କୋଇଲିର କୁହୁତାନରେ ବସନ୍ତର ଆମନ୍ତ୍ରଣ
ନବପଲ୍ଲବିତ ତରୁ ଡାଳେ ପ୍ରଣୟର ପ୍ରୀତି ପତ୍ର
ଫୁଲର ରଙ୍ଗରେ ଅଭୀକ ସମ୍ମୋହନ
ବସନ୍ତର ମଳୟରେ ଭାସି ଆସେ ଅଭିସାର ପ୍ରେମର ଲଗନ
ଭିଜିବାକୁ ମନ କୁହେ କଳ୍ପନାରେ ଲମ୍ବିଥିବା ଅକୁହା ଜୀବନ ।
ଭାସି ଆସେ ମନର ଦେହଳୀ ଡେଇଁ ଅସଂଯତ ଅନେକ ସପନ
ସମସ୍ତଙ୍କ ଅଲକ୍ଷରେ ମନ ହଜିଯାଏ ଲାଜେଇ ଲାଜେଇ
ହାତେଇ ନିଏ ଆବେଗସ୍ନାତ ଚଉଠେ ଜୀବନ
ଅଧପାଏ ଖୁସିର ଫଗୁଣ ।
ଝରା ବଉଳର ଶେଯରେ ବାଇଚଢ଼େଇର ଗୁଞ୍ଜରଣ
କହୁଥାଏ ଏବେବି ଜୀବନ ବାକି
ଚାଲ ସଖୀ ଦେଖିବା ସପନ
ଦାଣ୍ଡ ବାରି ବଉଳ ବାସନାରେ ମହମହ ବାସୁଥାଏ
ପ୍ରୀତିର ଅଭିସାର ଗୀତ ଗାଇ ଗାଇ ।
ପଳାଶର ହାଡ଼ରେ ହାଡ଼ରେ ଫୁଟିଥାଏ ତୃପ୍ତିର ଫୁଲ
ଜୀବନକୁ ଅତିଶୟ ଜାଙ୍ଗମିକ କରି
ରାଧା ତମାଳ, ରଜନୀଗନ୍ଧା ମଲ୍ଲୀ ତୋଳୁଥାନ୍ତି
ଭୂରି ଭୂରି ବାସନାର ଗଜଲ ।
ପୂର୍ଣ୍ଣତାର ଶିହରଣେ ଖେଳୁଥାନ୍ତି ଆକାଶଠୁ ମାଟି ଯାଏ
ଶୈଥିଲ୍ୟ ଧମନୀ ଉଛ୍ୱାସ ଭରି
ପ୍ରକୃତି ହସୁଥାଏ କିରିକିରି
ଝଡ଼ାପତ୍ର ମର୍ମରେ ଅଭିମାନର ବିଳାପ ଗୁଞ୍ଜରୁ ଥାଏ ।
ଅଭିମାନର ସ୍ଵର ତୋଳି
କୃଷ୍ଣଚୂଡ଼ା, ଗୋଡ଼ିବାଣକୁ ସିନ୍ଥିରେ ଗଭାରେ
ଭରି ପ୍ରକୃତି ବିଭୋର ଥାଏ
ଅବିରର ଅଳତାରେ ପଦାକୁ ସବାରି ।
ବସନ୍ତ ଠିକ୍ ତୋ’ପରି ଖରା ତାତି ଦୋଛକିରେ
ଜୀବନ ପହଁରେ କେବେ ହସେ କେବେ ରୁଷେ
ବସନ୍ତ ବି ଖରା ଝାଞ୍ଜି ଜୀବନରେ
କେବେ ମୁହୁର୍ତ୍ତେ ହସେ ।
– ଅନସୂୟା ପଣ୍ଡା
Comments
ଅନସୂୟା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।