ଅନାମିକା ଅବୁଝା ପ୍ରେମିକା ସେ ମୋର…

Odia Story Anamika Abujha Premika Mora (ଅନାମିକା ଅବୁଝା ପ୍ରେମିକା ସେ ମୋର) by Soumya Ranjan Behera

ଧରାପୃଷ୍ଠରେ ଯେତେବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ ତା’ର ଜନ୍ମଦାତ୍ରି ଓ ତା’ର ପରିବାରର କାନରେ ପଡ଼ିଥାଏ, ସମସ୍ତେ ଖୁସିରେ ବିଭୋର ହେଇଯା’ନ୍ତି । ପାରିବାର ମଧ୍ୟରେ ଖେଳି ଯାଇଥାଏ ଖୁସିର ଏକ ଅପୂର୍ବ ଉତ୍ତାଳ ତରଙ୍ଗ । ଠିକ୍ ସେହିପରି ମୋ ଜୀବନର ରଙ୍ଗମଞ୍ଚ ଏହି ଢଙ୍ଗରେ ସାଜିତ ।

ଦୁଇ ହାଜର ଚାରି ମସିହା ଜୁଲାଇ ମାସରେ ମୋର ଜନ୍ମ । ମୋ ମାଆ କହୁଥିଲା ମୁଁ ଜନ୍ମ ହେବା ପରେ କୁଆଡ଼େ ସେ ସ୍ୱଭାବିକଠାରୁ ଅଧିକ ଖୁସି ହେଇଥିଲା । ବୟସ ବଢ଼ିବା ସହିତ ଜୀବନ ସହିତ ଜଡ଼ିତ ଘଟଣା ଓ ଦୁର୍ଘଟଣା ମଧ୍ୟ ବଢ଼ି ଚାଲିଲା । ଏଇ ପୃଥିବୀ ପୃଷ୍ଠରେ ପାଦ ଦେବା ମାତ୍ରେ ମନୁଷ୍ୟ କିଛି ବ୍ୟକ୍ତିମାନଙ୍କ ସ୍ନେହ, ଭଲପାଇବା ଓ ମମତାର ଡୋରରେ ନିବିଡ଼ ଭାବରେ ଆପେ ଆପେ ବାନ୍ଧି ହୋଇଯାଏ । ଆଉ ହଁ, ମୃତ୍ୟୁ ପୁର୍ବରୁ ସେ ବନ୍ଧନରୁ ମୁକୁଳିବା ମଧ୍ୟ ଅସମ୍ଭବ । ପରିବାର, ସାଙ୍ଗ ବା ବନ୍ଧୁ ଓ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ମଣିଷ ।

ଏମିତି ଚାହୁଁ ଚାହୁଁ ମୋ ଜୀବନର ସ୍ରୋତ ଯେଉଁ ଦିଗକୁ ଅଗ୍ରସର ହେଉଥିଲା ଜାଣି ନପାରି ମୁଁ ଲକ୍ଷହୀନ ନୌକା ପରି ଭାସି ଚାଲିଲି । କିନ୍ତୁ ସମୁଦ୍ରରେ ଝଡ଼ ସୃଷ୍ଟି ହେଲା ପରି ମୋ ହୃଦୟରେ ଝଡ଼ ସୃଷ୍ଟି କରିଥିଲା ମୋ “ଅନାମିକା ପ୍ରେମିକା” । ବହୁତ ହାସ୍ୟାତ୍ମକ ଓ କଷ୍ଟ ଦାୟକ ଥିଲା ମୋ ପ୍ରେମ କାହାଣୀ ।

ପ୍ରାୟ ତେରବର୍ଷ ବୟସରୁ ମୋତେ ପ୍ରେମ ହେଇଗଲାଣି । ପ୍ରଥମେ ଯେତେବେଳେ ମୁଁ ତାଙ୍କୁ ଦେଖିଲି ସେତେବେଳେ ମୁଁ କହିଲି ସେ ମୋର ଦରକାର ଆଉ ମୋ କଥା ସରିବା ଆଗରୁ ସେ ମୋ ହୃଦୟରେ ରହିଗଲେ । ସେଇ ଦିନଠୁ ମୋ ଜୀବନର ଲକ୍ଷ୍ୟହୀନ ନୌକାର ଗୋଟିଏ ଲକ୍ଷ୍ୟ ମୋ ଅନାମିକା ପ୍ରେମିକା । ଏମିତି ମୋ ଜୀବନ ଅଗକୁ ବଢ଼ିଚାଲିବା ସଙ୍ଗେ ସଙ୍ଗେ ତାଙ୍କପାଇଁ ଥିବା ମୋ ମନରେ ପ୍ରେମ ମଧ୍ୟ ବଢ଼ି ଚାଲିଲା । ଯଦି କେହି ତାଙ୍କୁ କିଛି ବି କୁହେ ମୁଁ ପଛେରେ ବହୁତ ଝଗଡ଼ା କରେ ତା’ ସହ । ଏତେ ଭଲ ପାଇ ମଧ୍ୟ ମୁଁ ମୁଁହ ଖୋଲି ମୋ ହୃଦୟର କଥା ତାଙ୍କୁ କହି ପାରୁନଥିଲି । କିନ୍ତୁ ହଠାତ୍ ଦିନେ କୌଣସି ପ୍ରକାରରେ ସେ ମୋ ହୃଦୟର କଥାକୁ ଜାଣିଦେଲା । ଜାଣିଦେଲା ପରେ ସେ ବହୁତ କାନ୍ଦିଲେ, ଆଉ ସେ ମୋ ସହ କଥା ହବାକୁ ରୋକଠୋକ୍ ମନା କରି ଦେଲେ । ତାଙ୍କ କାନ୍ଦିବା ଓ ନିରବ ରହିବ ମୋତେ ଅସହ୍ୟ ଯନ୍ତ୍ରଣା ଦେଉଥିଲା । ଏ ସବୁ କଥା ଭାବି ମୁଁ ପ୍ରାୟ ୩ ଦିନ ଧରି ବିଛଣାରେ ଆତ୍ମହରା ହୋଇ ଯାଇଥିଲି ।

ମୁଁ ସ୍କୁଲ ଯାଏ, ସେ ମଧ୍ୟ ସ୍କୁଲ ଯାଏ । କନ୍ତୁ ଆମ ଭିତରେ ଏତିକି ଫରକ ଥିଲା ଯେ ସେ ମୋ’ଠୁ ଦୂରେଇ ଯାଉଥିଲା । ସତ କହିବାକୁ ଗଲେ ମୋ ତେର ବର୍ଷ ଜୀବନ ଭିତରେ ଯୋଉ ଭଗବାନଙ୍କୁ ମୁଁ ବିଶ୍ୱାସ କରିନଥିଲି ତାଙ୍କର ତେର ଦିନର ପ୍ରେମରେ ମୁଁ ସର୍ବହରା ହୋଇ ଭଗବାନଙ୍କ ଆଶ୍ରୟ ଖୋଜିଲି । ମୋର କିଛି ସାଙ୍ଗ ଓଷା ବ୍ରତ ପାଳନ କଲେ କୁଆଡ଼େ ନିଜ ପ୍ରେମ ସଫଳ ହେବ କଥା ହଉଥିବାର ଶୁଣି ମୁଁ ସେ ସବୁ କିଛି ପାଳନ କଲି । ପ୍ରାୟ ସତର ଦିନ ପରେ ଭଗବାନଙ୍କ ଚମତ୍କାର ସଦୃଶ୍ୟ ଅକସ୍ମାତ ଭାବରେ ମୋ ହାତରେ କୌଣସି ଉତ୍ତପ୍ତ ଜିନିଷ ପଡ଼ିବା ହେତୁ ମୁଁ ବହୁତ କଷ୍ଟ ଅନୁଭବ କରିଥିଲି । ଆଉ ମୋ ଅନାମିକା ପ୍ରେମିକା ହଠାତ ଆସି ମୋତେ ପାଣି ପିଆଇ ଦେଇଥିଲେ । ଆଉ ତାଙ୍କର ସେଇ ସ୍ପର୍ଶରେ ମୋ ସବୁ କଷ୍ଟ ଦୂର ହେଇଗଲା । ତା’ ପରେ କିଛି ଦିନ ବିତିଗଲା । ତାଙ୍କ କହିବା ମୁତାବକ ବନ୍ଧୁ ହିସାବରେ ତାଙ୍କ ସହ ମିଳାମିଶା କଲି । ଆପଣମାନେ ଭାବୁଥିବେ ମୋର ପୁଣି ଏମିତି ନିଷ୍ପତ୍ତି, ପ୍ରେମ କରି ପୁଣି ବନ୍ଧୁତ୍ୱ ! ସେତେବେଳେ ମୋ ପାଖରେ କିଛି ଉପାୟ ନଥିଲା । ଯେ କୌଣସି ପ୍ରକାରରେ ତାଙ୍କ ସହ ସମୟ ଅତିବାହିତ କରିବା ଥିଲା ମୋର ମୂଳ ଉଦେଶ୍ୟ ।

ସମୟ ସ୍ରୋତରେ ସେ ମଧ୍ୟ ମୋ ପ୍ରେମକୁ ସ୍ୱୀକାର କରିଛନ୍ତି । ହେଲେ ବେଳେବେଳେ ମୋ ଅବୁଝା ଅନାମିକା ପ୍ରେମିକା ମୋ ପାଇଁ ବହୁତ କଷ୍ଟ ସହିଥାନ୍ତି । ମୋ ଅବୁଝା ଅନାମିକା ପ୍ରେମିକାର ଖରାପ ତ କହି ପାରିବିନି ଗୋଟିଏ ମୋତେ କଷ୍ଟ ଲାଗୁଥିବା କଥା । ମୁଁ ଯେତେ ଦୁଃଖରେ ଥିଲେ ମଧ୍ୟ ତାଙ୍କ ସହ ଟେଲିଫୋନ୍‌ରେ ଦୁଇ ମିନିଟ କଥା ହେଲେ ମୋ ସବୁ ଦୁଃଖ ଦୁର ହେଇଯାଏ । କିନ୍ତୁ ସେ ଯେତେ ଦୁଃଖରେ ଥିଲେ ମଧ୍ୟ ମୋତେ ଟିକେ ହେଲେ ବି ତା’ର କାରଣ ଜଣାନ୍ତି ନାହିଁ ।

ଛାଡ଼ନ୍ତୁ ମୋ ଅବୁଝା ଅନାମିକା ପ୍ରେମିକା ବିଷୟରେ ଯେତେ କହିଲେ ମଧ୍ୟ ସରିବ ନାହିଁ । କାହିଁକି ନା ସେ ମୋ ଜୀବନର ଅଫେରା ଅତିଥି । ଏହି ଲେଖାଟିରେ ଯଦି ମୋର କୌଣସି ଦୋଷ ତ୍ରୁଟି ଥାଏ ଆପଣଙ୍କ ମହତ ଗୁଣରେ ମୋତେ କ୍ଷମା କରିବେ ।

– ସୌମ୍ୟରଞ୍ଜନ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...