ହସ୍ତିନାପୁର ଯେ ବିରାଟ, ଯାହା ଜନ୍ମ ବୀରର,
ବୀରତ୍ୱର ଗାଥା ଗାଏରେ, ଭୂଇଁ ଜନ୍ମ ଭୂମିର ॥
ଭରତ ସମ୍ରାଟ ନାମରେ, ଦେଶ ଏହି ଭାରତ,
ପରାକ୍ରମୀ ଗୀତ ଲେଖେରେ, ଶତ୍ରୁ ମୃତ୍ୟୁରେ ହତ ॥
ଚକ୍ରବର୍ତ୍ତୀ ରାଜା ଆସଇ, ତୀର ନାମରେ ଯୁଦ୍ଧ,
ଅଧିରଥ ନାମେ ସାରଥୀ, ଆଗେ ଟାଣଇ ରଥ ॥
ବିଶ୍ୱାସର ଚୂଡ଼ା ଉପରେ, ଲେଖା ନାମ ଯାହାର,
ମହାରାଜା ରଥ ବିଶ୍ୱାସେ, ଭାବେ ଆତ୍ମା ନିଜର ॥
ସାହାସୀ ସମ୍ରାଟ ସାରଥୀ, ସେହି ରଥ ଚାଳକ,
ଦର୍ଶନ ଦିଅଇ ଦିଗର, ରଥେ ରାଜା ପାଳକ ॥
ଯୁଦ୍ଧରେ ରାଜାର କବଚ, ବନେ ରଥ ସାରଥୀ,
ବିଜୟ ଉପରେ ସାହାସ, ସିଏ ରାଜାର ସାଥୀ ॥
ଅଧିରଥ ନୁହେଁ ସାରଥି, ରାଜା ମନର ରଥି,
କାଳର ଭୟରେ ପଛକୁ, ଯିଏ ନଦିଏ ସାଥି ॥
ଭରସା ଜନ୍ମାଏ ଚିତ୍ତରେ, ରାଜା ହୁଏ ପ୍ରସନ୍ନ,
ଅଧିରଥ ଭଳି ସାରଥୀ, ଦିଏ କାର୍ଯ୍ୟରେ ଧ୍ୟାନ ॥
କାଳଘେନି ଆସେ ବିପଦ, ରଥି ରଥରେ ନାହିଁ,
ଅଧିରଥ ଗୃହେ ଅଶାନ୍ତି, ବିନା ପୁତ୍ରକୁ ଚାହିଁ ॥
ଶୁଣେ ମହାଦେବ ପ୍ରାର୍ଥନା, ସେ ଡାକ ମାତାର,
ଗଙ୍ଗାକୂଳେ ଦେଖେ କିରଣ, ଦିଏ ନାମ ରାଧେର ॥
ସୁଖରେ ବିତଇ ଜୀବନ, ରାଧେ ଦିଅଇ ହସ,
ଦୁଃଖର ବାଦଲ ଆସଇ, ରାଧେ ଖୋଜଇ ବଂଶ ॥
କ୍ଷତ୍ରିୟ ରକତ ବହଇ, ଆତ୍ମା କୁହେ ବୀରର,
କେମନ୍ତ ବୁଝିବ ମନତ, ହୋଇ ଚାଳ ରଥର ॥
କ୍ଷତ୍ରିୟ ବ୍ୟତୀତ ଦିଅଇ, ଶିକ୍ଷା ରାଜକୁମାର,
ଏହା କହି ଦ୍ରୋଣ ଆଚାର୍ଯ୍ୟ, ନାମ ଦିଏ କର୍ଣ୍ଣର ॥
କର୍ଣ୍ଣର ନବୀନ ନାମକୁ, ଧରି ଚାଲଇ ରାଧେ,
ବୁଝାଇ ବାଟରେ ସାରଥୀ, ବସେ ଅଧିର ରଥେ ॥
ଅଧିରଥ ପରି ପିତାର, ସେହି ପୁତ୍ର ମହାନ,
ପର୍ଶୁରାମ ପାଶେ ଶିକ୍ଷଇ, ଯୁଦ୍ଧ ଦେଇତା ମନ ॥
ବିରାଟ ବୃକ୍ଷରେ ପୂରଣ, ହୁଏ ସମୟେ ପରେ,
ଅଂଗର ସମ୍ରାଟ ବନଇ, ଅଧିରଥ ଯେ କରେ ॥
ଦେଖଇ ପିତା ସେ ପୁତ୍ରର, ସେହି ସୁନ୍ଦର ମୁଖ,
ଆନନ୍ଦେ ନାଚଇ ମନରେ, ଖେଳେ ହୃଦୟେ ସୁଖ ॥
ଏହା ଦେଖି କର୍ଣ୍ଣ ହୁଅଇ, ଆତ୍ମ ବିଭୋର ଭରା,
ସୁତପୁତ୍ର ବୋଲି କହଇ, ଭୀମ ବଜାଇ ନାରା ॥
ଜନ୍ମରୁ କର୍ଣ୍ଣର ଜୀବନ, ଅପମାନରେ ଭରା,
ଅଧିରଥ ପିତା ନୁହଁଇ, ସିଏ ପାଳନ କର୍ତ୍ତା ॥
ଗରବ ଦେଖଇ ଦୁନିଆ, ଅଧିରଥ ଯେ ପିତା,
ରାଧେ ଭଳି ପୁତ୍ର ମିଳଇ, ଖୋଜେ ଜୀବନ ସତ୍ତା ॥
– ସ୍ମୃତିରଂଜନ ବାରିକ
Comments
ସ୍ମୃତିରଞ୍ଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।