ନାହିଁ ସେ ଅଗଣା ନାହିଁ ଚାଳଘର
ଗାଈ ଗୋବରର ଲିପା
ଛପିଗଲାଣି ସେ ମାଟିକାନ୍ଥ ଝୋଟି
ହାତେ ମଞ୍ଜୁଆତି ଟିପା ।
ବାଜୁନାହିଁ କାନେ ସଞ୍ଜସକାଳର
କୋଇଲିର କୁହୂତାନ
ପାହନ୍ତିସକାଳେ କୁକୁଡ଼ା ଡାକର
ହଜିଲାଣି ସେହି ଦିନ ।
ବାନ୍ଧୁନି ଗଛରେ ବୁଢ଼ିଆଣୀ ଜାଲ
ଦିଶୁନାହିଁ ଅସରପା
ରାସ୍ତାକଡ଼ର ସେ ନାହିଁ ତାଳବଣ
ବାଇଚଢ଼େଇଟି ଖପା ।
ଗାଁମୁଣ୍ଡର ସେ ଗୋଚର ଜମିରେ
ଚରୁନାହିଁ ଗାଈପଲ
ନାହିଁ ଥଟ୍ଟାମଜ୍ଜା ରାଜାରାଣୀ ଗପ
ଜେଜେମା’ର ମିଠାଗେଲ ।
ଗାଇଆଳ ଡାକ ଚଷାଭାଇ ଗୀତ
ମାମୁଁମାଈଁଙ୍କର ପପି
ନାହିଁ ସେ ଆଦର ସ୍ନେହବୋଳା ଡାକ
ସବୁ ଯାଇଅଛି ଛପି ।
ନାହିଁ ଗିଲିଦଣ୍ଡା ବୋହୂଚୋରି ଖେଳ
ବରଷାରେ ଡଙ୍ଗାଭସା
ଭାଇଭଉଣୀର ସ୍ନେହ ଆଦର
ମିଛର ସେ ରାଗରୁଷା ।
ନାହିଁ ସେ ଚଳଣି ମୁଣ୍ଡରେ ଓଢ଼ଣୀ
କୁମାରୀ ବୋହୂର ଲାଜ
ଗୁରୁଜନ ଭକ୍ତି ଓଷାବାର ତିଥି
ସକାଳ ସ୍ନାନର ସଜ ।
ସାଙ୍ଗସାଥି ମେଳି ଛୋଟପିଲା କଳି
ଗାଧୁଆ ପୋଖରୀ ତୁଠ
ଶୁଭୁନାହିଁ ଆଉ ଗାଁ କୋଠଘରେ
ସଂକୀର୍ତ୍ତନ ଗୀତାପାଠ ।
– ସରୋଜ କୁମାର ସାହୁ
Comments
ସରୋଜ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।