ସବୁବେଳେ ଦେଖେ ବାପାଙ୍କୁ, ସେ ନିଜ କାମ ଚୁପଚାପ୍ କରିଦିଅନ୍ତି । ଆଉ ସବୁବେଳେ ଲାଗେ ବାପାଙ୍କୁ ସବୁ ଜଣା ଅଛି । ମୁଁ ଯଦି କେବେ ଡରିଯିବି, ଅସୁବିଧାରେ ପଡ଼ିଯିବି ବାପା ଅଛନ୍ତି । ଘରେ ବି ସମସ୍ତେ ଏମିତି ହିଁ ଭାବନ୍ତି, ଖାଲି ଘରେ କାହିଁକି ସମ୍ପର୍କୀୟ ମାନେ ବି । ଧୀରେ ଧୀରେ ବଡ଼ ହେଲି, ଆଉ ଦିନେ ହଠାତ ଭାବିଲି, ତାଙ୍କୁ କ’ଣ କେବେ ଡର ଲାଗେନି? ଏତେ ସାହସ କେଉଁଠୁ ମିଳେ ତାଙ୍କୁ?
ବୋଉର ଦେହ ବହୁତ ଖରାପ, ଘରେ ସବୁ ଦୁଃଖୀ, ଡାକ୍ତର କହୁଥାନ୍ତି ବୋଉ ଭଲ ହେଇଯିବ । ହେଲେ ଆଉ କିଛି ଦିନ ଦରକାର । ସେତେବେଳେ ବି ବାପା ଛିଡ଼ା ହେଇଥାନ୍ତି ଆମ ସାମନାରେ, ଟାଣ ପଥର ପରି । ଡର ଲାଗୁଥିଲେ ବି ବାପାଙ୍କୁ ଦେଖି ସାହସ ଆସୁଥାଏ । ସବୁକିଛି ଠିକ ହେଇଯିବାର ବିଶ୍ୱାସ । ପୁଣି ସେଇ ପ୍ରଶ୍ନ ମନରେ, ବାପା ଏତେ ସବୁ କରିପାରୁଛନ୍ତି କେମିତି? ତାଙ୍କୁ ଏତେ ସାହାସ ମିଳୁଛି କାହାଠାରୁ?
ଏହି କଥାକୁ ଭାବି ଭାବି ସେଦିନ ରାତିରେ ମୋତେ ନିଦ ନାହିଁ, ମୁଁ ଚୁପ୍କିନା ବାପା ବୋଉଙ୍କ ଶୋଇବାଘରକୁ ଗଲି, ଆଉ ଦେଖିଲି ବୋଉ ଶୋଇଛି, ବାପା ପାଖ ପଡ଼ିଥିବା ଗୋଟିଏ ଚୌକିରେ ଢୁଳେଇ ପଡିଛନ୍ତି.. ସାମ୍ନାରେ ଅଧାଖୋଲା ଡାଏରୀ, କିଛି ଲେଖା ହେଇଥାଏ ସେଥିରେ, ଆଉ ତାଙ୍କ ହାତରେ ଥାଏ ଗୋଟିଏ ଫୋଟୋ..
ପାଖକୁ ଯାଇ ନିରିଖେଇ ଦେଖିବାକୁ ଚେଷ୍ଟା କଲି, ଡାଏରୀରେ ଜେଜେମା ଆଉ ଜେଜେବାପାଙ୍କର ନାଁ ଲେଖା ହେଇଥାଏ ଆଉ ବାପାଙ୍କ ହାତରେ ଥାଏ ସେମାନଙ୍କର ଫୋଟୋ । ମୋତେ ମୋ ପ୍ରଶ୍ନର ଉତ୍ତର ମିଳିଗଲା..
– ସୁଶ୍ରୀ ନାୟକ
Comments
ସୁଶ୍ରୀ ନାୟକ ପେଶାରେ ଜଣେ ବିଜିନେସ୍ ଆନାଲିଷ୍ଟ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।