ଦୂର ଆକାଶଟା ନିଜର ଲାଗୁଛି
ପର ଲାଗେ ମିଠା ଖରା
ଅନ୍ଧାରକୁ କେବେ ଆପଣା ଭାବିଲେ
ଇର୍ଷାରେ ଜଳୁଛି ଏ ଧରା ॥
ବରଷା ଦିନରେ ଭିଜି ଭିଜି ସତେ
ଦେହ ହଉଥିଲା ଥଣ୍ଡା
ସେ ଥଣ୍ଡାକୁ ଆଜି ଏ ମନ ଝୁରୁଛି
ଖରା ଘଉଡ଼ାଏ ମନ ରୂପକ ଏ ଦଣ୍ଡା ॥
ଲୋମ ଟାଙ୍କୁରା ସେ ଶୀତ ଦିନେ ସତେ
ଦେହ ଥିଲା ଉଙ୍କୁରିତ
ଏ ଖରାକୁ ଦେଖି ମନ ଖୋଜୁଥାଏ
କାହିଁ ଗଲା ସେଇ ଶୀତ ॥
ଦିନ ପରଖିଲେ ଲାଗେ ଏମିତିକା
ରାତିଟା ଯେ କେତେ ଭଲ
ରାତି ଅନ୍ଧାରରେ ଦିନ ଲୁଚିଗଲେ
ଦିନ ଯେ ଲାଗୁଛି ଭଲ ॥
ଅତୀତ ଯେ ଛକି ଭବିଷ୍ୟତ ଶୂନ
କିଏ ବା ଅଟେ ନିଜର
ଛକି ଶୂନର ଏ ମାୟାଜାଲ ଲାଗେ
ବର୍ତ୍ତମାନ ସୁନାର ଘର ॥
– ଶାନ୍ତନୁ କୁମାର ରାଉତ
Comments
ଶାନ୍ତନୁ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।