ଯୁଦ୍ଧ

Odia Poem Yudh (ଯୁଦ୍ଧ) by Dr. Trupti Ranjan Das

ଆସ ଯୁଦ୍ଧ ଦେଖିବ
ସିପାହୀର ଘର ସମ୍ମୁଖରେ ଛିଡ଼ା ହେଇ
ଫୁଟୁ ନଥିବ ବନ୍ଧୁକ
ତୁଟୁ ଥିବ କାହା ହାତର ଚୁଡ଼ି
ନଥିବ ବାରୁଦ, କରୁଣ ବିଳାପ ଆକାଶରେ
ଯାଉଥିବ ଉଡ଼ି
ପୋଡ଼ା ଶବର ଗନ୍ଧ, ମଶାଣୀରେ ଗହଳି
ଅଗଣା ଶାନ୍ତ ଆଉ ନିସ୍ତବ୍ଧ ଯୁଦ୍ଧଅନ୍ତେ ଯୁଦ୍ଧ ଭୂମି ପରି

ସ୍ୱପ୍ନମାନେ ଯୁଦ୍ଧ କରୁଥିବେ ରାତି ସହ
ନିଦମାନେ ଲୁହ ସହ
ଦୁଇ ମୁଠା ଚାଉଳ ଧରିଥିବ ହାଣ୍ଡିର ଘଣ୍ଟିକା
ସିନ୍ଦୁର ଫିକା ପଡ଼ିବାକୁ
ସିନ୍ଥି ସହ ଯୁଦ୍ଧ କରୁଥିବ ଏକା

ଆଶା ଜଷ୍ଟି ପାଦ ସହ ଯୁଦ୍ଧ କରିବ
ଓଷଦ ଓଠକୁ ଦୂରରୁ ଫିଙ୍ଗିବ ଅଭାବର କ୍ଷେପଣାସ୍ତ୍ର
ଶୀତଳ ଯୁଦ୍ଧରେ ମାତିବେ
ଦେହ ଆଉ ବସ୍ତ୍ର
ଏଇ ମଉକା ଦେଖି, ଅନ୍ଧତ୍ୱ ସୈନ୍ୟ ସାମନ୍ତ ଆଣି
କବଳିତ କରିବ ବଣ ପାହାଡ଼ ଘେରା ନେତ୍ର

ଯୁଦ୍ଧ ଚାଲିବ
ପାଦର, ଫୁଟା ଚପଲ ସହ…
ଚପଲ ସହ ସନ୍ଧି କରି ରାସ୍ତାର ଗୋଡ଼ି
ଅତର୍କିତ ଆକ୍ରମଣ କରିବେ
ରାସ୍ତା ମଝିଟାରେ ଲହୁକୁ ନିଗାଡ଼ି ॥

– ତୃପ୍ତି ରଞ୍ଜନ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...