ଅମୃତ ଫଳ – ଏକ ଅନୁଭୂତି

Amruta Phala - Eka Anubhuti (ଅମୃତ ଫଳ - ଏକ ଅନୁଭୂତି) by Nihar Kumar Dalai

‘ଅମୃତଫଳ’ ବହିଟି ପଢ଼ିବା ସରୁ ସରୁ ମନ ଭିତରେ ନୀରବତା ଖେଳି ଯାଇଥିଲା, ସତେ ଯେମିତି ଏକ ଅଜଣା ଆସ୍ତରଣରେ ଢାଙ୍କି ହେଇଗଲା ମାନସପଟ । ଭାରି ଜଟିଳ, ଏଇ ଉପନ୍ୟାସର ବିଷୟବସ୍ତୁ । ଭାରି ଜଟିଳ, ଉପନ୍ୟାସରେ ଲେଖାଥିବା ଶବ୍ଦ-ବାକ୍ୟ-ପରିଚ୍ଛେଦର ଅନ୍ତର୍ନିହିତ ଅର୍ଥ । ତେଣୁ ଏକୁ ମାତ୍ର ଥରେ ପଢ଼ି ଏ ବିଷୟରେ କିଛି ଲେଖିବାର ଦୁଃସାହସ କ୍ଷମଣୀୟ ନହେଇପାରେ ।

ଏତେ ସବୁ ଜଟିଳତା ଭିତରେ, ଦୁଇ ହଜାର ବର୍ଷ ତଳର ଉଜ୍ଜୟିନୀର ରାଜା ଭର୍ତ୍ତୃହରି ଏବଂ ବିଂଶ ଶତାବ୍ଦୀର ଦିଲ୍ଲୀର ଜଣେ ଉଚ୍ଚ-ପ୍ରତିଷ୍ଠିତ ଶିଳ୍ପପତି ଅମରନାଥଙ୍କ ଜୀବନ ଭିତରେ ଥିବା ନିଚ୍ଛକ ସମାନତା ଭଳି ସରଳ ପୃଷ୍ଠଭୂମିରେ ଏଇ ଉପନ୍ୟାସର ସର୍ଜନା । ଗତାନୁଗତିକ ଜୀବନଧାରା ଅର୍ଥହୀନ, ଅହେତୁକ ଏବଂ ଉଦ୍ଦେଶ୍ୟରହିତ ମନେହେବା ଉତ୍ତାରୁ ରାଜା ଭର୍ତ୍ତୃହରି ଏକ ମହତ୍ତର ଚେତନାର ସନ୍ଧାନରେ ବାହାରିଛନ୍ତି, ଏପଟେ ସମଗୋତ୍ରୀୟ ଚିନ୍ତାଧାରାରେ ବାହାରିଛନ୍ତି ଅମରନାଥ । ଭେଟ ହେଇଛି, ହରିଦ୍ଵାରର ଭର୍ତ୍ତୃହରି ଗୁମ୍ଫାରେ ଥିବା ଏକ ପ୍ରାଚୀନ ପାଣ୍ଡୁଲିପିର ପୃଷ୍ଠାରେ । ସତ୍ୟ ଆଉ ତତ୍ତ୍ୱର ସନ୍ଧାନରେ ଭର୍ତ୍ତୃହରିଙ୍କ ଯାତ୍ରାର ତାଳେ ତାଳେ ନିଜ ଭିତରେ ନିଜକୁ ଖୋଜିବାର ଯାତ୍ରାରେ ମଜ୍ଜିଛନ୍ତି ଅମରନାଥ । ନିଜକୁ କେତେ ପାଇଛନ୍ତି, କେତେ ପାଇନାହାନ୍ତି ସେ ବିଷୟରେ ନା ସୂଚେଇଛନ୍ତି ଲେଖକ, ନା ଜାଣିପାରିଛି ଏ ପାଠକ ।

ଉପନ୍ୟାସ ପଢ଼ିବାରେ ମୁଁ ଅନଭ୍ୟସ୍ତ । ପ୍ରଥମ ୨-୩ଟି ପରିଚ୍ଛେଦ ପଢ଼ିବା ପାଇଁ ପ୍ରାୟ ୧୫ ଦିନ ଲାଗିଗଲା । ପ୍ରଥମେ ପ୍ରଥମେ ପ୍ରତି ବାକ୍ୟକୁ ୨-୩ ଥର ନପଢ଼ି ବୋଧଗମ କରିବା କଷ୍ଟକର ବ୍ୟାପାର ସାଜିଥିଲା । କିନ୍ତୁ ସଯତ୍ନ ବୁଣାଯାଇଥିବା ମନୋଜ ଦାସଙ୍କ ଶବ୍ଦ ଜାଲରେ ଛନ୍ଦି ହେଇଗଲା ମଣିଷ । କୁହୁକ କାହାଣୀ ଭଳି ଲେଖା ଲେଖାରେ ଏକ ଅଲଗା ଦୁନିଆକୁ ଟାଣି ନେଇଯିବାର ଲେଖକଙ୍କ କଳା ଏଇ ବହିରେ ଭାରି ସ୍ପଷ୍ଟ ଭାବେ ବାରି ହୁଏ । ରାଜା ଭର୍ତ୍ତୃହରିଙ୍କ ଯାତ୍ରା ସମୟରେ ବିଭିନ୍ନ ପନ୍ଥାବଲମ୍ବୀଙ୍କ ସହ ତାଙ୍କର ଭେଟ ମାଧ୍ୟମରେ ଭାରତୀୟ ଦର୍ଶନରେ ଥିବା ବିବିଧତାକୁ ଚୁମ୍ବକରେ ଦର୍ଶେଇଛନ୍ତି ଲେଖକ । ମାଳବିକା ହୁଅନ୍ତୁ କି ସିନ୍ଧୁମତୀ, ଉପନ୍ୟାସରେ ଗୌଣ ଚରିତ୍ର ହେଇଥିଲେ ମଧ୍ୟ ସେମାନଙ୍କ ସଂଳାପ ଏବଂ ଭୂମିକାକୁ ଯଥାର୍ଥତା ଦେବାରେ କୁଣ୍ଠାବୋଧ କରିନାହାନ୍ତି ମନୋଜ ଦାସ । ବିଶେଷ କରି ରାଜା ଭର୍ତ୍ତୃହରି ଏବଂ ନାଗରୀ ମାଳବିକାଙ୍କ ଭିତରେ ଥିବା ଅପରିପୃଷ୍ଟ ସମ୍ପର୍କ ବାବଦରେ ଭାରି ସ୍ପର୍ଶକାତର ଶୈଳୀରେ ଲେଖିଛନ୍ତି ସେ । ଅମରନାଥ ଏବଂ ତାଙ୍କ ସଖା ବଳଦେବଙ୍କ ଭିତରେ ସମସ୍ତ କଥୋପକଥନ ଅତ୍ୟନ୍ତ ଭାବୋଦ୍ଦୀପକ ।

ସାଧାରଣତଃ ଭାବନାକୁ ଶବ୍ଦରେ ରୂପାୟିତ କରିବା ଏକ ସୃଜନଶୀଳ ବ୍ୟାପାର । ଏଇ ଉପନ୍ୟାସରେ ଚରିତ୍ରମାନଙ୍କ ଭାବନା ଏବଂ ଚେତନାର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନାରୁ ମନୋଜ ଦାସଙ୍କ ଶବ୍ଦ ଚୟନ ଏବଂ ବିଶେଷ କରି ଶବ୍ଦ ସୃଜନରେ ଥିବା ପାରଦର୍ଶୀତା ପରିଲକ୍ଷିତ ହୁଏ । ଏପରିକି ବିଭିନ୍ନ ପରିସ୍ଥିତିକୁ ବ୍ୟାଖ୍ୟା କରିବା ଉଦ୍ଦେଶ୍ୟରେ ସେ ଦର୍ଶେଇଥିବା ଉଭୟ ଗମ୍ଭୀର ଏବଂ ବ୍ୟଙ୍ଗାତ୍ମକ ଉପମା ଅତ୍ୟନ୍ତ ମାର୍ମିକ ମନେହୁଏ । ସେଇଭଳି ସମ୍ପୂର୍ଣ୍ଣ ଉପନ୍ୟାସରେ ଚରିତ୍ର ମାନଙ୍କ ମଧ୍ୟରେ କଥୋପକଥନ ବେଳେ ପ୍ରଶ୍ନର ଉତ୍ତରରେ ପ୍ରତି-ପ୍ରଶ୍ନର ଏକ ଧାରା ସୃଷ୍ଟି କରି ଲେଖକ ପ୍ରକୃତ ଉତ୍ତର ଅନ୍ୱେଷଣର ଦାୟିତ୍ଵ ପାଠକଙ୍କୁ ଦେଲାଭଳି ହୃଦବୋଧ ହୁଏ ।

ଉପନ୍ୟାସରେ ସତ୍ୟ-ଅସତ୍ୟ, ତତ୍ତ୍ୱ-ବାସ୍ତବ, ଚେତନା-ଅବଚେତନାର ପ୍ରାସଙ୍ଗିଗତା ଏତେ ଅଧିକ ଯେ, ମଳୀନ ପଡ଼ିଛି ବସ୍ତୁବାଦୀ ମଣିଷର ସର୍ବୋତ୍ତମ ଆକାଂକ୍ଷା ଅମୃତ ଫଳ । ଯଦିଓ ଲେଖାରେ ଦୁଇଟି ଚରିତ୍ର ମଧ୍ୟରେ ଏକ ସମାନ୍ତରାଳ କାହାଣୀକୁ ଉପସ୍ଥାପନ କରାଯାଇଛି, କାହିଁକି କେଜାଣି ମନେ ହୁଏ ଏଇ ସମାନ୍ତରାଳ କାହଣୀର ତୃତୀୟ ପାତ୍ର ନିଜେ ମନୋଜ ଦାସ । ବୋଧହୁଏ ସେଇ ପାଇଁ ସେ ଏଇ ରଚନାଟିକୁ ଏକ ପ୍ରାୟୋପନ୍ୟାସ (ଉପନ୍ୟାସ – ପ୍ରାୟ) ବୋଲି କହିଛନ୍ତି ।

– ନିହାର କୁମାର ଦଳାଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...