ଜମି ଯାଇଥିବା ବରଫ ସମ୍ପର୍କରେ

Odia Poem Jamijaithiba Baraf Samparkare (ଜମି ଯାଇଥିବା ବରଫ ସମ୍ପର୍କରେ) by Mrutyunjay Patra

ସେଦିନ ଶୀତ ଶେଷେ ଗୋଧୂଳି ବେଳାରେ
ତୁମେ ଆଉ ମୁଁ ପାଖାପାଖି ଚାଲୁଥିଲୁ
କୁଶେଇ ନଦୀ କୂଳେ କୂଳେ
ପଉଷର ପୂନେଇ ମେଳାରେ ।

ଡେଙ୍ଗା ତାଳଗଛ ଦେଖାଇ ତମେ କହିଥିଲ
ଏଇ ଦେଖ,
ପବନରେ କେମିତି ଦୋହଲୁଛି ବାଇଚଢ଼େଇ ବସା;
ଭିତରେ ଟିକି ଚଢ଼େଇଟା ଚାହିଁ ବସିଥିବ
ବସା ଲେଉଟାଣି ବେଳ
ମା’ ଚଢ଼େଇଟା ଆହାର ଆଣିବ ।

ତୁମେ ଗଲା ପରେ
ବହୁଦିନୁ ନଈକୂଳେ ଯାଇନାହିଁ,
ପଉଷଟା କେବେ ଆସେ କେବେ ଯାଏ
ଜାଣିପାରେ ନାହିଁ,
ତୁମେ ଦେଖାଇଥିବା ତାଳଗଛରେ
ବାଇ ଚଢ଼େଇର ବସା ଆଉ ନାହିଁ ।

ସଡ଼କ କଡ଼ର ବିଲରେ
ଟୋକାଟେ ହଳ ଯୋଚିଥିଲା,
ତାକୁ ବାଇଚଢ଼େଇ କଥା ପଚାରିଲି;
ଡେମା ଡେମା ଆଖିରେ ମୋତେ ଘଡ଼ିଏ ଚାହିଁଲା
ଶେଷକୁ କହିଲା
ବାଇ ଚଢ଼େଇଟା ପୁଣି କି ଚଢ଼େଇ?
ମୋତେ ଜଣା ନାହିଁ ।

ନଈକୁ ଅନେଇଲି, ପାଣି ବୋହୁ ନାହିଁ ।
ଋତୁ ବୋଧେ ବଦଳିଛି,
ଆଗଭଳି ଆତଯାତ ହେଉନାହିଁ ।
ଅଥବା ଆଖପାଖ କାରଖାନାର
ଆଲକାତରା ଭଳି ଗାଢ଼ କଳା ରଙ୍ଗର ପାଣି
ଶିଉଳି ଓ ଗୁଣ୍ଡ ଜମି ପଥର ହେଲାଣି ।
ଠିକ୍ ଯେମିତି
ମୋ ହୃଦୟରୁ ପ୍ରିତିଭରା ଝରଣା
ଏବେ ଆଉ ଝରୁନାହିଁ
ବୁକୁତଳେ ଜମି ଜମି ବରଫ ହେଲାଣି

– ମୃତ୍ୟୁଞ୍ଜୟ ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...