ମୁକ୍ତିର ସ୍ୱଗତୋକ୍ତି

Odia story Muktira Swagatokti (ମୁକ୍ତିର ସ୍ୱଗତୋକ୍ତି) by Manas Ranjan Nayak

ଧର୍ମ ଅଧର୍ମ, ପାପ ପୁଣ୍ୟ, ଭଲ ମନ୍ଦର ଝିମିଟି ଖେଳରେ ଜୀବନୋତ୍ତର ପରିଧି ଆମ ଖିଆଲି ଦିମାଗ୍‌ର ବହିର୍ଭୂତ ମନେହୁଏ । ଚିକିମିକି ସ୍ୱପ୍ନିଳ ଭବିଷ୍ୟତ ଓ ଉଲ୍ଲସିତ ବର୍ତ୍ତମାନର ଛାଇତଳେ ଜୀବନ କେତେବେଳେ କଡ଼ ଲେଉଟାଏ ଜଣାପଡ଼େ ନାହିଁ । ଉପନୀତ ହୁଏ ଜୀବନ ରାସ୍ତାର ଶେଷ ଦୋଛକି… ଗୋଟିଏ ଲମ୍ୱିଥାଏ ମାୟା ସଂସାରର ଅପୂରଣୀୟ ଭୋଗବିଳାସ ଆଡ଼କୁ ଏବଂ ଆରଟି ଅନ୍ତଃକରଣରୁ ନିଃସୃତ ଭଗବତ ପରାଣୟତାର ତୃଷ୍ଣା ସାଗର ଆଡ଼କୁ । ବିକଳ ହୋଇଉଠେ ଆତ୍ମା ପକ୍ଷୀଟି ତା’ର ଏକାନ୍ତ କାମ୍ୟ, ମୁକ୍ତିର ରାହା ଅନ୍ୱେଷଣରେ… ପଶ୍ଚାତାପ କରେ ମୂଲ୍ୟବାନ ସମୟ ରାଶିକୁ ସାଂସାରିକ ମୃଗତୃଷ୍ଣା ପଛରେ ଅଚିରେ ବ୍ୟୟ କରି ଆସିଥିବାରୁ । ତୃପ୍ତିହୀନ ତୃଷ୍ଣାଟି ବିଭୁ ପ୍ରେମର ଆଶ୍ରାରେ ଚିରୁଡ଼ାଏ ପ୍ରତ୍ୟୟକୁ ଜନ୍ମ ଦିଏ… ମୁକ୍ତିର ସ୍ୱର୍ଣ୍ଣାଭ ଆଭା ଦୂର ଦିଗନ୍ତରେ ଉଦ୍ଭାସିତ ହୋଇଉଠେ । ଜୀବନ ଯବନିକାର ଉଦଘୋଷଣା ପୂର୍ବରୁ ଚେନାଏ ସ୍ୱର୍ଗୀୟ ସନ୍ତୋଷର କାମନା ଅସ୍ତବ୍ୟସ୍ତ କରିପକାଏ ରକ୍ତ ମାଂସର ଅବୟବରେ ବନ୍ଦୀଥିବା ସୁକ୍ଷ୍ମ ଆତ୍ମାଟିକୁ । ଜୀବନର ଶେଷ ଗୋଧୂଳିରେ ଶୁଭିଯାଏ ମୁରଲୀର ମନ୍ତ୍ରମୁଗ୍ଧ ଧ୍ୱନି… ସତେ ଅବା ମାନବୀୟ ମୁକ୍ତିର ସ୍ୱଗତୋକ୍ତି ।

ସ୍ଥୂଳ ସୁଖ ସମୃଦ୍ଧି ସବୁ ଅଚିରେ ପାଣିଫାଟିଯାଏ ତା’ର ତେଲ ଲୁଣର ସଂସାର ତିଅଣରେ । ଆତ୍ମା କୌସ୍ତୁଭର ସୁଗନ୍ଧ ଏବେ ବେସ୍ ମହମହ ବାସିଉଠେ ତା’ର ନାସେନ୍ଦ୍ରିୟରେ । ଅନ୍ତଃକରଣରୁ ଉର୍ଦ୍ଧ୍ୱଗାମୀ ହୁଏ ଚେତନାର ବଳୟ । ଭୀଷଣ ଅନ୍ତର୍ଯୁଦ୍ଧ ଆରମ୍ଭ ହୋଇଯାଏ ସ୍ଥୂଳମନ ଓ ସୂକ୍ଷ୍ମ ଚେତନା ମଧ୍ୟରେ, ଧିକ୍କାର କରି ଉଠେ ନିଷ୍ପେସିତ ସୂକ୍ଷ୍ମମନଟି ଉଭୟ ପ୍ରତିଦ୍ୱନ୍ଦୀଙ୍କୁ ସେମାନଙ୍କର ଅଜ୍ଞତା ଓ ଅପାରଗତାକୁ ଆକ୍ଷେପକରି । ରଡ଼ନିଆଁରେ ପାଣି ପଡ଼ିଲା ପରି ଆତ୍ମଜ୍ଞାନର ଶେଷ ସ୍ପୁଲିଙ୍ଗଟି କ୍ଷଣିକେ ତେଜମୟ ହୋଇଉଠେ ପରିଶେଷରେ ଏକ କ୍ଷୀଣ ସମାପ୍ତିର ଧୂଆଁ ହୋଇ ମହାଶୂନ୍ୟରେ ସତ୍ତା ହରାଇବା ପାଇଁ ।

ଶେଷରେ ଆରମ୍ଭ… ଆରମ୍ଭରେ ଶେଷ, ଏହାହିଁ ଜୀବନଚକ୍ରର ଜନ୍ମ ଜନ୍ମାନ୍ତରର କୁହୁକଖେଳ । ସହଜ ନୁହେଁ ମୁକ୍ତି ଅବା ନିର୍ବାଣର ମାର୍ଗ… ହାରିବାରେ ପାଇବା ପୁଣି ପାଇବାରେ ହରାଇବାର ମହାର୍ଘ ଅନୁଭବ । ମହା ମାନବୀୟତାର ନିରବଛିନ୍ନ କ୍ରମବିକାଶ ଧାରା, ଚେତନା ସ୍ତରରେ ଖୁବ୍ ଶୀଘ୍ର ମୁକ୍ତିର ପଥ ପ୍ରଶସ୍ତ କରିବ… ବସ୍ତୁବାଦୀ ଆଛନ୍ନତା କ୍ରମଶଃ ଅପସରିଯିବ, ଦିଗନ୍ତରେ ଆଉଏକ ଅମାୟିକ, ଅମୃତ, ଅମ୍ଲାନ ଚେତନାର ଉଦୟହୋଇ ଜଡ଼ ମାନବୀୟତାରୁ ଅତିମାନବୀୟତାକୁ ରୂପାନ୍ତରିତ ହେବ । ଚତୁର୍ଦିଗରୁ ପ୍ରତିଧ୍ୱନିତ ହେବ ଓମକାରର ମୃଦୁ ଗୁଞ୍ଜନ, ତାହାହିଁ ବୋଧହୁଏ ମାନବୀୟ ମୁକ୍ତିର ସ୍ୱଗତୋକ୍ତି ।

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...