲା ଜଣେ ଯୁବକ ତା’ର ଅତି ନିକଟକୁ ଆସିବାରେ ଲାଗିଛି । ଏଥର ସେ ଆଉ ଚୁପ ହୋଇ ରହିପାରିଲାନି । ସେଇ ବଦମାସର ଗାଲରେ ଶକ୍ତ ଏକ ଚାପୁଡ଼ା କଷି ଦେଇଥିଲା ସୁନୟନା । ରାଗରେ ତା’ ମୁହଁ ଲାଲ ପଡିଯାଇଥିଲା । ସେହି କ୍ଷଣି ଲାଗୁଥିଲା ସତେ ଯେମିତି ସ୍ୱୟଂ ଶତ୍ରୁ ସଂହାରିଣୀ ମା’ ଦୁର୍ଗା ସୁନୟନା ରୂପରେ ଆବିର୍ଭୂତ ହୋଇଯାଇଛନ୍ତି ଧାରାପୃଷ୍ଠରେ ! ଏକାକାର ହେଇଯାଇଛନ୍ତି ମା’ ଦୁର୍ଗା ଆଉ ସୁନୟନା !! ମନ୍ଦିରର ଘଣ୍ଟ ହୁଳହୁଳି ଭିତରେ ସତେ ଯେମିତି ମା’ କହୁଛନ୍ତି ସମଗ୍ର ନାରୀ ସମାଜର ସମ୍ମାନ କରିବା ହିଁ ହେଉଛି ମୋର ଶ୍ରେଷ୍ଠ ଆରାଧନା !!!

– ନିରୁପମା ଗୌଡ଼

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...