ପଡ଼ିଲେ ତମେ ମନେ

Odia Poem Padile Tame Mane (ପଡ଼ିଲେ ତମେ ମନେ) by Nibedita Nayak

ଆଜି ବହୁତ ମନେ ପଡ଼ ମୋର ତମେ
ଯେତେ ନିଜକୁ ମୁଁ ବୁଝାଇବାକୁ ଚାହେଁ
ଏକାଠି ଆମ ମୁହୂର୍ତ୍ତ ମନେ ପଡ଼ିଯାଏ
ସେତେଥର ନିଜଠୁ ପୁଣି ହାରିଯାଏ ।୧।

ଏତେ ବ୍ୟାକୁଳତା କାହିଁକି କେଜାଣି
ସ୍ମୃତି ପଟ୍ଟେ ଉଦ୍ଭାଷିତ ସେ କ୍ଷଣ ପୁଣି
ନିର୍ଜନ ପରି ଲାଗେ ସବୁ କୋଳାହଳ
ହୃଦୟ ସ୍ପନ୍ଦନେ ଗୁଞ୍ଜରିତ ସାରା ଘର ।୨।

କରିବାକୁ ପ୍ରକାଶ ଯେତେ ଚେଷ୍ଟା ମୁଁ କରୁଛି
ପାରୁନି ସବୁ କହି ଆହୁରି ବାକି ରହିଯାଉଛି
ଯନ୍ତ୍ରଣାରେ ଛଟପଟ ମୋ କ୍ଷତାକ୍ତ ହୃଦୟ
ଲାଗୁଛି ସବୁ ମତେ ବଡ଼ ବିଷମ ସମୟ ।୩।

ପ୍ରଥମ ବର୍ଷା ଛିଟାରେ ମାଟିର ବାସ୍ନା
ପୂର୍ଣ୍ଣିମା ରାତିରେ ଶଶାଙ୍କର ଜୋତ୍ସ୍ନା
ଫଗୁଣ ସକାଳେ କାଶତଣ୍ଡିର ସମ୍ଭାର
ଫିକା ଲାଗେ ସବୁ କି ବିନା ତମର ।୪।

କେଜାଣି କରିଦେଇଛ ତମେ କି କିମିଆ
ଚାଲିଛି ନିଶ୍ୱାସ ହେଇ ସକ୍ରିୟ ସତ, କିନ୍ତୁ
ମୋ ପାଇଁ ସ୍ଥିର ହେଇଯାଇଛି କି ଦୁନିଆଁ
ଲାଗେ ହେଲେ ଯେମିତି ପ୍ରେମ ନୂଆ ନୂଆ ।୫।

ବସି ସୋରିଷ ଫୁଲର ହଳଦିଆ କ୍ଷେତେ
ଲେଖୁଛି କବିତା ତୁମ ପାଇଁ ଯେ କେତେ
କଲମ ମୋର ଥକି ଅବସ ହେଇଯାଏ
ବିଶ୍ରାମ ଟିକେ ଦିଅ ଅନୁରୋଧ କରୁଥାଏ ।୬।

ଉଷାର ବିଦାୟେ ଗୋଧୂଳିର ଆଗମନ
ନୀଡ଼କୁ ଫେରେ କେତେବେଳେ ବିହଙ୍ଗମ
ଅମ୍ୱର ବକ୍ଷେ ଚମକେ ଯେ କେବେ ତାରା
ପଡ଼େନା କିଛି ଜଣା ମତେ କେମିତି ପରା ।୭।

ହସିଦେଲି, କହିଲ ମତେ ଯେବେ ସେ କଥା
ମୋର ନୁହେଁ ଏକା ତମର ବି ସେଇ ଅବସ୍ଥା
ଗୋଟିଏ ନଈର ଆମେ ଦୁହେଁ ଯୁଗ୍ମ ଧାର
ଚାଲିଛେ ଚାଲୁଥିବା ହୋଇ ସଦା ସମାନ୍ତର ।୮।

– ନିବେଦିତା ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...