ଶୀତଦିନ ସକାଳ । ୧୦ଟା ବାଜି ସାରିଥାଏ । ସୂର୍ଯ୍ୟଦେବ ଏପର୍ଯ୍ୟନ୍ତ ଧୂଆଁଳିଆ କମ୍ବଳ ଘୋଡ଼ି ଆରାମ କରୁଥାନ୍ତି । ଅନୁ ପୂଜା ଥାଳି ପ୍ରସ୍ତୁତ କରିସାରିବା ପରେ ନଣନ୍ଦର ଦ୍ୱାରପାଖକୁ ଯାଇ କହିଲା, “ନେହା ! ମୁନ୍ନା ଶୋଇଛି । ତାକୁ ଟିକେ ଦେଖୁଥିବ । ମୁଁ ମନ୍ଦିର ଯାଉଛି ।”
ଶୀତ ଲହଡ଼ିର ଚାପୁଡ଼ା ଖାଇ ଥରି ଥରି ସେ ମନ୍ଦିର ରାସ୍ତାରେ ପାଦ ଥୋଇ ଆଗକୁ ଆଗାଉଥାଏ । ଆଜି ତାକୁ ଜଣା ହେଉଥାଏ ପାଦ ଦୁଇଟି ଯେମିତି ପଛରୁ କିଏ ଭିଡ଼ି ଧରୁଛି । ହଠାତ ସମ୍ମୁଖରେ ମଣି ଖଣ୍ଡିଆ ବିଡ଼ି ଓଠରେ ଚାପି ଧୂମ୍ରକୁଣ୍ଡଳୀର ଅସ୍ପଷ୍ଟ ଘେରା ଭିତରେ ଛିଡ଼ା ହୋଇ ଦାନ୍ତ ନିକୁଟି ମିଛି ହସ ହସୁଥାଏ । କିଛିବର୍ଷ ପୂର୍ବରୁ ଯେଉଁ ନର୍କପୁରୀକୁ ସେ ଛାଡ଼ି ଆସିଥିଲା ତାର କଳାଛାଇ ହଠାତ ତା’ ସମ୍ମୁଖରେ ।
“ବାଃ-ଚମତ୍କାର, କ୍ଳବ୍ରେ, ହୋଟେଲରେ ନିଜ ତରିକା ଦେଖାଇ ଲୋକମାନଙ୍କୁ ଆକୃଷ୍ଟ କରୁଥିବା ଅନିମା ପ୍ରଧାନ ଆଜି ହାତରେ ପୂଜାଥାଳି ଧରି ପୂଜାରିଣୀ ହୋଇଯାଇଛି ।” ମଣିର ଶବ୍ଦରେ କଟାକ୍ଷର ଛୋଟ ଛୋଟ ପରମାଣୁ ସ୍ପଷ୍ଟ ବାରି ହେଉଥାଏ ।
“ଦେଖ ମଣି, ମୁଁ ମୋ ଗତାୟୁ ଜୀବନର ଇତିହାସକୁ ସମ୍ପୂର୍ଣ୍ଣ ଭୁଲି ସାରିଛି । ଏବେ ମୁଁ ମୋ ସ୍ୱାମୀଙ୍କପାଇଁ କେବଳ ଜଣେ ସ୍ତ୍ରୀ । ପରିବାର ପାଇଁ ଜଣେ ବୋହୂ ଓ ଗୋଟେ ପିଲାର ମାଆ । ଏତେସବୁ ପରିଚୟ ପାଇସାରିବା ପରେ ତୁ ଏଠାରୁ ଚାଲିଯାଆ ।” ଅନୁ ସାହାସ କରି କଥା ସାରିଲା ।
“ହଁ, ଚାଲିତ ଯିବି କିନ୍ତୁ ଆଜି ତୋତେ ସାଙ୍ଗରେ ନେଇ ଫେରିବି । ତା’ ନହେଲେ ତୋତେ ଜୀବନରୁ ଶେଷ କରିଦେବି । ତୁ ଯେମିତି ମୋ’ ଦାନାରେ ପାହାର ମାରିଛୁ ମୁଁ ବି ସେମିତି ତୋତେ ସୁଖ ଶାନ୍ତିରେ ରହିବାକୁ ଦେବିନାହିଁ ।” କହିବା ସହ ମଣିର ମୁହଁରେ ବିଷାକ୍ତ ହସର ଏକ ଝଲକ ଉକୁଟି ଉଠିଲା ।
“ନାଁ ମଣି, ଏବେ ମୁଁ ଆଉ ସେ ପଙ୍କିଳ ରାସ୍ତାକୁ ଫେରି ପାରିବିନି । ସେ ରାସ୍ତା ମୋ’ପାଇଁ ସବୁଦିନ ଲାଗି ବନ୍ଦ ହୋଇଯାଇଛି ।” ଅନୁ ଆକୁଳିତ କଣ୍ଠରେ କହୁଥାଏ ।
“ବଜାରର ସାଜସଜ୍ଜାରେ ଘର ସଜେଇ ହୁଏନି ଅନୁ । ଯେଉଁଦିନ ତୋ’ ଘରଲୋକ ସବୁ ସତ ଜାଣିନେବେ ସେଦିନ ଏ ମାଘ ମାସର ଜାଡ଼ ବୈଶାଖର ପ୍ରଚଣ୍ଡ ରୌଦ୍ରରେ ବଦଳିଯିବ ।” ମଣିର ଶବ୍ଦରେ ଧମକ ଥାଏ ।
“ମୁଁ ମୋ ଗତାୟୁକୁ କେବେ ବଦଳାଇ ପାରିବିନି ମଣି । କିନ୍ତୁ ବର୍ତ୍ତମାନ ମନ୍ଦିରକୁ ଯାଇଥିବା ଶିଢ଼ି ପାହାଚ ମୋ ପାଇଁ ପବିତ୍ର ଓ ପୂଣ୍ୟ ।” ଅନୁ ମୁହଁରେ ସ୍ୱାଭାବିକ ଉତ୍ତର ।
“ପବିତ୍ର !!” ହସ ମଧ୍ୟରେ ବିଦ୍ରୁପର ଭାଷା ଥାଏ ମଣି ମୁହଁରେ ।
“ବର୍ତ୍ତମାନରେ ବଞ୍ଚିଥିବା ଗତାୟୁ ଓ ଭବିଷ୍ୟତ ଦୁହେଁ ଉଭୟଠାରୁ ବହୂ ଦୂରରେ ମଣି ।” ସହସା ନେହାର ଶବ୍ଦ ଶୁଣି ମଣି ଓ ଅନୁ ଚମକି ଉଠିଲେ ।
“ଦେଖ ମଣି ! ଭାଉଜଙ୍କ ଗତାୟୁ ସମ୍ପର୍କରେ ଆମ ପରିବାର ଏବଂ ଏଠିକାର ସମସ୍ତେ ଜାଣିସାରି ତାଙ୍କୁ ସ୍ୱୀକାର କରି ସାରିଛନ୍ତି । ଏଠାରେ ଲୋକ ଭିଡ଼ ହେବା ପୂର୍ବରୁ ତୋ’ ଉପରେ କିଛି ଅଘଟଣ ଘଟୁ ତାହା ମୁଁ ଚାହେଁନା । ଯେତେଶୀଘ୍ର ପାରୁ ଏଠାରୁ ପଳାଇଯାଆ । ନହେଲେ ଚିତ୍କାର କରି ଲୋକ ଠୁଳ କରିବାକୁ ମୋତେ ବେଶୀ ସମୟ ଲାଗିବନି ।”
ନିଜ ପ୍ରହାରର ନିଷ୍କ୍ରିୟତା ଉପଲବ୍ଧିରେ ମଣି କେବଳ ଦାନ୍ତ କଟମଟ କରି ଯଥାଶୀଘ୍ର ସେଠାରୁ ପଳାଇଆସିବା ପାଇଁ ପ୍ରସ୍ତୁତ ହେଲା । ଅନୁ କିଛି କହିବା ପୂର୍ବରୁ ନେହା କହିଲା, “ଭାଉଜ ଆସ, ପ୍ରଥମେ ପୂଜା ସାରି ଘରକୁ ଫେରିବା ।”
– ସୁଧାଂଶୁ ଦ୍ୱିବେଦୀ
Comments
ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।