ଅଣ୍ଡିରା ଭୂତ

Andira Bhuta

ଭୂତ ବିଷୟରେ ଚର୍ଚ୍ଚା କରିବାର ଭୂତ ଯଦି ମୁଣ୍ଡକୁ ଚଢ଼ିଥିବ ତେବେ ଏକ ଦୁଇ ଲାଗିଲେ ଚର୍ଚ୍ଚାସ୍ଥଳରୁ କାହାକୁ ଗୋଟେ ହାତଗୋଡ଼ ଯୋଡ଼ି ସାଙ୍ଗରେ ନେଇ ନଯିବା ଯାଏଁ ନିଜ ଔକାତ ଜଣା ପଡ଼େନି କି ଭୂତଗପ ଭୂତଚର୍ଚ୍ଚା ସହଜେ ବନ୍ଦ ହୁଏନି । ତେବେ ବଡ଼ବଡ଼ୁଆମାନେ କହନ୍ତି ମଲାବେଳେ ଯଦି ନିହାତି କିଛି ଆଶା ରହିଯାଏ କିମ୍ବା ଭୟାନକ ମୃତ୍ୟୁଟେ ହେଇଥାଏ, ତେବେ ଆତ୍ମା ଅତୃପ୍ତ ହେଇ ଭୂତ ପାଲଟେ ।

ଏ ଭୂତଗୁଡ଼ାକ ୟା ତା’ ଦେହରେ ପଶି ନିଜ ଅଭିପ୍ରାୟ ପୂରଣ ହେଲାଯାଏ ଘୁରିବୁଲନ୍ତି, କାମ ସରିଗଲେ ଯାଇ ମୋକ୍ଷ ପାଆନ୍ତି । ସେମାନେ busy ଭୂତ, ବଞ୍ଚିଥିଲା ବେଳେ ତାଙ୍କୁ ମରିବାକୁ ବି ସମୟ ନଥାୟ । ଆଉ ଯେତକ ଆମଭଳିଆ ଦିନଯାକ ଖଟି ମାରନ୍ତି ସେଗୁଡ଼ା ମଲାପରେ ଆମ୍ବ ତେନ୍ତୁଳି ଗଛ ଖୋଜନ୍ତି, ବାକି ରହିଯାଇଥିବା ଗୁଲି ଖଟି ସବୁ କରିବା ପାଇଁ । ଏଇମାନେ ବେଶି ଡରାନ୍ତି ସଞ୍ଜ ହେଲେ ନହେଲେ ଉଦୁଉଦିଆ ଖରାବେଳେ । ସେଇଲାଗି ୟାଙ୍କ ଚର୍ଚ୍ଚା ଭାରି କମ ହୁଏ, ଏଗୁଡ଼ା prestigeless ଭୂତ ।

ତେବେ ଯେତେଥର ଭୂତ ଚର୍ଚ୍ଚା ହୁଏ ସବୁଥର ଯୋଡ଼େ ପ୍ରଶ୍ନ ମୋ ମୁଣ୍ଡରେ ଉଠେ । ପ୍ରଥମଟି ହେଲା ଭୂତଗୁଡ଼ା କ’ଣ ଅନ୍ୟ କିଛି ଡ୍ରେସ ପାଆନ୍ତିନି?? ସବୁବେଳେ ସେଇ ଦି’ ହାତ ଲମ୍ବା ମାଟିରେ ଘୋଷାରୁଥିବା ଧଳା ଶାଢ଼ୀ, ଅଲଗା ରଙ୍ଗ କାଁ ଭାଁ । ଆଉ ଦ୍ୱିତୀୟଟି ହେଲା ସବୁଭୂତ କ’ଣ ପାଇଁ ମାଇ, ଅଣ୍ଡିରା ଭୂତ କ’ଣ ଜନମ ହୁଅନ୍ତିନି??

କାଲି ରାତିରେ ଏ ପ୍ରଶ୍ନସବୁ ଭୂତ ହେଇ ମୁଣ୍ଡକୁ ଚଢ଼ିଲେ । ଭାରି ଗୁଡ଼ୁଗୁଡ଼ୁ ହେଲେ, ଶୁଏଇ ଦେଲେନି । ଛାତଉପରକୁ ଗଲି । ଜୋର ପବନ, ଆକାଶ ପୁରା ଅନ୍ଧାର, ଡର ବି ଲାଗୁଥାଏ ଟିକେ ଟିକେ । ଏଇସବୁ କଥା ଭାବି ଭାବି ପଇଁତରା ମାରୁଥିଲି, ହଠାତ୍ କରେଣ୍ଟ କଟିଗଲା । ମଲା ମଣିଷ ଏଥର, ହୁଇସିଲ ମାରି କିଳାକୁ ଡାକିଚି । କଥାରେ ଅଛି ବାଘ ଡର ଯେଉଁଠି, ଅନ୍ଧାର ହୁଏ ସେଇଠି । କରିବି କ’ଣ ଏବେ, ଲିଫ୍ଟଟା ବି ବନ୍ଦ ହେଇଯାଇଥିବ କରେଣ୍ଟ କଟି । ସିଡ଼ିବାଟେ ଆସିବି କେମିତି, ବାର ମହଲା ଓହ୍ଲେଇବାକୁ ହେବ । କିଟିକିଟିଆ ଅନ୍ଧାର, ଡର ବି ଜୋର ଲାଗୁଥାଏ । ଏଇ ସବୁ ଭାବି ଭାବି ଆରମ୍ଭ କଲି ହନୁମାନ ଚାଳିଶା, ସେତକ ମାତ୍ର ପୁଞ୍ଜି । ସାତ ମହଲା ଖଣ୍ଡେ ଆସିଛି କି ନାଇ ଡରରେ ପାଦ ଆଉ ଉଠିଲାଣି । ଡର ଯେତେ ବଢ଼ୁଥାଏ ମନକୁ ଟାଣ କରିବାକୁ ଚାଳିଶା ସେତେ ଜୋରରେ ଗାଉଥାଏ । ଚାଳିଶା ସେତେବେଳକୁ ପଞ୍ଚମ ସ୍ୱରରେ, ଭାରି କଷ୍ଟରେ ଆଉ ଦି ପାଦ ଓହ୍ଲେଇଚି ବୋଧେ କିଏ ଗୋଟେ ସାଏଁକିନା ଲୁଚିଗଲା ସିଡ଼ିରେ । ମୁଁ କାଠ, ଓଲଟି ପଡ଼ି ବେହୋସ ହେଇଗଲି, ମୋର ଆଉ କିଛି ମନେନାଇଁ ।

ଆଖି ଖୋଲିଲା ବେଳକୁ ମୁଁ ଡଷ୍ଟବିନ ପାଖରେ ପଡ଼ିଛି, କିଏ ଗୋଟେ ମାଡ଼ି ବଶିଚି ବେକକୁ, କିଛି ଦିଶୁନି ଖାଲି ଅନୁଭବ କରିବା କଥା । ଦେହ ଥରୁଛି, ତଣ୍ଟି ଶୁଖିଗଲାଣି, ହାତଗୋଡ଼ ଚାଲୁନି, ପାଟି ଫିଟୁନି । ଖନେଇ ଖନେଇ ପଚାରିଲି, “କିଏ ତମେ ମୋତେ କାଇଁ ଧରିଚ??” ଗଁ ଗଁ ହେଇ କହିଲା, “ହରାମଜାଦା ଜାଣି ପାରୁନୁ ମୋତେ । ଭୂତମାନଙ୍କ ଲିଙ୍ଗ ନିରୂପଣ କରିବାକୁ ତୋତେ କିଏ କହିଲା ବେ ।”

ମୋର ସେତେବେଳକୁ ରକ୍ତ ଶୁଖି ଆସିଲାଣି, ମରିଯିବି ବୋଧେ ! ହାତ ବି ଯୋଡ଼ି ପାରୁନି, କ’ଣ ପାଇଁ ଯେ ଆସୁଥିଲି ଛାତ ଉପରକୁ, ନାମ ନେଲି ଏଥର । ପୁଣି କହିଲା ସେ, “ଆମେ ସବୁ ତୋ କଥା ଶୁଣୁଥିଲୁ, ଲୋକଙ୍କ ମନ ପଢ଼ି ଆସେ ଆମକୁ । ସେଇଯେ ଲମ୍ବା ଟେଲିଫୋନ ଟାୱାର ଖଣ୍ଡେ ଦେଖୁଚୁ, ତାରି ଉପରେ ବସି । ଗଛତ ସବୁ କାଟିଦେଇଚ । ଶାନ୍ତିରେ ବଞ୍ଚିବାକୁ ଟିକେ ଦେଲନି, ମଲା ପର ବି ଜମା ଶାନ୍ତିରେ ରଖେଇ ଦଉନ । ଆମ ନଖିଆ ଅପା ପଠେଇଲା ତୋ କଥା ବୁଝିବାକୁ । ତୁ କ’ଣ ସବୁ ବଡ଼ ପାଟିରେ ଗାଉଥିଲୁ ଯେ, ଆସି ହଉନଥିଲା ତୋ ପାଖକୁ, ସେଇ ନାଗି ତୋତେ ଡରେଇ ବେହୋସ କଲି, ତା’ପରେ ଯାଇ ଆଇଲି ।”

“ଆବେ ତୁ ଯଉ କହୁଚୁ ଅଣ୍ଡିରା ଭୂତ !! ସେଗୁଡ଼ା ଆସିବେ କଉଠୁ?? ତମେ ତ ଯୌତୁକ ନିଆଁରେ ଜାଳିଲ ଆମକୁ । ବିଷ ଦେଇ, ତକିଆ ଜାକି, ପିଟିପିଟି ମାରିଲ । ଧର୍ଷଣ କଲ, ଏସିଡ଼ ଫିଙ୍ଗିଲ, କାଳେ ଧରା ପଡ଼ିଯିବ ସେଲାଗି ଜିଅନ୍ତା ପୋଡ଼ିଦେଲ । ପିରତି କରି କୁଆଁରୀ ମାଆ ସଜେଇ ଅଧା ବାଟରେ ଛାଡ଼ିଦେଲ । ଆମେ ବି ଆଉ କ’ଣ କରିଥାନ୍ତେ, କୂଅ ପୋଖରୀ ନହେଲେ ଦଉଡ଼ିକୁ ବାଛିନେଲେ । ଚୋରା ପିରତି ପାଇଁ ରାଜି ନହେଲେ କେତେ ଫନ୍ଦି ଫିକର କରି ମାଇଲ, ରାଜି ହେଲେ ଗେରସ୍ତ ଚରିତ୍ରହିନା କହି ମାରିଦେଲା । ଶଃ ଆମେ ମାଇପିଗୁଡ଼ାକ ତୁମ ମରଦଗୁଡ଼ା ନାଗି ମରିବାଟା ଥୟ ।”

ମୁଁ ସେତେବେଳକୁ ଖନେଇ ଖନେଇ ପଚାରିଲି, “ସେକଥା ଠିକ ଯେ ଭୂତ ଅପା, ହେଲେ ସବୁ ପୁଅ କ’ଣ ଖରାପ ନା ସବୁ ଝିଅ ଭଲ, ଆଜିକାଲି ଝିଅଗୁଡ଼ା ପରା ପୁଅଗୁଡ଼ାକୁ ମାରି ପକଉଚନ୍ତି ।”

“ସେଇ ଲାଗି ତ ଆଜି କାଲି ଆମ ସଂଖ୍ୟା କମି ଆସିଲେଣି” ସେ ପୁଣି କହିବା ଆରମ୍ଭ କଲା । “ଭୂତ ଆଉ ଆସୁନାହାନ୍ତି, କେତେବେଳେ କେମିତି ଗୋଟେ ଅଧେ । ତେବେ ଆଜି କାଲି ଛୁଆଭୂତଗୁଡ଼ା ବେଶି ।”

“ଜାଣିଛୁ କେଇ ଦିନ ତଳେ ଗୋଟେ ଝୁଅ ଆଇଚି ଆମ ଦଳକୁ, ତାକୁ କାଳେ ଛଅ ବରଷ ହେଇଥିଲା, ଦରବୁଢ଼ା କେତେଟା ଚକୋଲେଟ ଦେବେ କହି ତାକୁ ବଣକୁ ଟେକିନେଲେ, ତା’ ପରେ ତା’ ସହ….. ଛି ଛି….ଛିଃ !!!! ଭାବିଲେ ରକ୍ତ ଗରମ ହେଇ ଯାଉଚି । ଇଚ୍ଛା ହେଉଚି ଏଇନା ସେଗୁଡ଼ାଙ୍କ ଭିତରେ ପଶି କୂଅକୁ ଡେଇଁ ପଡ଼ନ୍ତି । ଖାଲି ନଖି ବୁଢ଼ୀକୁ ଡରି ଚୁପ ରହିବା କଥା । ନଖି ବୁଢ଼ୀ କଥା ଦେଇଚି, ଅଇଲା ଉଆଁଶରେ ସେ ଦରବୁଢ଼ା ଗୁଡ଼ାକୁ ଦି’ଫାଳ କରି ମଝିରୁ ଚିରିଦେବ ।”

“ସେ ଯଉ ନୂଆ ଗୁଣିଆ ଖଣ୍ଡେ ଆସାମରୁ ଆଇଚି, ତାକୁ କିଛି ଗୁଣି ଗାରୁଡ଼ି ଜଣା ନାଇ । କଲିକତାରୁ ଗୋଟେ କୁଆଁରୀ ଝିଅ ନେଇଯାଇଥିଲା ବଳି ଦେବ ବୋଲି, ସେଠି ତା’ ସହ କ’ଣ କଲା, ପୁନିଆ ପରା ନିଜେ ଦେଖିଚି । ଖାଲି ସେ ଅଘୋରୀ ବାବାଟା ପୁନିଆ ହାତ ଗୋଡ଼ ବାନ୍ଧି ରଖିଥିଲା ବୋଲି ବଞ୍ଚିଯାଇଥିଲା ସେ ଭଣ୍ଡ । ଏଥର ପଡ଼ିଛି ହାବୁଡ଼ରେ । ଦେଖିବୁ କି ଦଶା ହବ ତା’ର । ଦିନ ଦିପହରରେ କୁକୁଡ଼ା ମୋଡ଼ିଲା ଭଳିଆ ତା’ ବେକ ମୋଡ଼ାହେବ ।”

“ତମେ ମଣିଷଗୁଡ଼ାକ ପରା ଟିକେ ଏପାଖ ସେପାଖ ହେଲେ କୁଳ ଭୁଆଷୁଣିଗୁଡ଼ାକୁ କଞ୍ଚା ଡାହାଣୀ କହି ଲଙ୍ଗଳା କରି ଯାହା ହୀନସ୍ତା କରୁଚ ସେସବୁ ନକହିବା ଭଲ । ଯେତକ ନିଜେ ମଲେ ମଲେ ନହେଲେ ଗାଁ ଲୋକ ମିଶି ଜିଅନ୍ତା ପୋଡ଼ିଦେଉଚ । କେତେ ଭୟାନକ ବେ ତମେ ଗୁଡ଼ାକ । ଆମକୁ ବି ଡର ମାଡ଼େ ତମକୁ ଦେଖିଲେ । ତମ ମୁଣ୍ଡରେ ଯଉ ଅଣ୍ଡିରା ଭୂତ ସବାର ହେଇଚି, ସେଗୁଡ଼ା ଯେତେଦିନ ଯାଏଁ ଥିବ, ଆମେ ମାଇପି ସବୁ ମଲାପରେ ଭୂତହେଇ ତମକୁ ସେତେଦିନ ହୀନିମାନ କରିବା । ସେଇଲାଗି ଯଦି କେହି ଅଣ୍ଡିରା ମଲା ପରେ ଏଠିକି ଆସେ, ତାକୁ ଏଠି ଭୂତ ହେବାକୁ ଲାଇସେନ୍ସ ମିଳେନି । ସମସ୍ତେ ମିଶି ମାରି ଗୋଡ଼ଉ ତାକୁ ।”

“ବାକି ରହିଲା ଆମେ ଧଳା ଶାଢ଼ୀ କାଇଁ ପିନ୍ଧୁ । ରଙ୍ଗୀନ ପିନ୍ଧିବାକୁ ଆମର ବି ଇଚ୍ଛା ଅଛି ଯେ, ହେଲେ ରଙ୍ଗୀନ ପିନ୍ଧି ଅନ୍ଧାରରେ ଏକା ଏକା ବୁଲିଲେ ରାତ୍ରିଚର ମଦୁଆଗୁଡ଼ା ଯଦି ମାଡ଼ି ବସିବେ । ସେ ରିସ୍କ କିଏ ନବ । ଅଯଥାରେ ଆମର କାହାକୁ ମାରିବାକୁ ଇଚ୍ଛା ନାଇଲୋ ବାବା ।”

କଥାଟା ମୋ ମଗଜକୁ ଛୁଇଁଲା । କ’ଣ ଗୋଟେ ପଚାରିବି ଭାବୁଥିଲି ଯେ, ଠୋ କିନା ଗୋଟେ କାନମୁଳିଆ ବଜେଇକି କହିଲା, “ଶୁଣ୍ ବେ, ଭୁଲରେ ବି ଆଉ କେବେ ଆମକୁ prestigeless କହିବୁନି । ଆମେ ଭଲ ବୋଲି ପଛକଥା ଭୁଲିଯାଇ କାହାରି କ୍ଷତି କରୁନା, ନହେଲେ…”

କନମୁଳିଆ ଖାଇ ମୋ ନିଦଟା ଚାଉଁକିନା ଭାଙ୍ଗିଗଲା, ଗାଲ ଦରଜ ହେଉଥିଲା, ମୁଣ୍ଡ ବୁଲଉଥିଲା । ଦିହହାତ ବି ଜୋର ବିନ୍ଧୁଥିଲା । ଘର ସାମ୍ନା କବାଟ ଆଗରେ ପଡ଼ିଥିଲି । ଓଃ ବଞ୍ଚିଗଲି !! ସପନ ଦେଖୁଥିଲି ତେବେ ।

ଭାବିଲି ଭୂତଟା ଭାରି sensitive ଭୂତ ଥିଲା, ହେଲେ ଏଇଟା ବୁଝି ପାରୁନଥିଲି ମୋତେ ଉପର ମହଲାରୁ ତଳକୁ ଆଣିଲା କିଏ??

– ସୈକତ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...