ଅଫେରା ଅତିଥି

Odia Poem Aphera Atita (ଅଫେରା ଅତିଥି) by Rashmibala Satapathy

ଅନେକ ଦିନ ପରେ
ଆଜି ଡାଏରୀ ଖୋଲି ବସିଲି,
ଭାବିଲି କିଛି ଲେଖିବି ତୁମ ବିଷୟରେ…

ଏମିତି ଲାଗିଲା,
ସ୍ମୃତିଗୁଡ଼ାକ ସଜେଇ ହୋଇ ଅତୀତକୁ
ଦେଖୁଛନ୍ତି ଯେପରି !
ଆଉ ସେ ସ୍ମୃତିରୁ କିଛି ଅନ୍ତରଙ୍ଗ ଶବ୍ଦକୁ
କବିତାରେ ସ୍ଥାନ ଦେଲି ଜାବୁଡ଼ି ଧରି ।

ହୁଏତ ସେ ଶବ୍ଦ ସବୁ ଛୁଞ୍ଚି ହୋଇ
ବହୁ ପୀଡ଼ା ଦିଏ ଏ ହୃଦୟରେ,
ତଥାପି କାହିଁକି କେଜାଣି ଭଲ ଲାଗେ
ସେ କଷ୍ଟ ସବୁ ସହିବାରେ !?

ଗୋଟେ ବନ୍ଦିନୀର ଅତୀତ,
ଆଉ ତା’ ଭିତରେ
ସ୍ମୃତି ସବୁ କଳାପାଣିର
ସଜା ପରି ଲାଗେ,
ତୁମେ ମୋତେ ସେ କାରାବାସରୁ
ମୁକ୍ତ କରି ଦେଇଛ ସିନା !!

ତଥାପି ଏ ଅବୁଝା ମନ ବୁଝେନା ଜମା
ନ ଚାହିଁ ବି ଟାଣି ହୋଇଯାଏ,
କରାଳ ସଦୃଶ ଅତୀତର ଆଢ଼ୁଆଳକୁ,
ଜାଣେନା କେବେ ବାସ୍ତବରେ
ମୁକୁଳି ପାରିବି କି ନାହିଁ
ସେ ଦୁଃଖଦ ଯନ୍ତ୍ରଣା ଭରା ମୁହୂର୍ତ୍ତକୁ…

ଇଏ କ’ଣ ଯେ !?
କଥା ତ ଦେଇଥିଲ;
ରାଣ ବି ଖାଇଥିଲ;
ହେଲେ ଦେଖ ନା !
ରାଣ ଭାଙ୍ଗି ଛାଡ଼ିଦେଲ ମୋତେ
ସେହି କଳା ବାଦଲର ଗଭୀର ପ୍ରଦେଶକୁ
ଯେଉଁଠି ଖାଲି ଧୂଆଁ ହିଁ ଧୂଆଁ ।

ରହିଗଲ ତମେ କେଉଁ ଦୂର ପୃଥିବୀରେ,
ଅଫେର ଅତିଥିଟିଏ ହୋଇଗଲ
ଏଇ ମୋ ଜୀବନରେ…

– ରଶ୍ମୀବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...