ଦିନେ ଖାଇଲେ ଦି ଦିନ ମୁଁ ଉପାସ
ଯେତେ ସରକାରୀ ଯୋଜନାସବୁ,
ମୋ ପାଇଁ ମୂଲ୍ୟହୀନ ତୁଚ୍ଛା ଉପହାସ ।
କାଗଜରେ ଲେଖା ହେଇ ସବୁ ତ ଆସେ
ହେଲେ କେଜାଣି କେମିତି ଅଧା ରାସ୍ତାରୁ,
ଅଦୃଶ୍ୟ ହେଇ ଆଉ କାହା ପକେଟରେ ପଶେ ।
ସ୍ୱାଧୀନ ହେଇ ବି ମୁଁ ଗୋଲାମ ଆଜି ଦୁର୍ନୀତିର
କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର?
ମୁଁ ଗୋଟେ ସ୍ୱାଧୀନ ଗରିବ, ଆଉ ଏହା ମୋ’ର ଇସ୍ତାହାର ॥
ମାଟି ମୋ ମା, କୃଷି ମୋର ବେଉସା
ଅନ୍ୟର ଥାଳିରେ ଆହାର ଦେଇ,
ଖୁସି ପାଉଥିବା ମଣିଷଟେ, ମୁଁ ଚଷା ।
ହେଲେ ଶୂନ୍ୟ ଥାଳି ମୋର, ମୁଁ ଆଜି ନିଃଶ୍ୱ
ଗାଆଁ ମୁଣ୍ଡର ବରଗଛଟାରେ ଝୁଲୁଥିବ କାଲି,
ମୋ ମୃତ ଶରୀର, ଦେଖିବ ପୁରା ବିଶ୍ୱ ।
ସ୍ୱାଧୀନ ହେଇ ବି ମୁଁ ଗୋଲାମ ଆଜି ଭୋକର
କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର?
ମୁଁ ଗୋଟେ ସ୍ୱାଧୀନ କୃଷକ, ଆଉ ଏହା ମୋ’ର ଇସ୍ତାହାର॥
ଯତ୍ର ନାର୍ଯ୍ୟାସ୍ତୁ ପୂଜ୍ୟତେ ତତ୍ର ରମ୍ୟନ୍ତେ ଦେବଃ
ମୁଁ କାହା ମା, କାହା ପତ୍ନୀ, କାହା ବାନ୍ଧବୀ ତ କାହା ଭଗ୍ନୀ,
ହେଲେ ଆଜି ବି ସବୁ ରାତି ମୋ ପାଇଁ ଦୁର୍ବିସହ ।
ଆଜି ବି ରାସ୍ତାରେ ଅନେଇ ବସିଛି ଭୋକିଲା କୁକୁର
ଏକା ପାଇଲେ ଖିନ୍ ଭିନ୍ କରି କାମୁଡ଼ି ପକାଏ,
ଯାଅ ଦେଖିବ ରାସ୍ତା କଡ଼ରେ ପଡିଛି ମୋ ଉଲଗ୍ନ ଶରୀର ।
ସ୍ୱାଧୀନ ହେଇ ବି ମୋ ଇଜ୍ଜତ ଆଜି ଗୋଲାମ ଦୁଷ୍କର୍ମର
କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର?
ମୁଁ ଗୋଟେ ସ୍ୱାଧୀନ ଧର୍ଷିତା, ଆଉ ଏହା ମୋ’ର ଇସ୍ତାହାର॥
ନିଜ ପରିବାରକୁ ପରକରି କରିଥିଲି ଦେଶକୁ ନିଜର
ଦିନେ ନିଜ ରକ୍ତ ଦେଇ କରିଥିଲି ଏଇ ଦେଶକୁ ସ୍ୱତନ୍ତ୍ର,
ନୁହେଁ ଏହା ମୋ ସ୍ୱପ୍ନର ସ୍ଵରାଜ୍ୟ, ମୂଲ୍ୟ ମୋ ରକ୍ତର ।
ଦିନେ ଗର୍ବରେ “ଫର ଫର” ହେଇ ଉଡ଼ୁଥିଲା ତ୍ରିରଙ୍ଗା
ହେଲେ ଆଜି ସେ ଉଡୁନି, ଝୁଲିଛି ଫାଶୀଖୁଣ୍ଟରେ,
ଦେଶର ଦୁର୍ଦ୍ଦଶା ଦେଖି ସାଜିଛି ଆଜି ସେ ବେରଙ୍ଗା ।
ସ୍ୱାଧୀନ ହେଇ ବି ମୋ’ ଦେଶ ଶୀକାର ଦୁଃସ୍ଥ ରାଜନୀତିର
କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର?
ମୁଁ ଗୋଟେ ସ୍ୱାଧୀନତା ଯୋଦ୍ଧାର ଆତ୍ମା, ଆଉ ଏହା ମୋ’ର ଇସ୍ତାହାର ॥
– ଅଭିଷେକ ତ୍ରିପାଠୀ
Comments
ଅଭିଷେକ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।