ପରିବାର

Oida Poem Paribara (ପରିବାର) by Minati Dash

ଆମ ପରିବାର…
ସର୍ବ ପ୍ରାଚୀନ ଅନୁଷ୍ଠାନଟିଏ
ଗଢ଼େ ସମାଜ, ଗ୍ରାମ ଦେଶ ବିଦେଶ,
ଯେଉଁଠି ଜନ୍ମର କୁଆଁ ରଡ଼ିରେ
ଆନନ୍ଦ ବିସରେ
ଖୁସି ଲହଡ଼ୀ ମାରେ
ହସ ଢେଉ ଭାଙ୍ଗେ
ମୃତ୍ୟୁରେ ଯେଉଁମାନେ ବହନ୍ତି
ଛ’ଖଣ୍ଡି, ବିଞ୍ଚନ୍ତି ଖଇ କଉଡ଼ି
ସମସ୍ତେ ଶୋକାକୁଳ
କାନ୍ଦ ବୋବାଳି ସହ ଅଜସ୍ର
ରକ୍ତାକ୍ଷରା ମୁହୂର୍ତ୍ତର ସାହାରା,
ଏକ ଅମୋଘ ମନ୍ତ୍ରରେ
ଆପଣାପଣର ରଜ୍ଜୁରେ
ବାନ୍ଧିହୋଇ ବାଣ୍ଟନ୍ତି ସୁଖ ଦୁଃଖ ଆନନ୍ଦ ବିଷାଦ
ସେ ଆମ ପରିବାର ।

ସ୍ନେହ ମମତା ବିଶ୍ୱସ୍ତପଣର କୋଷଘର,
ଚିପୁଡ଼ା ଶୈଶବ, ଅବୋଧ ବାଲ୍ୟପଣ
ଅଝଟ କୈଶୋର
ଅମାନିଆ ଉତ୍ତାଳ ଯୌବନ
ଅବା ଅବସାଦମୟ ନିରୁଠା ବାର୍ଦ୍ଧକ୍ୟରେ
ଜୀବନ ଜିଇଁବାର ମଣ୍ଡପ
ଖୁସି ସୌହାର୍ଦ୍ଦ୍ୟରେ ଭରପୂର ପାରାବାର
ସେ ଆମ ପରିବାର ।

ବଞ୍ଚିବାର କଳା
ଜୀବନ ଭୋଗିବାର କୌଶଳ
ସମାଜର ଇତିବୃତ୍ତି
ସାମାଜିକ ଚଳଣି ସଂସ୍କାର
ଶିକ୍ଷାର ପୃଷ୍ଠଭୂମି
ଭରସା ଆଉ ପ୍ରତ୍ୟୟପଣର
ଅଭିଜାତ୍ୟରେ ସମୃଦ୍ଧ
ଚଳ ଚଞ୍ଚଳ ମନ୍ଦିରଟିଏ
ଯେଉଁଠି ଜ୍ୟେଷ୍ଠଠୁ ସର୍ବ କନିଷ୍ଠ
ସଭିଙ୍କର ଭୂମିକା ଗୁରୁତ୍ୱ ସ୍ପୃହଣୀୟ
ସେ ଆମ ପରିବାର ।

ଏକ ପାଇଁ ଅନେକ…
ଅନେକ ପାଇଁ ଏକର ଆଜଡ଼ାପଣ ନିଗିଡ଼ାପଣ,
ସମ୍ପର୍କର ବର୍ଣ୍ଣମାଳାରେ
ଏକ ସୁନ୍ଦର ମଧୁକ୍ଷରା
ସେ ଆମ ପରିବାର ।

ପିତାଙ୍କର ଗାମ୍ଭୀର୍ଯ୍ୟ ନିସୃତ ଆଶିଷ
ମାତାଙ୍କର ଅଭୟଦାୟୀ ପଣତ,
ଜେଜେଙ୍କ ଭରସା ଆଉ ବିଶ୍ୱାସ
ଜେଜେମା’ଙ୍କ କାହାଣୀ ପେଡ଼ି
ପାନ ବଟୁଆର ଭିତିରି କଥା
କକା ଖୁଡ଼ୀଙ୍କ ସ୍ନେହ ଶରଧା
ଭାଇ ଭଉଣୀଙ୍କ ଆଡ଼ରୁଷା
ଅଳି ଅଝଟ
ଅନୁରାଗ ଆଉ ଅଭିମାନର
ଫେଣ୍ଟା ଫେଣ୍ଟି
ପ୍ରୀତିକ୍ଷରାଟିଏ
ସେ ଆମ ପରିବାର ।

ପୁରନ୍ତା ସଂସାରର
ନିବିଡ଼ତା ଭିତରେ ଶୂନ୍ୟତା
ଗୁମୁରା ମାନ ଅଭିମାନ
ପ୍ରାପ୍ତିର ଅନୁଭବ ଅଣ୍ଡାଳୁ ଅଣ୍ଡାଳୁ
ନିରାଶାର ଅନୁଭୂତି, ତଥାପି
ଛିଣ୍ଡି ଯାଏନା ବନ୍ଧନର ଡୋରି
ବରଂ ସୁଦୃଢ଼ ହୁଏ
ପଥ କଢ଼ାଇ ଆଗେଇବାରେ
ସହାୟତା କରେ
ସେ ଆମ ପରିବାର ।

ମିଥ୍ୟା ପ୍ରବଞ୍ଚନା ପ୍ରତାଡ଼ନା
ଲାଞ୍ଛନା ଯାତନା ଯନ୍ତ୍ରଣା
ଯେଉଁଠି ପାତାଳୀ
ଦାଢୀରୁ ଦାର୍ଢ଼୍ୟତା…
ଭାଗବତରୁ ଗୀତା
ସବୁଯୁଗରେ ତ୍ୟାଗର ମନ୍ଦିର
ଏକ ଅଭିମନ୍ତ୍ରିତ ପ୍ରାଚୁର୍ଯ୍ୟ ପୀଠ
ସେ ଆମ ପରିବାର ।

ଏକ କୋଷିଠୁ ମହାଜୀବ
ମାନବ ଦାନବ ଦେବ
ସଭିଙ୍କର କାମନାର ନାଟ୍ୟଶାଳା
ନିର୍ଭୟ ଆଶ୍ରୟ ସ୍ଥଳ
ଶାନ୍ତିର ଗନ୍ତାଘର
ପ୍ରାଣବତ୍ତା, ପ୍ରାଣମୟତାରେ ମହମହ
ସେ ଆମ ପରିବାର
ଏକାନ୍ତ କାମ୍ୟ ମନୁଷ୍ୟର ।

– ମିନତୀ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...