ନାରୀର ଆପମାନ: ଯୁଦ୍ଧର ଆହ୍ଵାନ

Odia Poem Narira Apamana: Yuddhara Ahwan (ନାରୀର ଆପମାନ: ଯୁଦ୍ଧର ଆହ୍ଵାନ) by Swatismita Barik

ପ୍ରାଚୀନ ଯୁଗର ହସ୍ତୀନାପୁରରେ
ଘଟିଲା ଏକ କାଣ୍ଡ,
ନାରୀର ସମ୍ମାନ ବୁଝି ନପାରି
ଭୋଗିଲେ ସବୁ ଦଣ୍ଡ ॥…୧

କେଶକୁ ଟାଣି ରାଜସଭାକୁ
ଆଣିଲା ଦୁଃଶାସନ,
ପ୍ରଜା କୁହନ୍ତି ଏହା କ’ଣ
କୁରୁବଂଶର ଶାସନ?…୨

ପ୍ରତିଜ୍ଞାର ଦ୍ୱାହିଦେଇ ନୀରବ ରହିଲେ
ପିତାମହ ଭୀଷ୍ମ,
ଜାଣି ମଧ୍ୟ ଜାଜ୍ଞସେନୀର ନିଆଁରେ
ହସ୍ତୀନାପୁର ହେବ ଭସ୍ମ ॥…୩

ଜଙ୍ଘକୁ ବାଡ଼େଇ ଦୁର୍ଯ୍ୟୋଧନ କରେ
ପୁରୁଷତ୍ଵର ପ୍ରମାଣ,
ଗାନ୍ଧାରୀକୁମାର ଅଜ୍ଞାନେ କରେ
ମୃତ୍ୟୁର ଆମନ୍ତ୍ରଣ ॥…୪

କୁରୁ ବଂଶର କୁଳବଧୂକୁ
କର୍ଣ୍ଣ କହେ ଯେ ବେଶ୍ୟା,
ଆଜିଯାଏ ଯିଏ ଖେଳୁଛି
ନିଜ ଜୀବନର ପଶା ॥…୫

ବସ୍ତ୍ରହରଣେ ଦ୍ରୈପଦୀର ଆଉ
ରହୁ ନାହିଁ ରାହା,
ବିପଦ ସମୟେ ଲଜ୍ଜ୍ୟା ନିବାରଣେ
କେବଳ କେଶବ ସାହା ॥…୬

ଭଗିନୀକୁ ଦେଇ ଆବଶ୍ୟକ ବସ୍ତ୍ର
ରଖିଲେ ଦାନର ମାନ,
ପାଞ୍ଚାଳୀ କ’ଣ ଭୁଲି ଯାଇଛି
ତା’ର ସେଇ ଅପମାନ?…୭

ଯେଉଁଦିନ ଦୁଃଶାସନ ରକ୍ତେ
କରିବି ମୁଁ ସ୍ନାନ,
ସେଦିନ ବାନ୍ଧିବି କେଶ
ପାଞ୍ଚାଳୀ ଦେଲା ବଚନ ॥…୮

କୁରୁକ୍ଷେତ୍ରେ କୈନ୍ତେୟ ଦେଲେ
ସ୍ୱାମୀର ପରିଚୟ,
ଏବେ ଦ୍ରୈପଦୀ ତା’ କେଶ
ବାନ୍ଧିବ ନିଶ୍ଚୟ ॥…୯

ନିଜେ ଜଳି ଅନ୍ୟ ଜୀବନକୁ
କରେ ସେ ଅମୃତ,
ଅପମାନ, ଅନ୍ୟାୟ ଦେଖିଲେ
ରଚାଏ ସେ ମହାଭାରତ ॥…୧୦

– ସ୍ଵାତୀସ୍ମିତା ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...